ଯାଜପୁର, ୦୭/୦୧/୨୦୨୬ (ଓଡ଼ିଶା ସମାଚାର)- ଜିଲ୍ଲା ପ୍ରଶାସନ ପକ୍ଷରୁ ପାଣିକୋଇଲି ପ୍ରାଥମିକ କୃଷି ସମବାୟ ସମିତି ଧାନ ମଣ୍ଡିରେ ଧାନ କ୍ରୟର ଶୁଭ ଉଦଘାଟନ ହୋଇଛି। ଏହି ଜିଲ୍ଲାସ୍ତରୀୟ ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଯାଜପୁର ସାଂସଦ ଡା. ରବୀନ୍ଦ୍ର ନାରାୟଣ ବେହେରା, କୋରେଇ ବିଧାୟକ ଶ୍ରୀ ଆକାଶ ଦାସ ନାୟକ, ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର, ଯୋଗାଣ ଅଧିକାରୀ ଶ୍ରୀ ଦିଲ୍ଲୀପ ପାଣିଗ୍ରାହୀ, ଡିଆରସିଏସ ଶ୍ରୀ ଅମୁଲ୍ୟ କୁମାର ସେଠି ଯୋଗ ଦେଇଥିଲେ।

ସାଂସଦ ଶ୍ରୀ ବେହେରା ଜିଲ୍ଲାରେ ସମସ୍ତ ଧାନ ମଣ୍ଡିରେ ଶାନ୍ତି ଶୃଙ୍ଖଳାର ସହ ବିନା କଟନୀ ଛଟନୀ ରେ ସୁରୁଖୁରୁରେ ଚାଷୀ ମାନଙ୍କ ଠାରୁ ଧାନ କ୍ରୟ କରିବା ପାଇଁ ପରାମର୍ଶ ଦେଇଥିଲେ। ବିଧାୟକ ଶ୍ରୀ ଆକାଶ ଦାସ ନାୟକ ଯାଜପୁରରେ ସୁବ୍ୟବସ୍ଥିତ ଢଙ୍ଗରେ ଧାନ ମଣ୍ଡିରେ କ୍ରୟ କରିବା ଉପରେ ଗୁରୁତ୍ବ ଦେଇଥିଲେ। ଚଳିତ ବର୍ଷ ଯାଜପୁର ଜିଲ୍ଲାରେ ମୋଟ ୫୯,୯୬୧ ଜଣ ଚାଷୀ ଧାନ ମଣ୍ଡି ପାଇଁ ପଞ୍ଜିକରଣ କରିଛନ୍ତି ଏବଂ ବର୍ତ୍ତମାନ ସୁଦ୍ଧା ୪୨,୭୨୦ ଟୋକେନ୍ ବଣ୍ଟନ କରାଯାଇଛି।
ଧାନର ସର୍ବନିମ୍ନ ସହାୟତା ରାଶି ଇନପୁଟ ସବସିଡ ସହିତ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା ଚାଷୀଙ୍କୁ ଦିଆଯିବ। ଏଥର ଝୋଟ ବ୍ୟାଗରେ ହିଁ ଧାନ କ୍ରୟ କରିବା ପାଇଁ ପ୍ରାଧାନ୍ୟ ଦିଆଯାଉଛି। ପଞ୍ଜୀକୃତ ହୋଇଥିବା ମୋଟ ୧୪୦ ଟି ପ୍ରାଥମିକ କୃଷି ସମବାୟ ସମିତି ଏବଂ ୪୨ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ମାଧ୍ୟମରେ ଧାନ କ୍ରୟ କରାଯାଉଅଛି।ଏହି କାର୍ଯ୍ୟକ୍ରମ ରେ ପାକ୍ସ ସଭାପତି ଶ୍ରୀ ସନ୍ତୋଷ କୁମାର ବେହେରା ଓ ସମ୍ପାଦକ ଉପସ୍ଥିତ ଥିଲେ।






