ସିଦ୍ଧଳ ଠାରେ ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁ ଙ୍କ ରଥଯାତ୍ରା ଅନୁଷ୍ଠିତ।

ଜଗତସିଂହପୁର, ୧୬/୦୭/୨୦୨୬ (ଓଡ଼ିଶା ସମାଚାର)- ଆଜି ଜଗତସିଂହପୁର ଅନ୍ତର୍ଗତ ପବିତ୍ର ସିଦ୍ଧାଳୟ ପୀଠ ସିଦ୍ଧଳ ଗ୍ରାମରେ ଥିବା ମହାପ୍ରଭୁ  ଶ୍ରୀ ଶ୍ରୀ ବଳଦେବଜୀଉଙ୍କ  ପବିତ୍ର ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ଘୋଷଯାତ୍ରା ଅବସରରେ ପୂର୍ବରାତ୍ର ୪.୩୦ ମିନିଟ ସମୟରେ ମଙ୍ଗଳସ୍ମୃତି ପାଠ, ମଙ୍ଗଳ ଆଳତି, ୫.୩୦ ମିନିଟ୍ ସମୟରେ ସ୍ନାନାଦି ନିତ୍ୟକ୍ରିୟା ସଂପାଦନ, ୭.୩୦ ମିନିଟ ସମୟରେ ମଙ୍ଗଳାର୍ପଣ, ଦ୍ୱାରପାଳ ପୂଜା, ସୂର୍ଯ୍ୟପୂଜା, ପାକଶାଳା ପୂଜା, ବୈଷ୍ଣବାଗ୍ନି ସଂସ୍କାର,ଷୋଡଶ ଉପଚାର ପୂଜା, ମଧ୍ୟାହ୍ନ ୧୨ ଘଟିକା ସମୟରେ ମଧ୍ୟାହ୍ନ ଧୂପ, ୧୨.୩୦ ମିନିଟ ସମୟରେ ରଥପ୍ରତିଷ୍ଠା ଓ ପତାକାଲାଗି , ଅପରାହ୍ନ ୪ ଘଟିକା ସମୟରେ ପ୍ରଭୁଙ୍କ ପହଣ୍ଡି ବିଜେ, ରଥାରୋହଣ କାର୍ଯ୍ୟ ସମାପନ ହୋଇଥିଲା।ଅପରାହ୍ନ ୪.୩୦ ମିନିଟ ସମୟରେ ଠାକୁର ରାଜା  ଜଗତସିଂହପୁର ଜିଲ୍ଲାପାଳ ଶ୍ରୀ ଜେ. ସୋନାଲ ଯୋଗଦେଇ ରଥମାର୍ଜନା ଓ ଛେରାପହଁରା କରି ସମସ୍ତ ରୀତିନୀତି କାର୍ଯ୍ୟ ସମାପନ କରିଥିଲେ।

ପରେ ସର୍ବସାଧାରଣଙ୍କ ଭୋଗଲାଗି ପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ଜିଲ୍ଲାପାଳ ଶ୍ରୀ ଜେ. ସୋନାଲ ରଥଯାତ୍ରା ଅବସରରେ ଉପସ୍ଥିତ ଶ୍ରଦ୍ଧାଳୁ ମାନଙ୍କୁ ଶୁଭେଚ୍ଛା ଜଣାଇ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଜଗତସିଂହପୁରବାସୀଙ୍କ ଶୁଭ ମନାସୀ କହିଥିଲେ ଯେ ପ୍ରଭୁ ଜଗନ୍ନାଥ ସଦା ସର୍ବଦା ଜଗତସିଂହପୁରବାସୀଙ୍କୁ ସତ୍ୟ ଓ ନ୍ୟାୟ ପଥରେ ଅଗ୍ରସର କରାନ୍ତୁ । ଜିଲ୍ଲାପାଳ ସଦା ସର୍ବଦା ଜିଲ୍ଲା ପାଇଁ ଅନ୍ୟାୟ ଓ ଦୁର୍ନୀତି ବିରୋଧରେ ଲଢ଼ିବେ ବୋଲି କହିଥିଲେ। ଠାକୁର ରାଜା ଙ୍କ ସହ ରାଣୀ ତଥା ଜିଲ୍ଲାପାଳ ଙ୍କ ପତ୍ନି ମଧ୍ୟ ଶ୍ରଦ୍ଧାଳୁ ମାନଙ୍କ ଉଦ୍ଦେଶ୍ୟ ରେ ନିଜର ଶୁଭ ବାର୍ତ୍ତା ରଖି ମହାପ୍ରଭୁ ଙ୍କ ର ଏହି କୃପା ଲାଭ କରିଥିବାରୁ ନିଜକୁ ଭାଗ୍ୟବାନ ମଣିଥିଲେ । ତେବେ ଏହି ରଥଯାତ୍ରା ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଯୋଗଦେଇ ଚତୁର୍ଦ୍ଧାମୂର୍ତ୍ତିଙ୍କର ଦିବ୍ୟଦର୍ଶନ ଲାଭ କରିଥିଲେ।

ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ଅକ୍ଷୟ ପିଲ୍ଲେ, ମନ୍ଦିର ପରିଚାଳନା ଟ୍ରଷ୍ଟି ଉପଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି , ତହସିଲଦାର  ଜଗତସିଂହପୁର ଶ୍ରୀ ଅଜୟ କୁମାର ମହାନ୍ତି, ଆରକ୍ଷୀ ନିରୀକ୍ଷକ, ଜଗତସିଂହପୁର, ଜଗତସିଂହପୁର ପୌର ପରିଷଦର ନିର୍ବାହୀ ଅଧିକାରୀ  ଶ୍ରୀ ସନ୍ଦୀପ ସିଂହ, ଡେପୁଟି କଲେକ୍ଟର ଶ୍ରୀ ସୌମ୍ୟ ରଞ୍ଜନ ଦାସ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଗଣ, ଆରକ୍ଷୀ ବାହିନୀ,ମନ୍ଦିରର ମୁଖ୍ୟ ପୂଜାପଣ୍ଡା ଅରୁଣ କୁମାର ପଣ୍ଡା, ମୁଖ୍ୟ ପୁରୋହିତ ସୁରେନ୍ଦ୍ରନାଥ ଦାଶଶର୍ମା, ମନ୍ଦିର କମିଟି ର ସଭ୍ୟ ଓ କର୍ମକର୍ତ୍ତା ଅଭୟ କୁମାର ଦାଶ, ରାମଚନ୍ଦ୍ର ଦାଶ, କାଳିକିଙ୍କର ଆଚାର୍ଯ୍ୟ, ଲଷ୍ମୀନାରାୟଣ ସାମନ୍ତରାୟ, ପ୍ରଫୁଲ୍ଲ କୁମାର ସାହୁ, ଡାଃ ସୁରେନ୍ଦ୍ର ନାଥ ତ୍ରିପାଠୀ, ଚିତରଞ୍ଜନ ପଣ୍ଡା, ଜ୍ୟୋତିର୍ମୟୀ ମହାନ୍ତି, ଗଣ ମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗଦେଇଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା କେନ୍ଦ୍ର ଖୋଲାଯିବା ସହ ଉତ୍କଳ ପ୍ରସଙ୍ଗ, ଓଡିଶା ରିଭ୍ୟୁ ଓ ଜଗନ୍ନାଥ ଜଣାଣ ବିକ୍ରୟ କରାଯାଇଥିଲା ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *