ଖଲ୍ଲିକୋଟ ୦୧/୦୧/୨୦୨୬(ଓଡ଼ିଶା ସମାଚାର)- ପବିତ୍ର ନବ ବର୍ଷ ଉପଲକ୍ଷେ ଖଲ୍ଲିକୋଟ ଅଞ୍ଚଳ ର ବିଭିନ୍ନ ପର୍ୟ୍ୟଟନ ସ୍ଥଳୀ ଓ ଆଧ୍ୟାତ୍ମିକ ସ୍ଥାନ ମାନଙ୍କ ରେ ଲୋକ ମାନଙ୍କର ପ୍ରବଳ ଭିଡ଼ ଅନୁଭୂତ ହୋଇଥିଲା । ମୁଖ୍ୟତଃ ଖଲ୍ଲିକୋଟ ସହର ରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିର , ବାଲୁକେଶ୍ୱର ମନ୍ଦିର, ଅମରେଶ୍ୱର ମନ୍ଦିର ଓ ରାମ ମନ୍ଦିର ଓ ଖୋର୍ଦ୍ଧା ଗଞ୍ଜାମ ସୀମା ରେ ଥିବା ନାରାୟଣୀ ମନ୍ଦିର ଓ ଝାଡ଼େଶ୍ୱର ମନ୍ଦିର ପଭୃତି ଆଧ୍ୟାତ୍ମିକ ସ୍ଥଳୀ ମାନଙ୍କ ରେ ଜୀଉ ମାନଙ୍କୁ ଦର୍ଶନ କରି ଆଗାମୀ ନବ ବର୍ଷ ହର୍ଷ ଉଲ୍ଲାଷ ଓ ସୁଖ ଶାନ୍ତି ରେ ବିତିବା ପାଇଁ କାମନା କରିଥିଲେ ।
ଖଲ୍ଲିକୋଟ ମାରୁଆ ପାହାଡ଼ ରେ ଥିବା ଅଧିଷ୍ଠାତ୍ରୀ ଦେବୀ ବନ ଦୁର୍ଗା ଙ୍କ ପୀଠ ରେ ହୋମ ଯଜ୍ଞ ସାଙ୍ଗକୁ ନାମ ସଂକୀର୍ତନ କରାଯାଇଥିଲା । ଖଲ୍ଲିକୋଟ ଏନ ଏ ସି ର ୪ ନମ୍ବର କାଉନସିଲର ଦିବ୍ୟାଙ୍ଗ ବଳରାମ ବେହେରା ଙ୍କ ପ୍ରଚେଷ୍ଟା ରେ ଗତ ୨୦୦୯ ମସିହା ରେ ଏହି ପରିବେଶ ପର୍ୟ୍ୟଟନ ସ୍ଥଳକୁ ପୁନରୁଦ୍ଧାର କରି ଏକ ନିମ ଗଛ ମୂଳେ ଥିବା ଠାକୁରାଣୀ ଙ୍କ ମୂର୍ତ୍ତି କୁ ଏକ ଛୋଟ ମନ୍ଦିର ନିର୍ମାଣ କରି ସ୍ଥାପନ କରି ପ୍ରତିଷ୍ଠା କରିଥିଲେ । କାଳକ୍ରମେ ଉକ୍ତ ପରିବେଶ ପର୍ୟ୍ୟଟନ ସ୍ଥଳୀ ରେ ପିକନିକ କରିବା ପାଇଁ ଭିଡ଼ ଲାଗିଥିଲା । ରାଜ୍ୟ ସରକାରଙ୍କ ମିଳିଥିବା ଅନୁଦାନ ରେ ମା ଙ୍କ ଭବ୍ୟ ମନ୍ଦିର ନିର୍ମାଣ ହୋଇଥିଲା ।
ଜଗନ୍ନାଥ ମନ୍ଦିର ମା ବହୁତୀ ମନ୍ଦିର ଓ ଖଲ୍ଲିକୋଟ ସରକାରୀ ଚାରୁ ଓ କରୁ କଳା ମହାବିଦ୍ୟାଳୟ ନିକଟରେ ଥିବା ମାରୁଆ ପାହାଡ଼ ର ଘଞ୍ଚ ସବୁଜ ବନାନୀ ର କ୍ରୋଡ଼ ଦେଶ ରେ ଏହି ମନ୍ଦିର ସ୍ଥାପନ ହୋଇଛି । ପାହାଡ଼ ର ମେଖଳା ରେ ଥିବା ଏହି ମନ୍ଦିର ଉପରକୁ ଯିବା ପାଇଁ ବଦାନ୍ୟ ବ୍ୟକ୍ତି ଙ୍କ ସହାୟତା ରେ ୬୫ ଗୋଟି ପାହାଚ ନିର୍ମାଣ ହୋଇଥିଲେ ମଧ୍ୟ ଆବଶ୍ୟକ ଅର୍ଥ ଅଭାବ ରୁ ପାହାଚ ନିର୍ମାଣ କାର୍ୟ୍ୟ ଅସମ୍ପୂର୍ଣ ରହିଛି । ତେବେ ଏହି ପର୍ୟ୍ୟଟନ ସ୍ଥଳୀ ର ବିକାଶ ରେ ଜଙ୍ଗଲ ବିଭାଗ ପ୍ରତିବନ୍ଧକ ସୃଷ୍ଟି କରୁଛି । ତେଣୁ ଗଞ୍ଜାମ ଜିଲ୍ଲପାଳ ଓ ରାଜ୍ୟ ପର୍ୟ୍ୟଟନ ବିଭାଗ ପକ୍ଷରୁ ଏହି କ୍ଷୁଦ୍ର ପରିବେଶ ପର୍ୟ୍ୟଟନ ସ୍ଥଳୀ ର ବିକାଶ ପାଇଁ ଆବଶ୍ୟକ ଅନୁଦାନ ପ୍ରଦାନ କରାଗଲେ ଖଲ୍ଲିକୋଟ ସହର ପର୍ୟ୍ୟଟନ ମାନଚିତ୍ର ରେ ଆଉ ଏକ ସୁନ୍ଦର ପର୍ୟ୍ୟଟନ ସ୍ଥଳୀ ଯୋଡି ହୋଇ ପାରିବ ବୋଲି ପର୍ୟ୍ୟଟନ ପ୍ରେମୀ ବୁଦ୍ଧିଜୀବୀ ମାନଙ୍କ ପକ୍ଷରୁ ଗଞ୍ଜାମ ଜିଲ୍ଲପାଳ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।
