ନୂଆଦିଲ୍ଲୀ/ ଭୁବନେଶ୍ୱର,୦୬/୦୧/୨୦୨୬ (ଓଡ଼ିଶା ସମାଚାର)- ଓଡ଼ିଶାର ଅଗ୍ରଣୀ ପୂର୍ବ ସୈନିକ ସଙ୍ଗଠନ ଉତ୍କଳ ସେବାନିବୃତ୍ତ ସେନାନୀ ପକ୍ଷରୁ ଏକ ପ୍ରତିନିଧି ଦଳ ଆଜି ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମହୋଦୟାଙ୍କୁ ସାକ୍ଷାତ୍ କରି ଓଡ଼ିଶାର ପୂର୍ବସୈନିକ ଓ ସେମାନଙ୍କ ପରିବାରବର୍ଗଙ୍କ କଲ୍ୟାଣ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ସ୍ମାରକପତ୍ର ଦାଖଲ କରିଛନ୍ତି। ଏହି ସ୍ମାରକପତ୍ରରେ ପାଞ୍ଚଟି ମୁଖ୍ୟ ଦାବି ଉପସ୍ଥାପିତ କରାଯାଇଥିଲା । ତନ୍ମଧ୍ୟରେ ଯୁବପିଢ଼ିଙ୍କୁ ଗୁଣାତ୍ମକ ଶିକ୍ଷା ସହ ଶୃଙ୍ଖଳା ଜ୍ଞାନ ଦେବା ଲକ୍ଷ୍ୟରେ ରାଇରଙ୍ଗପୁରରେ ଏକ ସେନା ବିଦ୍ୟାଳୟ ସ୍ଥାପନ ପାଇଁ ଦାବି ରଖାଯାଇଛି ।
ଅବସରପ୍ରାପ୍ତ ସୈନିକ ଓ ତାଙ୍କ ଉପରେ ନିର୍ଭରଶୀଳ ପରିବାରବର୍ଗଙ୍କ ପାଇଁ ସୁଲଭ ଦରରେ ଆବଶ୍ୟକ ସାମଗ୍ରୀ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ଓଡ଼ିଶାରେ ଏକ କ୍ୟାଣ୍ଟିନ୍ ଡିପୋ ଗଠନ ପାଇଁ ପ୍ରସ୍ତାବ ରଖାଯାଇଛି । ପୂର୍ବସୈନିକଙ୍କ ପାଇଁ ସାମାଜିକ ଓ ପ୍ରଶାସନିକ କାର୍ଯ୍ୟକଳାପ ନିମନ୍ତେ ସୈନିକ କମ୍ପ୍ଲେକ୍ସ ସହ ଭ୍ରମଣରତ ପୂର୍ବ ସେନାନୀ ଓ ସେମାନଙ୍କ ପରିବାରବର୍ଗଙ୍କ ସୁବିଧା ନିମନ୍ତେ ସେନା ଆରାମଗୃହ (Sainik Aramghar) ସ୍ଥାପନ ପାଇଁ ଅନୁରୋଧ କରାଯାଇଛି । ରାଷ୍ଟ୍ରପତି ମହୋଦୟାଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସମସ୍ତ ଦାବି ଉପରେ ସକାରାତ୍ମକ ମନୋଭାବ ପ୍ରକାଶ ପାଇଥିବା ସହିତ ଉଚିତ ସ୍ତରରେ ବିଚାର କରାଯିବ ବୋଲି ଆଶ୍ୱାସନ ଦିଆଯାଇଛି। ସମ୍ପୂର୍ଣ୍ଣ ଆଲୋଚନା ସୌହାର୍ଦ୍ୟପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହେବା ସହ ଦେଶର ସୁରକ୍ଷା ନେଇ ଅବସରପ୍ରାପ୍ତ ସୈନିକମାନଙ୍କ ଜୀବନର ବହୁମୂଲ୍ୟ ସମୟର ଯୋଗଦାନ ନିମନ୍ତେ ରାଷ୍ଟ୍ରପତି ମହୋଦୟା ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।
ଏହି ପ୍ରତିନିଧି ଦଳରେ କ୍ୟାପ୍ଟେନ୍ ଗୁରୁଚରଣ ହେମ୍ବ୍ରମ (ଅବସରପ୍ରାପ୍ତ), ଫ୍ଲାଇଂ ଅଫିସର ଜୟନାରାୟଣ ବେହେରା (ଅବସରପ୍ରାପ୍ତ), ସୁବେଦାର ମେଜର ଶଙ୍ଖଚରଣ ମାଝି (ଅବସରପ୍ରାପ୍ତ), ସୁବେଦାର ମେଜର ଚନ୍ଦ୍ରମଣି ଦଳେଇ (ଅବସରପ୍ରାପ୍ତ) ସହ ଅନ୍ୟାନ୍ୟ ପୂର୍ବତନ ସେନାନୀ, ବୀରନାରୀ ଓ ପରିବାର ସଦସ୍ୟମାନେ ଉପସ୍ଥିତ ଥିଲେ।
