ଚିଲିକା ହ୍ରଦର ସାମଗ୍ରିକ ବିକାଶ ଉପରେ ଆଲୋଚନା

ଜୈବ ବିବିଧତା ଏବଂ ହ୍ରଦର ପୁନର୍ବିକାଶ ଉପରେ ଗୁରୁତ୍ୱ ଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର,୦୩/୦୧/୨୦୨୬(ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଏସିଆ ମହାଦେଶର ସର୍ବବୃହତ୍ କ୍ଷାରୀୟ ହ୍ରଦ ତଥା ରାମସାର ସାଇଟ ଭାବେ ସାରା ବିଶ୍ୱରେ ପରିଚିତ ଥିବା ଚିଲିକା ହ୍ରଦର ଜୈବ ବିବିଧତାର ସୁରକ୍ଷା ଏବଂ ପାରିପାଶ୍ୱିକ ଅଞ୍ଚଳର ବିକାଶ ନେଇ ଏକ ଆଲୋଚନା ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ବୈଠକରେ ଚିଲିକାର ବିକାଶ ନେଇ ଅନୁଷ୍ଠିତ ବୈଠକରେ ଯୋଗଦେଇ ମନ୍ତ୍ରୀ କହିଲେ ଯେ ଚିଲିକାର ମୁହାଣ ପୋତି ହେବା କାରଣରୁ ଚିଲିକାର ପାଣି ସମୁଦ୍ରକୁ ଠିକ୍ ଭାବେ ଯାଇପାରୁ ନଥିବା ବେଳେ ସମୁଦ୍ର ପାଣି ମଧ୍ୟ ଏହା ମଧ୍ୟକୁ ପ୍ରବେଶ କରିପାରୁ ନାହିଁ । ଫଳରେ ଚିଲିକା ଜଳର କ୍ଷାରୀୟତା ନଷ୍ଟ ହେଉଥିବା ବେଳେ ଜୈବ ବିବିଧତା ସନ୍ତୁଳନ ଠିକ୍ ରହୁନାହିଁ । ଏଥିଯୋଗୁଁ ବିଭିନ୍ନ ପ୍ରକାର ମାଛ ଏବଂ ସାମୁଦି୍ରକ ଜୀବ ସଂଖ୍ୟାର ଅନେକ ଫରକ ପରିଲକ୍ଷିତ ହେଉଛି । ତେଣୁ ଓଡ଼ିଶାର ଗର୍ବର ପ୍ରତୀକ ଚିଲିକା ହ୍ରଦର ପୁନରୁଦ୍ଧାର ଦିଗରେ କାର୍ୟ୍ୟ ଆରମ୍ଭ କରିବା ସହ ତୁରନ୍ତ ସବିଶେଷ ବୈଜ୍ଞାନିକ ତଥ୍ୟ ସଂଗ୍ରହ ସହ ଡିପିଆର ପ୍ରସ୍ତୁତ ଉପରେ ବିଭାଗୀୟ ଅଧିକାରୀ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଏବଂ ଆଇଆଇଟି ଚେନ୍ନାଇଙ୍କୁ ପରାମର୍ଶ ଦେଇଥିଲେ ।

ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଏବଂ ଆଇଆଇଟି ଚେନ୍ନାଇର ବରିଷ୍ଠ ଅଧିକାରୀଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଚିଲିକାର ଅବରୋଧ ହୋଇଥିବା ମୁହାଣ ଖନନ, ଏହାର କ୍ଷାରୀୟତା ବଜାୟ ରଖିବା, ପଙ୍କ ଉଦ୍ଧାର କରି ଜଳଧାରା କ୍ଷମତା ବୃଦ୍ଧି କରିବା, ଜୈବ ବିବିଧତାର ସୁରକ୍ଷା, ପାରିପାଶ୍ୱିକ ଅଞ୍ଚଳର ବିକାଶ ଓ ଚିଲିକା ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଥିବା ଅଧିବାସୀଙ୍କ ସ୍ୱାର୍ଥରକ୍ଷା ଉପରେ ଆଲୋଚନା ହୋଇଥିଲା । ଆଜିର ବୈଠକ ପରେ ଖୁବ୍‌ଶୀଘ୍ର ମୁଖ୍ୟମନ୍ତ୍ରୀଙ୍କୁ ଏଥିନେଇ ସ୍ପଷ୍ଟ ସୂଚନା ଦିଆଯିବା ସହ ଆଗାମୀ କାର୍ୟ୍ୟପନ୍ଥା ନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସୂଚନା ଦେଇଛନ୍ତି ।

ଏହି ବୈଠକରେ ସାଂସଦ ଡା. ସମ୍ବିତ୍ ପାତ୍ର, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା, ଆଇ.ଆଇ.ଟି ଚେନ୍ନାଇ ପ୍ରଫେସର ଡ. ନୀଳାଞ୍ଜନ ସାହା, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ମୁଖ୍ୟ କାର୍ୟ୍ୟନିର୍ବାହୀ ଶ୍ରୀ ୟୋଗାଜୟ ନନ୍ଦ ଏବଂ ଚିଲିକା ଡିଏଫଓ ଅମ୍ଳାନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
-୦-
ସୁଜିତ ରଞ୍ଜନ ସ୍ୱାଇଁ ,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *