ମିଲର ଙ୍କ ମର୍ଜି ରେ ଚାଲିଛି ଧାନ ମଣ୍ଡି  – ଯୋଗାଣ ବିଭାଗ ମୁହଁରେ ତୁଣ୍ଡି

ଭୁବନ ୨୧/୦୨/୨୦୨୫ (ଓଡ଼ିଶା ସମାଚାର)-ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଏବଂ ଏନ୍ ଏ ସି ର ସମସ୍ତ ପ୍ରାଥମିକ ସେବା ସମବାୟ ସମିତି ରେ ଗତ ଜାନୁଆରୀ ମାସ ଦ୍ଵିତୀୟ ସପ୍ତାହ ରୁ ଧାନ ମଣ୍ଡି ଆରମ୍ଭ ହୋଇଛି । ପ୍ରତ୍ୟେକ ମଣ୍ଡି ମିଲର ଙ୍କ ମର୍ଜି ରେ ଚାଲିଛି ଓ କ୍ଵିଣ୍ଟାଲ ପିଛା ୬ କେଜି ରୁ ୮ କେଜି ଧାନ କଟନି ଛଟନି ହେଉଛି । ଏହି ବ୍ଲକ ଅନ୍ତର୍ଗତ ଯମୁନାକୋଟ ମଣ୍ଡି ରେ ଆରମ୍ଭରୁ କ୍ଵିଣ୍ଟାଲ ରେ ୬ କେଜି କଟନି ଛଟନି ଓ କ୍ଵିଣ୍ଟାଲ ପିଛା ୫ ଟଙ୍କା ଲେବର ଫୁଡ଼ିଙ୍ଗ କୁ ନେଇ ଚାଷୀ ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରି ହୋ ହାଲ୍ଲା କରିଥିଲେ। ଫଳରେ ମଣ୍ଡି ବନ୍ଦ ରହିଥିଲା। କାମାକ୍ଷା ନଗର ଏ ଆର ସି ଏସ ଙ୍କ ହସ୍ତକ୍ଷେପ ପରେ ଲୋଡ଼ିଂ ଏବଂ ଫୁଡ଼ିଂ ପାଇଁ ଆଦାୟ ହେଉଥିବା ୫ ଟଙ୍କା ବନ୍ଦ ରହି ମଣ୍ଡି ଚାଲୁ ହୋଇଥିଲା।

ବାଲିବୋ ସେବା ସମବାୟ ସମିତି ରେ ଜନୈକ ଚାଷୀ ଘରୁ ଓଜନ କରି ଆଣିଥିବା ଧାନ ବସ୍ତା ମଣ୍ଡିରେ ଓଜନ କରିବା ପରେ ପ୍ରତି ବସ୍ତା ରେ ୧୨୦୦ କିଲୋଗ୍ରାମ କମ୍ ରହିଥିଲା । ସଂପୃକ୍ତ ଚାଷୀ ଅନ୍ୟ ଏକ ମେସିନ ରେ ଓଜନ କରିବାକୁ ଜିଦ ଧରିବାରୁ ଶେଷରେ ବାଧ୍ୟହୋଇ ଅନ୍ୟ ଏକ ମେସିନ ରେ ଓଜନ କରା ଯିବାରୁ ଘର ଓଜନ ସହ ସମାନ ରହିଥିଲା । ଏହାପରେ ଚାଷୀ ମାନେ ଉତେଜିତ ହୋଇ ଦଣ୍ଡିମରା ମିଲର ବୋଲି ନାରାବାଜି କରି ମଣ୍ଡି ବନ୍ଦ କରିଥିଲେ । ଅନ୍ୟ ଏକ ଘଟଣାରେ ମୃଦଙ୍ଗା ମଣ୍ଡିରେ ଜନୈକ ଚାଷୀ ଙ୍କ ର ସବୁ ଧାନ ନିମ୍ନ ମାନର ଓ ଖରାପ ଧାନ କହି ତାଙ୍କ ଧାନ ଓଜନ ନକରି ଅନ୍ୟ ଚାଷୀଙ୍କ ଧାନ ଓଜନ କରିବାରୁ ପ୍ରବଳ ଉତ୍ତେଜନା ପ୍ରକାଶ ପାଇ ମଣ୍ଡି ବନ୍ଦ ରହିଥିଲା। ବିଡିଓ ଆୟୁଶୀ ମହାପାତ୍ର ଦିନକ ପରେ ଘଟଣାର ସମାଧାନ କରିବା ପରେ ପୁନର୍ବାର ମଣ୍ଡି ଚାଲିଥିଲା । ଅନୁରୂପ ଭାବେ ଯମୁନାକୋଟ ମଣ୍ଡିରେ ଜନୈକ ଚାଷୀ ଙ୍କ ର ଅଧା ଧାନ ନିଆଯାଇ ବାକି ଅଧା ଖରାପ ଓ ନିମ୍ନ ମାନର ଧାନ କହି ନେଇନଥିଲେ । ସଂପୃକ୍ତ ଚାଷୀ ଏ ସମ୍ପର୍କରେ ସେବା ସମବାୟ ସମିତି ସମ୍ପାଦକ ସ୍ମୃତି ପ୍ରକାଶ ସ୍ୱାଇଁ,ସରପଞ୍ଚ ରଞ୍ଜନ ବାରିକ ଙ୍କୁ ଗୁହାରି କରିଥିଲେ ମଧ୍ୟ ତାଙ୍କ ଧାନ ଓଜନ ହୋଇନଥିଲା ।

