ମାହାଙ୍ଗା,୦୧/୦୧/୨୦୨୬( ଓଡିଶା ସମାଚାର /ଅଭୟ ଜେନା)- ନୂଆବର୍ଷକୁ ବିଭିନ୍ନ ଢଙ୍ଗରେ ଲୋକେ ପାଳନ କରୁଥିବା ବେଳେ, ଭୋଜି ଭାତ ନାଚ ଗୀତ ଏବଂ ସଭା ସମାବେଶ ଠାରୁ ଦୂରରେ ରହି ସମାଜର ସବୁଠାରୁ ତଳ ସ୍ତରରେ ରହୁଥିବା ଆଦିମ ଜନଜାତିର ଲୋକମାନଙ୍କୁ ଭେଟି ସେମାନଙ୍କ ସହିତ ନୂଆବର୍ଷ ପାଳନ କରିଥିଲେ ସଚେତନ ଯୁବକ ମାନେ ।
ମାହାଙ୍ଗା ବ୍ଲକ କୁହୁଣ୍ଡା ପଞ୍ଚାୟତର ବିଭିନ୍ନ ଆଦିବାସୀ ବସ୍ତିରେ ଦୀର୍ଘ ୬ ଦଶନ୍ଧିରୁ ଉର୍ଦ୍ଧ୍ଵ ସମୟ ଧରି ଖୋଲା ଆକାଶ ତଳେ ଝାଟିମାଟି କୁଡ଼ିଆରେ ଜୀବନ ଜୀଉଥିବା ପରିବାର ଗୁଡିକୁ ଭେଟି ସେମାନଙ୍କ ଭଲମନ୍ଦ ପଚାରି ବୁଝିଥିଲେ ସାମାଜିକକର୍ମୀ ଅଖିଳେଶ ମହାନ୍ତି ।
କଲ୍ୟାଣପୁର ଆଦିବାସୀ ବସ୍ତି, କୁମୁଡାହାଟ କେଳାସାହି ଏବଂ ହଂସଦିଆ ବାବାମଣିଙ୍କ ପୀଠ ନିକଟରେ ରହୁଥିବା ଅସହାୟ ବୃଦ୍ଧ, ବୃଦ୍ଧା, ରୋଗଗ୍ରସ୍ତ ବିଭିନ୍ନ ଲୋକମାନଙ୍କ ପାଖରେ ପହଂଚି ଥିଲେ ଏହି ସଚେତନ ଯୁବକମାନେ ।
ସାମାଜିକକର୍ମୀ ଅଖିଳେଶ ମହାନ୍ତିଙ୍କ ନେତୃତ୍ୱରେ ଯୁବ ସଂଗଠକ କ୍ଷୀରୋଦ ଦାଶ, ରାକେଶ ବିଶ୍ୱାଳ, ସୌମ୍ୟ ରଞ୍ଜନ ଦାସ, ମାନସ କୁମାର ବେହେରା, ଜିତେନ୍ଦ୍ର ସାହୁ,ମନୋରଞ୍ଜନ ଲେଙ୍କା, ସୋମନାଥ ସାମଲ, ତୁଷାରକାନ୍ତ ମହାନ୍ତି,ଅବଦୁଲ ହମିଦ ପ୍ରମୁଖ କୁହୁଣ୍ଡା ପଞ୍ଚାୟତର ୩ ଟି ଆଦିବାସୀ ବସ୍ତିରେ ପହଂଚି ଏହି ଜନଜାତିର ଦୁସ୍ଥ ଲୋକମାନଙ୍କୁ ଭେଟିଥିଲେ ।
ଅତ୍ୟନ୍ତ ନିରାଡ଼ମ୍ବର ଭାବେ ଜୀବନ ଯାପନ କରିଆସୁଥିବା ଏହି ଆଦିବାସୀ ଲୋକମାନେ ବେଶ ଖୁସି ଅନୁଭବ କରିବା ଦେଖିବାକୁ ମିଳିଥିଲା ।ବିକାଶ ଠାରୁ ବହୁ ପଛରେ ପଡ଼ିଥିବା ଏହି ଜନଜାତି ବସ୍ତିର ବୃଦ୍ଧ ବୃଦ୍ଧା ମାନଙ୍କୁ ନୂଆ ବର୍ଷରେ ଶୀତବସ୍ତ୍ର ଯୋଗାଇ ଦିଆଯାଇଥିବାରୁ,ଏଭଳି ମହତ କାର୍ଯ୍ୟକୁ ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଛନ୍ତି ।
