ନରସିଂହପୁର ବନାଞ୍ଚଳରେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ

୪ମାସରେ ମଲେଣି ୭ହାତୀ

ନରସିଂହପୁର, ୨୨/୦୪/୨୦୨୫ (ଓଡ଼ିଶା ସମାଚାର)- ନରସିଂହପୁର ପଶ୍ଚିମାଞ୍ଚଳର ବାଲିକିଆରୀ ବିଟର କୋହ୍ଲ ତାଇଲା ନିକଟରେ ଏକ ୩ ବର୍ଷର ଦନ୍ତାହାତୀର ମୃତ୍ୟୁ ଘଟିଛି ।ଦନ୍ତା ହାତୀର ପେଟଜନିତ ରୋଗରୁ ମୃତ୍ୟୁ ଘଟିଛି ବୋଲି  ଏସିଏଫ୍ ସୂଚନା ଦେଇଛନ୍ତି । ସୂଚନା ମୁତାବକ ନରସିଂହପୁର ପଶ୍ଚିମ ବନାଞ୍ଚଳ ଅନ୍ତର୍ଗତ ବାଲିକିଆରୀ ବିଟର କୋହ୍ଲ ତାଇଲା ନିକଟରେ ଏକ ୩ ବର୍ଷର ଦନ୍ତାହାତୀର ମୃତ୍ୟୁ ଘଟିଛି।

ଘଟଣା ସ୍ଥଳରେ ଆଠଗଡ଼ ଡ଼ିଏଫ ଓ ଯଜ୍ଞଦତ୍ତ ପତି, ଏସିଏଫ, ରେଞ୍ଜର ପ୍ରଦୀପ ନାୟକ, ଏବଂ ପ୍ରାଣୀ ଚିକିତ୍ସକ ପ୍ରମୁଖ ଉପସ୍ଥିତ ରହି ଦନ୍ତା ର ବ୍ୟବଚ୍ଛେଦ ପରେ ସେହିଠାରେ ପୋତିଥିଲେ। ଦନ୍ତା ର କୌଣସି କାରଣ ବଶତଃ ପେଟରେ ଯନ୍ତ୍ରଣା ହୋଇ ରୋଗାଗ୍ରସ୍ତ ହୋଇଥିବା ଜଣାପଡିବା ପରେ ବନ ବିଭାଗ ପକ୍ଷରୁ ତାହାର ଚିକିତ୍ସା କରାଯାଇଥିଲା ।

ହେଲେ ପରବର୍ତ୍ତୀ ସମୟରେ ତାର ମୃତ୍ୟୁ ହୋଇଥିଲା । ଏହି ବନାଞ୍ଚଳରେ ଗୋଟିଏ ପରେ ଗୋଟିଏ ହାତୀ ମୃତ୍ୟୁ ହୋଇଥିବା ବେଳେ ଆଠଗଡ ବନଖଣ୍ଡରେ ମଧ୍ୟ ହାତୀ ମୃତ୍ୟୁ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ମୃତ ଦନ୍ତାକୁ ମିଶାଇ ନରସିଂହପୁର ବନାଞ୍ଚଳରେ ଗତ ଚାରି ମାସ ମଧ୍ୟରେ ୭ଟି ହାତୀଙ୍କ ମୃତ୍ୟୁ ହୋଇ ସାରିଛି । କେତେବେଳେ ଶିକାରୀଙ୍କ ଦ୍ଵାରା ହାତୀ ମୃତ୍ୟୁ ହେଉଥିବା ବେଳେ ପୁଣି କେତେବେଳେ ଦୁର୍ଘଟଣା, ଅସୁସ୍ଥତା ଏବଂ ହାତୀ ହାତୀ ମଧ୍ୟରେ ଲଢେ଼ଇ ବୋଲି ଏମିତି ଅନେକ କାରଣ ବନ ବିଭାଗ କର୍ତ୍ତୃପକ୍ଷ ଦର୍ଶାଇ ଆସୁଛନ୍ତି ।

Leave a Reply

Your email address will not be published. Required fields are marked *