ଭୁବନେଶ୍ବର / ବାଙ୍ଗିରିପୋଷି / ବାରିପଦା, ୨୪/୦୧/୨୦୨୪ (ଓଡ଼ିଶା ସମାଚାର)- ମୟୁରଭଞ୍ଜ ଜିଲା ୪୯ ନମ୍ବର ଜାତୀୟ ରାଜପଥର ବାଙ୍ଗିରିପୋଷି ଦ୍ୱାରଶୁଣି ଘାଟିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୬ ଜଣ ପ୍ରାଣ ହରାଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛିନ୍ତି।
ମିଳିଥିବା ସୂଚନା ଅନୁସାରେ ୩ ରାତି ଯାତ୍ରା ପରିବେଷଣ କରି ଧଉଳି ଗଣନାଟ୍ୟର ଟ୍ରକ୍ ମୟୂରଭଞ୍ଜ ରାଇରଙ୍ଗପୁରରୁ ବାଲେଶ୍ୱରର ଜଳେଶ୍ୱର ଅଭିମୁଖେ ଯାଉଥିଲା ବେଳେ ୪୯ ନମ୍ବର ଜାତୀୟ ରାଜପଥର ବାଙ୍ଗିରିପୋଷି ଦ୍ୱାରଶୁଣି ଘାଟିରେ ଟ୍ରକଟି ଘାଟିରୁ ଓହ୍ଲାଇବା ବେଳେ ଶେଷ ବାଙ୍କରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଟ୍ରକର ଇଞ୍ଜିନ ରାସ୍ତା ଉପରେ ଥିବା ବେଳେ ଡାଲା ତଳକୁ ଖସି ପଡ଼ିଥିଲା। ଫଳରେ ଡଲାରେ ଲାଇଟ୍ ଓ ସାଉଣ୍ଡ ସରଞ୍ଜାମ ଥିବା ବଡ଼ ବଡ଼ ବାକ୍ସ ସବୁ ତଳକୁ ଖସି ଚୂରମାର ହୋଇ ଯାଇଥିଲା। ବାକ୍ସ ଉପରେ ବସିଥିବା ଲୋକେ ତଳେ ଚାପିହୋଇ ଯାଇଥିଲେ। ଖବର ପାଇ ପୁଲିସ ଓ ଦମକଳବାହିନୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କଲା ବେଳକୁ ୪ ଜଣଙ୍କ ମୃତ୍ୟୁ ହୋଇ ସାରିଥିଲା। ଡାକ୍ତରଖାନରେ ଆଉ ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ୬ ଜଣ ଗୁରୁତର ଆହତଙ୍କ ଚିକିତ୍ସା ଚାଲିଛି। ତେବେ ଆଉ ଜଣେ ଦୁଇଜଣ ଏବେ ବି ତଳେ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି। କୋହଲା ପାଗ ଓ ଲଗାଣ ବର୍ଷା ଯୋଗୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଛି। ପୁଲିସ ମୃତକଙ୍କ ପରିଚୟ ପାଇଁ ସଂପୃକ୍ତ ଯାତ୍ରା ପାର୍ଟି କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରୁଛି। ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଜଣାପଡିଛି। ଦୁର୍ଘଟଣା ପରେ ଆହତ ମାନଙ୍କୁ ଉଦ୍ଧାର କରି ନିକଟସ୍ଥ ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ବାଙ୍ଗିରିପୋଷି ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ଲୋକମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ବାଙ୍ଗିରିପୋଷି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ ସହ ସ୍ଥିତି ନିୟନ୍ତ୍ରଣ କରୁଛି।