ଯାତ୍ରା ଜଗତର ଦୁର୍ଦ୍ଦାନ୍ତ ଖଳନାୟକ ‘ ରାଉଡି ରାକା’ ଜ୍ଞାନ ସାହୁଙ୍କ ପରଲୋକ

ଭୁବନ, ୦୬/୦୧/୨୦୨୬ (ଓଡ଼ିଶା ସମାଚାର)- ଓଡ଼ିଶା ଯାତ୍ରା ଜଗତର ଦୁର୍ଦ୍ଦାନ୍ତ ଖଳନାୟକ ” ରାଉଡ଼ି ରାକା” ଭାବେ ପରିଚିତ ଜ୍ଞାନ ରଞ୍ଜନ ସାହୁ (୪୭ )ଙ୍କର ସୋମ‌ବାର ରାତି ୧୦ ଘଟିକା ସମୟରେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ପରଲୋକ ହୋଇଯାଇଛି। ସେ ଦୀର୍ଘ ଦିନରୁ ଲିଭର ଜଣ୍ଡିସ ଓ ଲିଭର ସିରୋସିସ ରେ ଆକ୍ରାନ୍ତ ଥିଲେ। ହଠାତ ସ୍ଵାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଏହି ଖବର ପ୍ରଚାରିତ ହେବା ପରେ ଢେଙ୍କାନାଳ ଜିଲ୍ଲା ଭୁବନ ଏନ୍ ଏ ସି ଅନ୍ତର୍ଗତ ୭ ନମ୍ବର ୱାର୍ଡ ବଡ଼ହାଟ ସ୍ଥିତ ବାସ ଭବନ ରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ପହଞ୍ଚି ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଆଜି ମଙ୍ଗଳବାର ସକାଳେ ପୂର୍ବତନ ନଗରପାଳ ଶୁଭେନ୍ଦୁ କୁମାର ସାହୁ,କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା ପ୍ରମୁଖ ଜ୍ଞାନ ଙ୍କ ଶବ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ରଗଡ଼ି ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା।

। ସେ ଯାତ୍ରା ଜଗତକୁ ଆସିବା ପୂର୍ବରୁ ଜ୍ଞାନ ରାଜ୍ୟ ପୁଲିସ ବିଭାଗରେ କନଷ୍ଟେବଲ୍‌ ଚାକିରିରେ କିଛି ବର୍ଷ ଯୋଗ ଦେଇଥିଲେ। ସେଥିରେ ମନ ବୁଝିଲାନି । ନିଜେ କିଛି କରିବା ଲକ୍ଷ୍ୟ ନେଇ କାଳୀ ବଜାର ରେ ଏକ ୱେଲ୍‌ଡିଂ ଦୋକାନ ଦେଇଥିଲେ। ୨୦୦୫ ମସିହାରେ ସଂଯୋଗ ବଶତଃ ସେ ଶିବାନୀ ଗଣନାଟ୍ୟରେ ସୁଯୋଗ ପାଇଲେ । ଶିବାନୀରେ ସେ ଦୀର୍ଘ ୬ ବର୍ଷ ଅଭିନୟ କରିଥିଲେ । ପରେ ସେ ତୁଳସୀ,ଧଉଳି,ରଙ୍ଗ ମହଲ ଇତ୍ୟାଦି ଅପେରା ରେ ଅଭିନୟ କରିଥିଲେ।

ଜ୍ଞାନ ରଞ୍ଜନ ଙ୍କ ବ୍ୟଙ୍ଗାତ୍ମକ ଢ଼ଙ୍ଗରେ ସଂଳାପ ପରିବେଷଣ ଦର୍ଶକଙ୍କୁ ବେଶ୍ ଛୁଇଁ ଯାଉଥିଲା । ତାଙ୍କ ଅଭିନୀତ ବାଃ ବାଃରେ କ୍ୟାପିଟାଲ, ‘ଖରାପ ଝିଅର ଗପ’, ‘ଅସତୀ ତୁଳସୀ ସତି ଚଉରା’, ‘ମିଛୁଆ ରାଧୁଆ ଗପ ସରିଲା’, ‘ହାଟ ବସେଇଛି ହଟ ନାଗର’ଭଳି ୧୦୦ ରୁ ଅଧିକ ନାଟକରେ ସେ ନିଜ ଅଭିନୟର ନିଖୁଣ ନିଦର୍ଶନ ଦେଖାଇଛନ୍ତି । ତାଙ୍କର ବାଃ ବାଃରେ କ୍ୟାପିଟାଲ “ରାଉଡି ରାକା ” ଚରିତ୍ରର ଅଭିନୟ ଏବେ ବି ଦର୍ଶକଙ୍କ ସ୍ମରଣୀୟ ହୋଇ ରହିଛି। ଚଳିତ ବର୍ଷ ସେ କଳିଙ୍ଗ ଗଣନାଟ୍ୟ ପାଇଁ ଚୁକ୍ତିବଦ୍ଧ ହୋଇଥିବା ବେଳେ ତାଙ୍କର ଦୁଃଖଦ ବିୟୋଗ ସମସ୍ତଙ୍କୁ ମର୍ମାହତ କରିଛି ।ନିକଟରେ ଯାତ୍ରା କଳାକାର ଙ୍କ ଦେହାନ୍ତ ଯାତ୍ରାପ୍ରେମୀଙ୍କ ମନରୁ ନଲିଭୁଣୁ ପୁଣି ଜଣେ କଳାକାରଙ୍କ ଅକାଳ ବିୟୋଗ ଯାତ୍ରା ଜଗତରେ ଶୋକର ଛାୟା ଖେଳାଇ ଦେଇଛି।

Leave a Reply

Your email address will not be published. Required fields are marked *