ବୁର୍ଲା, ଭିମସାରରେ ଅତ୍ୟାଧୁନିକ ସୁବିଧା ଗୁଡ଼ିକର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ

ଡାକ୍ତରଙ୍କ ହସ ଓ ଆଶ୍ୱାସନା ହିଁ ରୋଗୀକୁ ପ୍ରକୃତରେ ସୁସ୍ଥ କରିଥାଏ – ଧର୍ମେନ୍ଦ୍ର ପ୍ରଧାନ

  • ୩ ଟେସଲା ଏମଆରଆଇ କକ୍ଷର ଉଦଘାଟନ କରିବା ସହ ୮୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ନବଜାତ ଶିଶୁ ଯତ୍ନ କେନ୍ଦ୍ର(ଏନଏନସିୟୁ) ଭବନ ଉଦଘାଟିତ
  • ଏହି ସବୁ ଆଧୁନିକ ଜ୍ଞାନକୌଶଳ ବ୍ୟବହାର ଦ୍ୱାରା ଚିକିତ୍ସା ବ୍ୟବସ୍ଥାରେ ଗୁଣାତ୍ମକ ପରିବର୍ତ୍ତନ ଆସିବ
  • ଭିମସାରର ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାର ପାଖାପାଖି ୧୬୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଥିବାରୁ ଧନ୍ୟବାଦ
  • ରୋଗର ଚିକିତ୍ସା ଅପେକ୍ଷା ରୋଗର ପ୍ରତିରୋଧ ହିଁ ଡାକ୍ତରଙ୍କ ମୁଖ୍ୟ ଲକ୍ଷ୍ୟ ହେବା ଆବଶ୍ୟକ
  • ଖୁବ ଶୀଘ୍ର ଭିମସାରରେ ନୂଆ ସୁଶାସନ ମଡେଲ, ନିଯୁକ୍ତି ପଲିସି, ପରୀକ୍ଷା ପଲିସି ଅଟୋନୋମୋସ ମାଧ୍ୟମରେ ହେବ
  • ସାଧାରଣ ଜନତାଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଆମେ ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ

ବୁର୍ଲା, ସମ୍ବଲପୁର, ୨୭/୧୨/୨୦୨୫ (ଓଡ଼ିଶା ସମାଚାର)- ଜଣେ ଡାକ୍ତରଙ୍କ ହସ ଓ ଆଶ୍ୱାସନା ହିଁ ରୋଗୀକୁ ପ୍ରକୃତରେ ସୁସ୍ଥ କରିଥାଏ ବୋଲି ଶନିବାର ବୁର୍ଲା, ଭିମସାରରେ ଅତ୍ୟାଧୁନିକ ସୁବିଧା ଗୁଡ଼ିକର ଲୋକାର୍ପଣ ସହ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଆଜି ଭିମସାରରେ ପ୍ରଥମେ ୩ ଟେସଲା ଏମ.ଆର.ଆଇ କକ୍ଷର ଉଦଘାଟନ କରିବା ସହ ୮୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ନବଜାତ ଶିଶୁ ଯତ୍ନ କେନ୍ଦ୍ର(ଏନଏନସିୟୁ) ଭବନର ଉଦଘାଟନ କରିଥିଲେ । ସେ କହିଛନ୍ତି, ଏମଆରଆଇ ମେସିନ ଦ୍ୱାରା ରୋଗୀଙ୍କର ଅତି ସୂକ୍ଷ୍ମ ପରୀକ୍ଷା ଓ ସଠିକ୍ ରୋଗ ନିରୂପଣ ସହଜ ହୋଇପାରିବ । ନବଜାତ ଶିଶୁମାନଙ୍କ ପାଇଁ ଯତ୍ନ କେନ୍ଦ୍ର ଶିଶୁ ମୃତ୍ୟୁ ହାର ହ୍ରାସ କରିବା ସହ ନବଜାତଙ୍କୁ ଜରୁରୀକାଳୀନ ଚିକିତ୍ସା ଯୋଗାଇବାରେ ସହାୟକ ହେବ । ଏହି ସବୁ ଆଧୁନିକ ଜ୍ଞାନକୌଶଳ ବ୍ୟବହାର ଦ୍ୱାରା ଚିକିତ୍ସା ବ୍ୟବସ୍ଥାରେ ଗୁଣାତ୍ମକ ପରିବର୍ତ୍ତନ ଆସିବ । ସାଧାରଣ ଜନତାଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଆମେ ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ ।

ଭିମସାରରେ ଆୟୋଜିତ ସାଂସ୍କୃତିକ ମହାକୁମ୍ଭ ଲୁମିଭକ୍ସ- ୨୦୨୫ରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ଲୁମିଭକ୍ସ ଜ୍ଞାନ, ସେବା ଏବଂ ସଂସ୍କୃତିର ଏକ ଅପୂର୍ବ ସଙ୍ଗମ । ଗରିବ ଲୋକମାନଙ୍କର ଚିକିତ୍ସାର କେନ୍ଦ୍ର ହେଉଛି ଭିମସାର । ଆଜିର ଯୁଗରେ ଅତ୍ୟାଧୁନିକ ମେସିନ ସଠିକ୍ ରୋଗ ନିରୂପଣ କରୁଛି, କିନ୍ତୁ ଜଣେ ଡାକ୍ତରଙ୍କ ହସ ଓ ଆଶ୍ୱାସନା ହିଁ ରୋଗୀକୁ ପ୍ରକୃତରେ ସୁସ୍ଥ କରିଥାଏ । ଆମର ଲକ୍ଷ୍ୟ କେବଳ ରୋଗ ହେବା ପରେ ଚିକିତ୍ସା କରିବା ନୁହେଁ, ବରଂ ରୋଗକୁ ରୋକିବା । ଡାକ୍ତରମାନେ ସଶକ୍ତ ହେଲେ ହିଁ ସମାଜ ସଶକ୍ତ ହେବ ।

ଭିମସାରର ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାର ପାଖାପାଖି ୧୬୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଥିବାରୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇବା ସହ କହିଛନ୍ତି ଯେ ଖୁବ ଶୀଘ୍ର ଏଠାରେ ନୂଆ ସୁଶାସନ ମଡେଲ, ନିଯୁକ୍ତି ପଲିସି, ପରୀକ୍ଷା ପଲିସି ଅଟୋନୋମୋସ ମାଧ୍ୟମରେ ହେବ ।  ଖୁବଶୀଘ୍ର ନର୍ସିଂ ଝିଅମାନଙ୍କର ଛାତ୍ରୀ ନିବାସ, ପାରାମେଡିକାଲ ଷ୍ଟାଫ୍ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ସମସ୍ୟାର ସମାଧାନ ସହ ନୂତନ ନିଯୁକ୍ତି ପକ୍ରିୟାକୁ ତ୍ୱରାନ୍ୱିତ କରାଯିବ । ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ସଂକଳ୍ପରେ ଭିମସାରରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନେ ବିଶ୍ୱ ମେଡିକାଲ ପ୍ରାକ୍ଟିସରେ ନେତୃତ୍ୱ ନେବେ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *