ନିମାପଡ଼ାର ପୁରପଲ୍ଲୀରେ ମହାଶିବରାତ୍ରି ପାଳିତ

ନିମାପଡ଼ା,୨୭/୦୨/୨୦୨୫ (ଓଡ଼ିଶା ସମାଚାର)-ପୁରୀଜିଲ୍ଲା ନିମାପଡ଼ାର ପୁରପଲ୍ଲୀରେ ମହାଶିବରାତ୍ରି ଶ୍ରଦ୍ଧା,ଭକ୍ତି ତଥା ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଓଁ ନମଃ ଶିବାୟ, ହରହର ମହାଦେବ, ଜୟ ଶିବଶମ୍ଭୁ ଧ୍ଵନିରେ ପ୍ରକମ୍ପିତ ହୋଇଛି ଚତୁର୍ଦ୍ଦିଗ। ସକାଳୁ ଶ୍ରଦ୍ଧାଳୁମାନେ ଶୈବପୀଠମାନଙ୍କରେ ମହାଦେବ ଙ୍କ ଦର୍ଶନକରି ସନ୍ଧ୍ୟାରେ ଜାଗର ଦୀପ ଜଳାଇ ଦେବଦେବ ମହାଦେବଙ୍କୁ ଆରଧନା କରିଥିଲେ।

ସମଗ୍ର ପରିବେଶ ହୋଇଯାଇଥିଲା ଶିବମୟ।ଏହି ଅବସରରେ କୁଶଭଦ୍ରା ନଦୀ ତଟରେ ଅବସ୍ଥିତ ମହାପ୍ରଭୁ ସିଦ୍ଧେଶ୍ୱର, ଅଣ୍ଢିଆଶାସନର ରାମେଶ୍ୱର,ପାଟପୁରସ୍ଥିତ ଲୋକନାଥ, ବାବା କପିଳେଶ୍ୱର, ହାଟବଜାରସ୍ଥିତ ପୁର୍ଣ୍ଣେଶ୍ୱର, ଅଣ୍ଢିଆ ସାହିର ବାଲୁଙ୍କେଶ୍ୱର ମହାଦେବ, ଧଳେଶ୍ୱରସ୍ଥିତ ବାବା ଧବଳେଶ୍ୱର, କୁଆଁସର ନୀଳକଣ୍ଠେଶ୍ଵର ମହାଦେବଙ୍କ ପୀଠମାନଙ୍କରେ ଜାଗରଯାତ୍ରା ଅନୁଷ୍ଠିତ ହୋଇଥିଲା।

ଅହୋରାତ୍ର ନାମ ସଂକୀର୍ତନ, ଭଜନ, ପ୍ରବଚନ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ମନ୍ଦିରମାନଙ୍କରେ ଶ୍ରଦ୍ଧାଳୁମାନଙ୍କର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ହଜାର ହଜାର ସଂଖ୍ୟକ ଭକ୍ତମାନଙ୍କର ଭିଡ଼କୁ ଲକ୍ଷ୍ୟ ରଖି ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ନିମାପଡ଼ା ଥାନା ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ଜନଗହଳିର ସୁଯୋଗ ନେଇ ଚୋରି, ରାହାଜାନିର ଭୟ ଥିବାରୁ ପୋଲିସ ପକ୍ଷରୁ ରାତିସାରା ପେଟ୍ରୋଲିଂ କଡାକଡି କରାଯାଇଥିଲା। ମଧ୍ୟରାତ୍ରରେ ମନ୍ଦିରମାନଙ୍କ ରେ ମହାଦୀପ ଉଠିଥିଲା। ଯେଉଁ ଭକ୍ତମାନେ ମାନସିକ ରଖି ଦୀପ ଲଗାଇ ବସିଥିଲେ ମହାଦୀପ ଉଠିବା ପରେ ପ୍ରସାଦ ପାଇ ବ୍ରତ ସମାପନ କରିଥିଲେ।

Leave a Reply

Your email address will not be published. Required fields are marked *