ସୂଚନା ଓ ଲୋକ ସମ୍ପର୍କ ପରସ୍ପର ପରିପୂରକ

‘ନାଗରିକ କୈନ୍ଦ୍ରିକ ସେବା ପ୍ରଦାନରେ ସୂଚନା ଅଧିକାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’
ଭୁବନେଶ୍ୱର,୨୫/୦୭/୨୦୨୫(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ସୂଚନା ଓ ଲୋକ ସମ୍ପର୍କ ପରସ୍ପର ପରି ପୂରକ । ଜନସାଧାରଣଙ୍କୁ ସେବା ପ୍ରଦାନରେ ସୂଚନା ଅଧିକାରୀ ବା ଲୋକ ସଂପର୍କ ଅଧିକାରୀମାନଙ୍କ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଛି । ଲୋକ ସମ୍ପର୍କ ବୃଦ୍ଧି କରି ବିଭିନ୍ନ ବିଭାଗରୁ ସୂଚନା ପାଇବା ସହିତ ସୂଚନାକୁ ଜନ ସାଧାରଣଙ୍କ ନିକଟରେ ପହଂଚାଇବା ଏକ ପ୍ରମୁଖ ଆବଶ୍ୟକତା ।

ପଂଚାୟତିରାଜ, ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ , ପୂର୍ତ, ଗ୍ରାମ୍ୟ ଉନ୍ନୟନ, ରାଜସ୍ୱ, ଆଇନ୍, ଆଦି ବିଭିନ୍ନ ବିଭାଗରେ କରାଯାଉଥିବା ନାଗରିକ କୈନ୍ଦ୍ରିକ ସେବା ପ୍ରଦାନ ସମ୍ପର୍କିତ ସୂଚନା ଓ ଏହାର ପ୍ରଚାର ପ୍ରସାରରେ ସୂଚନା ଲୋକସମ୍ପର୍କ ଅଧିକାରୀମାନେ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି । ଏହି ପ୍ରୟାସ ଅଧିକ ବ୍ୟାପକ ଓ ସୁବ୍ୟବସ୍ଥିତ ହେବା ସମ୍ପର୍କରେ ନୂତନ ଭାବେ ଦାୟିତ୍ୱ ନେଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ପ୍ରକାଶ କରିଛନ୍ତି ।

ସୂଚନା ଓ ଲୋକସମ୍ପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶର୍ମା ବିଭାଗର ଦାୟିତ୍ୱ ଗ୍ରହଣ କରିବା ପରେ ଲୋକ ସଂପର୍କ ଭବନ ସ୍ଥିତ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟ ଯାଇ ପ୍ରଥମେ ବିଭାଗୀୟ ନିର୍ଦ୍ଧେଶକ ଓ ବରିଷ୍ଠ ପଦାଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ । ବିଭାଗର ନିର୍ଦ୍ଧେଶକ ଅନୂଜ କୁମାର ଦାସ ପଟ୍ଟନାୟକଙ୍କ ସମେତ ବିଭାଗର ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ନୂତନ ସଚିବଙ୍କୁ ସ୍ୱାଗତ କରିଥିଲେ । ଏହି ପରିପ୍ରେକ୍ଷୀରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶର୍ମା ବିଭାଗୀୟ ବରିଷ୍ଠ ଅଧିକାରୀ ଓ ସୂଚନା ସେବା ଅଧିକାରୀ ଓ କର୍ମଚାରୀମାନଙ୍କ ସହିତ ଅନୁଷ୍ଠିତ ଏକ ବୈଠକରେ ବିଭିନ୍ନ ପରାମର୍ଶ ଦେଇଥିଲେ ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶର୍ମା , ସୂଚନା ସେବା ଅଧିକାରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପର୍କରେ ମନେ ପକାଇ ଦେଇଥିଲେ । ସେ କହିଥିଲେ ଯେ, ସୂଚନା ପ୍ରଦାନ କରୁଥିବା ବିଭିନ୍ନ ବିଭାଗ, ସୂଚନାକୁ ସର୍ବସାଧାରଣରେ ପ୍ରକାଶନ ଓ ପ୍ରସାରଣ କରାଉଥିବା ଗଣମାଧ୍ୟମ ଓ ସୂଚନା ପାଉଥିବା ଜନସାଧାରଣ ଲୋକ ସମ୍ପର୍କ ବିଭାଗର ପ୍ରମୁଖ ଅଂଶୀଦାର । ଠିକ୍ ସମୟରେ ଓ ସଠିକ ସମ୍ବାଦ ପ୍ରେରଣ ଗୁରୁତ୍ୱ ପୂର୍ଣ୍ଣ । ସରକାରୀ ଯୋଜନା ଓ କାର୍ଯ୍ୟକ୍ରମଗୁଡିକୁ ବୈଦୁ୍ୟତିକ, ମୁଦ୍ରଣ ଓ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରଚାର ପ୍ରସାର ଉପରେ ସେ ଗୁରୁତ୍ୱ ଦେଇଥିଲେ ।

ବିଭିନ୍ନ ବିଭାଗର ମନ୍ତ୍ରୀ , ସଚିବ ଓ ଅନ୍ୟ ଅନୁଷ୍ଠାନରେ ନିୟୋଜିତ ସୂଚନା ଅଧିକାରୀମାନଙ୍କୁ ସେମାନଙ୍କର କାର୍ଯ୍ୟରେ ଅଭିନବତ୍ୱ ଆଣିବା ଲକ୍ଷ୍ୟରେ ବିଭିନ୍ନ ପରାମର୍ଶ ଦେଇଥିଲେ । ବିଭାଗର ଅନ୍ୟ ବିଭିନ୍ନ ଶାଖାର ଅଧିକାରୀମାନଙ୍କୁ ସେ ବିଭାଗୀୟ କାର୍ଯ୍ୟ ସୁଚାରୁରୂପେ ସଂପାଦନ କରିବା ସହ ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ପାରସ୍ପରିକ ସୁସମ୍ପର୍କ ଓ ସଦଭାବନା ସହ ସମ୍ମିଳିତ ଭାବେ କାର୍ଯ୍ୟ କରିବା, ବିଭାଗର ସୁନାମ ଓ ସମ୍ମାନ ବଜାୟ ରଖିବାକୁ ଆବଶ୍ୟକ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ସେ ବିଭାଗୀୟ ଅନ୍ୟ ବିଭିନ୍ନ କାର୍ଯ୍ୟ ସହିତ ସାମ୍ବାଦିକମାନଙ୍କ କଲ୍ୟାଣ ସଂପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ବୈଠକରେ ବିଭାଗର ନିର୍ଦ୍ଧେଶକ(ବୈଷୟିକ) ଗୁରବୀର ସିଂ, ଅତିରିକ୍ତ ଶାସନ ସଚିବ ବିଷ୍ଣୁପ୍ରିୟା ସାହୁଙ୍କ ସମେତ ଅନ୍ୟ ବିଭିନ୍ନ ଶାଖାର ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *