ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ, ସନ୍ଦେହରେ ପୌର ଇଞ୍ଜିନିଅର

କେନ୍ଦ୍ରାପଡ଼ା,୦୯/୦୧/୨୦୨୬(ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ଟାଉନ୍ ଥାନା ଅନ୍ତର୍ଗତ ସୁନାଇଲୋ ଗ୍ରାମରେ ଜଣେ ଯୁବତୀଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ଟାଉନ୍ ଥାନା ପୋଲିସ ଅଭିଯୁକ୍ତ ଇଞ୍ଜିନିୟରଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଯୁବତୀଙ୍କ ବାପା ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅ କେନ୍ଦ୍ରାପଡ଼ା ପୌରପାଳିକାରେ କିଛି ମାସ ପୂର୍ବରୁ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲା । ଏହି ସମୟରେ ଜଣେ ଯନ୍ତ୍ରୀଙ୍କ ସହ ତାର ପରିଚୟ ହୋଇଥିଲା । ଏହାପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ଓ ପରେ ପ୍ରେମ ସଂପର୍କରେ ପରିଣତ ହୋଇଥିଲା । ଯୁବତୀ ଜଣକ ଚାକିରୀ ଛାଡି ବିଏଡ୍ ପାଇଁ ପ୍ରସ୍ତୁତ ହେଉଥିଲା ।

ଏଥିପାଇଁ ସେ ସୁନାଇଲୋରେ ଏକ ଘର ଭଡ଼ା ନେଇ ରହୁଥିଲେ । ଇଞ୍ଜିନିୟର ଜଣକ ଯୁବତୀଙ୍କ ସହ ସଂପର୍କରେ ଥିଲେ । ହେଲେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ମନାନ୍ତର ହୋଇଛି ଓ ଇଞ୍ଜିନିୟର ଜଣକ ତାଙ୍କୁ ବଳାତ୍କାର କରିବା ପରେ ହତ୍ୟା କରିଛନ୍ତି । ଏହାପରେ ପ୍ରମାଣ ନଷ୍ଟ କରିବା ପାଇଁ ତାଙ୍କୁ ଫ୍ୟାନରେ ଝୁଲାଇ ଦେଇଛନ୍ତି । ତେଣୁ ଅଭିଯୁକ୍ତ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ତାଙ୍କ ପିତା ଦାବି କରିଛନ୍ତି ।

ଏ ସମ୍ପର୍କରେ ଟାଉନ୍ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁଙ୍କୁ ପଚାରିବାରୁ ସେ କହିଲେ ଯୁବତୀଙ୍କ ବାପାଙ୍କ ଅଭିଯୋଗକୁ ପୋଲିସ ଗ୍ରହଣ କରିଛି । ଏ ନେଇ ସନ୍ଦେହରେ ଥିବା ଇଞ୍ଜିନିୟରଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତୁ୍ୟର ପ୍ରକୃତ କାରଣ ଜଣାପଡିବ । ଫଳରେ ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନାଧିକାରୀ ଶ୍ରୀ ସାହୁ କହିଛନ୍ତି ।

Leave a Reply

Your email address will not be published. Required fields are marked *