ନିମ୍ନ ମାନର ଓ ଖରାପ ଧାନ ବୋଲି ପ୍ରମାଣ ପତ୍ର ଆଣି ପଞ୍ଚାୟତ ଅଫିସ୍ କିମ୍ବା ବ୍ଲକ ରେ ଆବେଦନ କଲେ କ୍ଷତି ପୂରଣ ପ୍ରଦାନ କରାଯିବ ଏବଂ ମଣ୍ଡିରେ ସରକାର ଙ୍କ ଆଇନ ନୁହେଁ ମିଲର ଙ୍କ ଇଚ୍ଛାରେ ମଣ୍ଡି ଚାଲିଛି ବୋଲି ସରପଞ୍ଚ କହିଥିଲେ । ସଂପୃକ୍ତ ଚାଷୀ କାନ ମୁଣ୍ଡ ଆଉଁସି ମାନସ୍ତାପରେ ଘରକୁ ଫେରିଥିଲେ । ଭୁବନ ମଣ୍ଡିରେ ମଧ୍ୟ ଜନୈକ ଚାଷୀ ଙ୍କ ର ଖରାପ ଧାନ କହି ମିଲର ନ ନେବାରୁ ସଂପୃକ୍ତ ଚାଷୀ ଜଣକ କାମାକ୍ଷା ନଗର ଏ ଆର ସି ଏସ ଙ୍କ ଅଫିସ କୁ ସାମ୍ପୁଲ ଧାନ ନେଇ ପରୀକ୍ଷା କରି ସେଠାରୁ କ୍ଲିଅରାଂସ ଆଣିବା ପରେ ତାଙ୍କର ସବୁ ଧାନ ବିକ୍ରି କରିଥିଲେ । ଏଫ୍ ଏ କ୍ୟୁ ଧାନ ଆଳରେ ପ୍ରତ୍ୟେକ ମଣ୍ଡିରେ ମିଲର ୬ କେଜି ରୁ ୮ କେଜି ଧାନ କାଟିବା ସହ ଖରାପ ,ନିମ୍ନ ମାନର ଧାନ କହି ଚାଷୀଙ୍କୁ ଶୋଷଣ ଓ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଉଛି ।

