ଢେଙ୍କାନାଳ,୦୫/୦୧/୨୦୨୬ (ଓଡ଼ିଶା ସମାଚାର)- ଢେଙ୍କାନାଳ ମହୋତ୍ସବ ୨୦୨୬ ନିମନ୍ତେ ଆଜି ସକାଳେ କପିଳାସରେ ଜ଼ିଲ୍ଲା ପ୍ରଶାସନ ତରଫରୁ ଏକ ବିଶାଳ ମଶାଲ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା।

ଏହି ମହୋତ୍ସବ ଜାନୁଆରୀ ୨୦ ରୁ ୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।
ଜିଲ୍ଲାର ସମସ୍ତ ଆଠଟି ବ୍ଲକର ସାଂସ୍କୃତିକ ଦଳ ସେମାନଙ୍କର ସୁନ୍ଦର ଭାବରେ ସଜ୍ଜିତ ରଥ ସହିତ ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିବା ସହ ଏହି କାର୍ଯ୍ୟକ୍ରମରେ ଏକ ଉଲ୍ଲାସପୂର୍ଣ୍ଣ ଏବଂ ଉତ୍ସବମୁଖୀ ପରିବେଶ ସୃଷ୍ଟି କରିଥିଲେ।
ଶୋଭାଯାତ୍ରାର ପ୍ରାରମ୍ଭ ପବିତ୍ର କପିଳାସ ମନ୍ଦିରରେ ପାରମ୍ପରିକ ପୂଜା ଏବଂ ମଶାଲ ପ୍ରଜ୍ଜ୍ୱଳନ ସହିତ ହୋଇଥିଲା।

ଏହାପରେ ନିରୁପମା ହୋଟେଲ ନିକଟସ୍ଥ ମୁଖ୍ୟ କାର୍ଯ୍ୟକ୍ରମ ମଞ୍ଚକୁ ମଶାଲକୁ ନିଆଯାଇଥିଲା। ସମସ୍ତ ସାଂସ୍କୃତିକ ଦଳ ଏବଂ ଉପସ୍ଥିତ ଜନସାଧାରଣ ବଡ ଆଡମ୍ବରର ସହ ଏଇ ଶୋଭାଯାତ୍ରାରେ ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ମାନ୍ୟବର ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର; ମାନ୍ୟବର ସାଂସଦ, ଢେଙ୍କାନାଳ, ଶ୍ରୀ ରୁଦ୍ର ନାରାୟଣ ପାଣି; ମାନ୍ୟବର ବିଧାୟକ, କାମାକ୍ଷୟାନଗର, ଶ୍ରୀ ଶତ୍ରୁଘ୍ନ ଜେନା; ଅଧ୍ୟକ୍ଷl, ଜିଲ୍ଲା ପରିଷଦ, ଢେଙ୍କାନାଳ, ଶ୍ରୀମତୀ ଅର୍ଚ୍ଚନା ପୁହାଣ; ଜିଲ୍ଲାପାଳ ଶ୍ରୀ ଆଶିଷ ଇଶ୍ୱର ପାଟିଲ; ଆରକ୍ଷୀ ଅଧୀକ୍ଷକ ଶ୍ରୀ ଅଭିନବ ସୋନକର, ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ, ଶ୍ରୀ ଦୀପ୍ତି ରଂଜନ ସେଠୀ; ଉପଜ଼ିଲ୍ଲାପାଳ ଶ୍ରୀ ବିବୁଧ ଗଡ଼ନାୟକ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।
ସମାବେଶକୁ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀ ପାତ୍ର ପ୍ରାୟ ଏକ ଦଶନ୍ଧି ପରେ ମହୋତ୍ସବର ପୁନରୁଦ୍ଧାର ପାଇଁ ଖୁସି ପ୍ରକାଶ କରିଥିଲେ ଏବଂ ଜନସାଧାରଣଙ୍କ ଅଂଶଗ୍ରହଣକୁ ଆହ୍ୱାନ କରିଥିଲେ।
ଏହାପରେ ସମସ୍ତ ବିଡିଓମାନେ ସେମାନଙ୍କର ମଶାଲ ପ୍ରଜ୍ଜ୍ୱଳନ କରି ସେମାନଙ୍କ ବ୍ଲକକୁ ନେଇ ଢେଙ୍କାନାଳ ମହୋତ୍ସବର ଏକ ସଫଳ ଏବଂ ଉତ୍ସାହୀ ଆରମ୍ଭ କରିଥିଲେ।
