ଭୁବନେଶ୍ୱର,୦୯/୦୧/୨୦୨୬ (ଓଡ଼ିଶା ସମାଚାର)- ମାନୁଆଲ ଫିଜିଓଥେରାପି ପାଇଁ ବ୍ୟାପକ ପ୍ରସାର ପ୍ରଚାରର ଆବଶ୍ୟକତା ରହିଛି । ଏ ନେଇ ରାଜ୍ୟ ସରକାର ମଧ୍ୟ ପୁରା ପ୍ରସ୍ତୁତ ଅଛନ୍ତି । ବିଶେଷକରି ମାନୁଆଲ ଫିଜିଓଥେରାପିକୁ ଗୁରତ୍ୱ ଦେଇ ଏବେ ପ୍ରତି ପଂଚାୟତରେ ଖୋଲିଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ମାନୁଆଲ ଫିଜିଓରେଥାପି ଉପକରଣ ଯୋଗାଇ ଦିଆଯିବ ବୋଲି ଭୁବଶ୍ୱେରରେ ଆନ୍ତର୍ଜାତୀୟ ମାନୁଆଲ ଥେରାପି ସମ୍ମିଳନୀର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି । ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ (ଏମଏସଜେଇ) ଅଧୀନରେ ଥିବା ଭିନ୍ନକ୍ଷମ ବ୍ୟକ୍ତିଙ୍କ ସଶକ୍ତିକରଣ ବିଭାଗ (ଡିଇପିଡବ୍ଲୁଡି) ଅଧୀନରେ କଟକ ଓଲଟପୁରସ୍ଥିତ ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ତାଲିମ ଏବଂ ଗବେଷଣା ପ୍ରତିଷ୍ଠାନ (ଏସଭିଏନଆଇଆରଟିଏଆର) ଦ୍ୱାରା ଆୟୋଜିତ ଆନ୍ତର୍ଜାତୀୟ ମାନୁଆଲ ଥେରାପି ସମ୍ମିଳନୀ ଆଜି ଭୁବନେଶ୍ୱରର ଏମସ ମୁଖ୍ୟ ଅଡିଟୋରିୟମରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି ।
୮ରୁ ୧୧ ଜାନୁଆରୀ ୨୦୨୬ପର୍ଯ୍ୟନ୍ତ ହେବାକୁ ଥିବା ଏହି ଚାରିଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ, ଭାରତ ଏବଂ ବିଦେଶର ପ୍ରସିଦ୍ଧ ଚିକିତ୍ସକ, ଶିକ୍ଷାବିତ୍, ଗବେଷକ ଏବଂ ପୁନର୍ବାସ ବୃତିଗତ ମାନଙ୍କ ଏକତ୍ରିତ କରି ମାନୁଆଲ ଥେରାପିରେ ସାମ୍ପ୍ରତିକ ଉନ୍ନତି, ପ୍ରମାଣ-ଆଧାରିତ ଅଭ୍ୟାସ ଏବଂ ନବସୃଜନ ଉପରେ ବିଚାର-ବିମର୍ଷ କରିବେ ।
ଉଦ୍ଘାଟନୀ ଅଧିବେଶନରେ ଏସଭିଏନଆଇଆରଟିଏଆର ନିର୍ଦେଶକ ଡକ୍ଟର ପତିତପାବନ ମହାନ୍ତି ଅଧ୍ୟକ୍ଷତା କରିଥିଲେ । ଯିଏ ପୁନର୍ବାସ ଶିକ୍ଷା, ଗବେଷଣା ଏବଂ କ୍ଲିନିକାଲ ଅଭ୍ୟାସରେ ଉତ୍କର୍ଷତା ପ୍ରତି ପ୍ରତିଷ୍ଠାନର ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ । ସେ ସମଗ୍ର ପୁନର୍ବାସରେ ମାନୁଆଲ ଥେରାପିର ଗୁରୁତ୍ୱ ଏବଂ ସମସାମୟିକ ସ୍ୱାସ୍ଥ୍ୟସେବାରେ ଏହାର ବଢୁଥିବା ପ୍ରାସଙ୍ଗିକତା ଉପରେ ଗୁରୁତ୍ୱାରୋପ କରିଥିଲେ ।
ସମ୍ମାନିତ ଅତିଥି, ଏମ୍ସ ଭୁବନେଶ୍ୱରର ନିର୍ଦେଶକ ପ୍ରଫେସର ଡକ୍ଟର ଆଶୁତୋଷ ବିଶ୍ୱାସ ସମାବେଶକୁ ସମ୍ବୋଧିତ କରିଥିଲେ ଏବଂ ରୋଗୀ-କୈନ୍ଦ୍ରୀକ ପୁନର୍ବାସ ସେବାକୁ ସୁଦୃଢ କରିବାରେ ଆନ୍ତଃଶାଖାଗତ ସହଯୋଗ ଏବଂ ଗବେଷଣାର ଭୂମିକାକୁ ଗୁରୁତ୍ୱାରୋପ କରିଥିଲେ । ମାନୁଆଲ ଥେରାପି କ୍ଷେତ୍ରରେ ଜ୍ଞାନ ଆଦାନପ୍ରଦାନ ପାଇଁ ଏକ ଆନ୍ତର୍ଜାତୀୟ ପ୍ଲାଟଫର୍ମ ଆୟୋଜନ କରିବାରେ ଏସଭିଏନଆଇଆରଟିଏଆର’ର ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ । ମୁଖ୍ୟ ଅତିଥି ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଓ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗର ମନ୍ତ୍ରୀ ଡକ୍ଟର ମକେଶ ମହାଲିଙ୍ଗ ଆନୁଷ୍ଠାନିକ ଭାବରେ ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ । ତାଙ୍କ ଭାଷଣରେ ସେ ସ୍ୱାସ୍ଥ୍ୟସେବା ଏବଂ ପୁନର୍ବାସ ସେବାକୁ ଆଗକୁ ବଢାଇବା ପାଇଁ ଓଡ଼ିଶା ସରକାରଙ୍କ ପ୍ରତିବଦ୍ଧତାକୁ ପୁନଃ ଦୋହରାଇଥିଲେ ଏବଂ ପୁନର୍ବାସ ବିଜ୍ଞାନରେ ବୈଜ୍ଞାନିକ ଶିକ୍ଷା ଏବଂ ଦକ୍ଷତା ବିକାଶକୁ ପ୍ରୋତ୍ସାହିତ କରିବାରେ ଏସଭିଏନଆଇଆରଟିଏଆର’ର ପ୍ରୟାସକୁ ପ୍ରଶଂସା କରିଥିଲେ । ଏହି ସମ୍ମିଳନୀରେ ଜାତୀୟ ଏବଂ ଆନ୍ତର୍ଜାତୀୟ ବିଶେଷଜ୍ଞଙ୍କ ଦ୍ୱାରା ମୁଖ୍ୟ ବକ୍ତୃତା, ପ୍ୟାନେଲ ଆଲୋଚନା, କର୍ମଶାଳା ଏବଂ ପେପର ଉପସ୍ଥାପନା ଅନ୍ତର୍ଭୁକ୍ତ, ଯାହାର ଲକ୍ଷ୍ୟ ବୃତିିଗତ ଦକ୍ଷତା ବୃଦ୍ଧି କରିବା ଏବଂ ପୁନର୍ବାସ ଫଳାଫଳକୁ ଉନ୍ନତ କରିବା ।