କୌଣସି ସ୍ଥାନରେ କଟନି ଛଟନି ହେବନାହିଁ,ସରକାର ସବୁ ଧାନ କିଣିବେ ବୋଲି ଯୋଗାଣ ମନ୍ତ୍ରୀ ବାରମ୍ବାର ବିବୃତ୍ତି ଦେଉଥିବା ବେଳେ ପ୍ରତ୍ୟେକ ମଣ୍ଡିରେ ମିଲର ଙ୍କ ଇଚ୍ଛାରେ ଧାନ ନିଆ ଯାଉଛି। ମଣ୍ଡିରେ ଚାଷୀ ମାନଙ୍କୁ ଦୁର୍ବ୍ୟବହାର କରାଯାଉଥିବା ଅଭିଯୋଗ ହେଉଛି। ଧାନ ବସ୍ତା ଓଜନ ସମୟରେ ୧୦୦ ଗ୍ରାମ ରୁ ୯୦୦ ଗ୍ରାମ ପର୍ଯ୍ୟନ୍ତ ହିସାବକୁ ନିଆ ନଯାଇ ମୁଣ୍ଡା ହିସାବ ଲେଖାଯାଉଛି । ଚାଷୀ ମାନଙ୍କ ଟୋକନ ଦେବା ସମୟରେ ମଧ୍ୟ ମୁଣ୍ଡା ହିସାବ ଅନୁଯାୟୀ ଯେତିକି କ୍ୱିଣ୍ଟାଲ ଧାନ ତାର ଦୁଇ ଗୁଣା ବସ୍ତା ଆଣିବାକୁ କୁହାଯାଉଛି । ଫଳରେ ପ୍ରତ୍ୟେକ ଚାଷୀ ୨/୪ କ୍ୱିଣ୍ଟାଲ କମ ଧାନ ଦେଉଛନ୍ତି । ବଳକା ଧାନ ବେପାରୀ/ଦଲାଲ୍ ଙ୍କ ଜରିଆରେ ପିସି ଆଦାୟ କରି ମିଲର ଧାନ ନେଉଛନ୍ତି । କୌଣସି ମଣ୍ଡିରେ ଯୋଗାଣ ବିଭାଗ ଅଧିକାରୀ/କର୍ମଚାରୀ,ନୋଡାଲ ଅଫିସର, ପିଇଓ ଙ୍କୁ ଦେଖିବାକୁ ମିଳୁନାହିଁ ଏବଂ ଧାନର ମାନ ନିର୍ଦ୍ଧାରଣ ପାଇଁ ଗ୍ରେନ୍ ଆନାଲାଇଜର ମେସିନ ନାହିଁ । ଧାନ କ୍ରୟ କମିଟି ରେ ଚାଷୀ ଙ୍କ ଅପେକ୍ଷା ବେପାରୀ/ଦଲାଲ୍ ଙ୍କୁ ସାମିଲ କରାଯାଇଥିବା ଅଭିଯୋଗ ହେଉଛି ।

ମୋଟ ଉପରେ ମିଲର,ସମବାୟ ସମିତି କର୍ମଚାରୀ ଓ ବେପାରୀ/ଦଲାଲ୍ ମାନେ ହିଁ ମଣ୍ଡି ଚଳାଉଛନ୍ତି । ପୂର୍ବ ସରକାର ସମୟରେ କ୍ୱିଣ୍ଟାଲ ପିଛା ( ବସ୍ତା ବାବଦ କୁ ୧.୫ କେଜି ଓ ଆଦ୍ରତା ପାଇଁ ୨.୫ କେଜି ) ସମୁଦାୟ ୪ କିଲୋ ଧାନ କଟା ଯାଉଥିବା ବେଳେ ଡବଲ ଇଞ୍ଜିନ ସରକାର ରେ ଡବଲ କଟନି ଛଟନି ହେଉଛି ବୋଲି ଚାଷୀ ମାନେ ମତ ଦେଉଛନ୍ତି ଓ ସରକାର ଙ୍କ ଘୋଷଣା ଧୂଆଁବାଣ ପାଲଟିଛି । ଯୋଗାଣ ମନ୍ତ୍ରୀ ଖୋଦ୍ ଢେ଼ଙ୍କାନାଳ ଜିଲ୍ଲାର ହୋଇଥିବା ବେଳେ ଏଠାରେ ଯଦି ଏଭଳି ସ୍ଥିତି ତାହେଲେ ସାରା ରାଜ୍ୟରେ କିଭଳି ଭାବେ ମଣ୍ଡି ଚାଲିଛି ତାହା ସହଜରେ ଅନୁମେୟ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ଓ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *