ଚାଷୀ ସଚେତନତା ନିମନ୍ତେ ବୁଲିଲା ପ୍ରଚାର ରଥ

ଯାଜପୁର, ୨୯/୧୨/୨୦୨୫ (ଓଡ଼ିଶା ସମାଚାର)-  ଆଜି ଜିଲ୍ଲା ପ୍ରଶାସନ ଯାଜପୁର ଓ ନିୟନ୍ତ୍ରିତ ବଜାର କମିଟି ଯାଜପୁର ଆନୁକୁଲ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଦୁଇଗୋଟି ଚାଷୀ ସଚେତନତା ରଥକୁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ତଥା ନିୟନ୍ତ୍ରିତ ବଜାର କମିଟି ଅଧ୍ୟକ୍ଷ ଶ୍ରୀ ଶିବାନନ୍ଦ ସ୍ୱାଇଁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୋଗାଣ ଅଧିକାରୀ ଦିଲ୍ଲୀପ କୁମାର ପାଣିଗ୍ରାହୀ, ଉପ-ନିବନ୍ଧକ ସମବାୟ ସମିତି ସମୂହ ଅମୁଲ୍ୟ କୁମାର ସେଠୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ କୃଷ୍ଣଚନ୍ଦ୍ର ନାୟକ, ସମବାୟ ସମିତି ସମୂହର ସହ-ଉପନିବନ୍ଧକ କିଶୋର ଚନ୍ଦ୍ର ଦଳେଇ ଉପସ୍ଥିତ ଥିଲେ।

ଏହି ସଚେତନତା ରଥ ଜିଲ୍ଲାର ୧୦ ଗୋଟି ବ୍ଲକ୍ ପରିକ୍ରମା କରି ଧାନର ଏଫ୍.ଏ.କ୍ୟୁୁ ମାନ ଏବଂ ଧାନରେ ମିଶ୍ରିତ ବାହ୍ୟ ନିକୃଷ୍ଟ ପଦାର୍ଥ ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରାଇବ। ଚଳିତ ଖରିଫ ବର୍ଷ ୨୦୨୫-୨୬ ନିମନ୍ତେ ପଞ୍ଜିକୃତ ଚାଷୀଭାଇ ଓ ଭଉଣୀ ମାନଙ୍କଠାରୁ ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନ କ୍ରୟ କରାଯିବ। ଚଳିତ ବର୍ଷ ଧାନ କ୍ରୟ ପାଇଁ ପଞ୍ଜୀକୃତ ହୋଇଥିବା ଚାଷୀମାନଙ୍କ ମୋବାଇଲ ନମ୍ବର ଜରିଆରେ ଚାଷୀମାନଙ୍କୁ ସେମାନଙ୍କର ବିକ୍ରିଯୋଗ୍ୟ ଧାନ ସହ ମଣ୍ଡିରେ ଉପସ୍ଥିତ ରହିବା ପାଇଁ ବାର୍ତ୍ତା (ଅଗ୍ରୀମ ଟୋକନ) ପ୍ରେରଣ କରାଯିବ, ଯାହାକି ୩୦ ଦିନ ବୈଧ ରହିବ। ଅଗ୍ରୀମ ଟୋକନ ପାଇବା ପରେ ପ୍ରାଥମିକ କୃଷି ସମବାୟ ସମିତି କିମ୍ବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିବେ।

ଚଳିତ ବର୍ଷ ଟୋକନରେ ଦିଆଯାଇଥିବା ଦିନ ଓ ପରିମାଣର ଧାନ ନେଇ ଆସିଥିବା ଚାଷୀମାନଙ୍କଠାରୁ କ୍ରମାନ୍ୱୟରେ ଧାନ କ୍ରୟ କରାଯିବ। ଚାଷୀ ଭାଇ ଭଉଣୀମାନେ ନାମ ପଞ୍ଜିକରଣ ସମୟରେ ଦେଇଥିବା ଆଧାର ପରିଚୟ ପତ୍ର ଓ ପ୍ରାପ୍ତ ହୋଇଥିବା ଟୋକନ ଆଣିବେ। ରେଜିଷ୍ଟ୍ରିଭୁକ୍ତ ଚାଷୀ ଭାଇ ଓ ଭଉଣୀମାନେ ସେମାନଙ୍କର ପଞ୍ଜୀକୃତ ମୋବାଇଲ ନମ୍ବରରୁ ଟୋଲ ଫ୍ରି ନମ୍ବର ୧୯୬୭ ଡାଏଲ କରି ସେମାନଙ୍କ ଯାଞ୍ଚକୃତ ଜମିର ପରିମାଣ, ଟୋକନର ବିବରଣୀ ଏବଂ ଦେୟର ବିବରଣୀ ଜାଣିପାରିବେ। ଏତଦ୍ ବ୍ୟତୀତ ବ୍ଲକ ଓ ତହସିଲ କାର୍ଯ୍ୟାଳୟ, ଜିଲ୍ଲାର ପ୍ରମୁଖ ସ୍ଥାନମାନଙ୍କରେ ହୋର୍ଡିଂ ଲଗାଯାଇଛି। ରଥ ପରିକ୍ରମଣ ସମୟରେ ଚାଷୀମାନଙ୍କୁ ଲିଫଲେଟ ବଣ୍ଟନ କରାଯାଉଛି। ଏହାସହ ଜିଲ୍ଲାରେ ଧାନ ସଂଗ୍ରହ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି।ଆସନ୍ତା ଜାନୁଆରୀ ୭ ତାରିଖ ଠାରୁ ଜିଲ୍ଲାର ୧୩୯ ଟି ପ୍ରାଥମିକ କୃଷି ସମବାୟ ସମିତି ଓ ୪୨ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଜରିଆରେ ଚାଷୀ ମାନଙ୍କ ଠାରୁ ଧାନ କ୍ରୟ କରାଯିବ।

Leave a Reply

Your email address will not be published. Required fields are marked *