କଟକ,୨୨/୦୧/୨୦୨୬ (ଓଡ଼ିଶା ସମାଚାର)- ଏକ ମ୍ୟୁଟେସନ୍ ମାମଲାରେ ରିପୋର୍ଟ ଦାଖଲ କରିବା ପାଇଁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ କଟକ ସଦର ତହସିଲ କଖାଡି ସର୍କଲର ଆରଆଇ (ରାଜସ୍ବ ନିରୀକ୍ଷକ) ଜାନକୀ ରଞ୍ଜନ ମଲ୍ଲିକ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି ।
ଆଜି ଗୁରୁବାର କଟକ ସଦର ତହସିଲ ଅନ୍ତର୍ଗତ କଖାଡି ସର୍କଲର ରାଜସ୍ୱ ନିରୀକ୍ଷକ ଜାନକୀ ରଞ୍ଜନ ମଲ୍ଲିକ ଏକ ମ୍ୟୁଟେସନ୍ ମାମଲାରେ ଜଣେ ଜମି ମାଲିକଙ୍କ ସପକ୍ଷରେ ଅନୁକୂଳ ରିପୋର୍ଟ ଦାଖଲ କରିବା ପାଇଁ ୧୦,୦୦୦ ଟଙ୍କା ଲାଞ୍ଚ ନେଉଥିଲେ। ସେହି ସମୟରେ ଭିଜିଲାନ୍ସ ଦ୍ୱାରା ତାଙ୍କୁ ଗିରଫ କରାଯାଇଛି। ଜମି ମାଲିକ ଜମି ମ୍ୟୁଟେସନ୍ ପାଇଁ ଅନଲାଇନରେ ଆବେଦନ କରିଥିଲେ। କିନ୍ତୁ, ଅଭିଯୁକ୍ତ ଆରଆଇ ୨୭ରେ ମ୍ୟୁଟେସନ୍ ମାମଲାର ଶୁଣାଣି ପାଇଁ ତାରିଖ ସ୍ଥିର କରିଥିଲେ ଏବଂ ଜମି ମାଲିକଙ୍କୁ ୨୦ ତାରିଖରେ ଆରଆଇ କାର୍ୟ୍ୟାଳୟରେ ହାଜର ହେବାକୁ କହିଥିଲେ।
ଯେତେବେଳେ ଜମି ମାଲିକ ୨୦ରେ ଆରଆଇ ଶ୍ରୀ ମଲ୍ଲିକଙ୍କୁ ଭେଟିଥିଲେ, ମଲ୍ଲିକ ମ୍ୟୁଟେସନ୍ ମାମଲାରେ ଅନୁକୂଳ ରିପୋର୍ଟ ଦାଖଲ କରିବା ପାଇଁ ତାଙ୍କଠାରୁ ୧୦,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ହେଲେ ଜମି ମାଲିକ ଲାଞ୍ଚ ଦେବାକୁ ଅସମର୍ଥ ଥିବା ପ୍ରକାଶ କରିଥିଲେ। କିନ୍ତୁ ରାଜସ୍ୱ ନିରୀକ୍ଷକ ଶ୍ରୀ ମଲ୍ଲିକ ୧୦,୦୦୦ ଟଙ୍କା ନେବାକୁ ଜିଦ୍ ଧରିଥିଲେ। ଅନ୍ୟ କୌଣସି ଉପାୟ ନପାଇ, ଜମି ମାଲିକ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଭିଜିଲାନ୍ସର ଏକ ଟିମ୍ ଆରଆଇଙ୍କୁ ତାଙ୍କ କାର୍ୟ୍ୟାଳୟରେ ଜମି ମାଲିକଙ୍କଠାରୁ ୧୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଗିରଫ କରିଥିଲେ। ଅଭିଯୁକ୍ତ ଆରଆଇଙ୍କ ନିକଟରୁ ସମସ୍ତ ଲାଞ୍ଚ ଲାଞ୍ଚ ଟଙ୍କା ଉଦ୍ଧାର କରାଯିବା ସହିତ ରାସାୟନିକ ପରୀକ୍ଷା କରାଯାଇଛି।
