ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା – ୨୦୨୫. 

ଜଗତସିଂହପୁର, ୨୨/୧୨/୨୦୨୫ (ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନ ୧୧.୦୦ ଘଟିକା ସମୟରେ ଜଗତସିଂହପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡିଆ ଠାରେ  ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା – ୨୦୨୫ ଅତିରିକ୍ତ ଜିଲ୍ଲାପାଳ, ଜଗତସିଂହପୁର ଶ୍ରୀଯୁକ୍ତ ଜ୍ୟୋତିଶଙ୍କର ରାୟ ଙ୍କ ସଭାପତିତ୍ବରେ  ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ  ମୁଖ୍ୟଅତିଥି ଭାବରେ ଶ୍ରୀଯୁକ୍ତ ବିଭୂ ପ୍ରସାଦ ତରାଇ ମାନ୍ୟବର ସାଂସଦ ଜଗତସିଂହପୁର , ମୁଖ୍ୟ ବକ୍ତା ଭାବରେଶ୍ରୀଯୁକ୍ତ ମନୋଜ କୁମାର ଭୋଇ, ସଭାପତି, ଜିଲ୍ଲାପରିଷଦ, ଜଗତସିଂହପୁର, ଯୋଗଦାନ କରିଥିବା ବେଳେ ଅଧ୍ୟକ୍ଷା ପୌରପରିଷଦ ଶ୍ରୀମତୀ ଅର୍ଚ୍ଚନା ସିଂହ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ।

ମୁଖ୍ୟ ଅତିଥି ଶ୍ରୀ ତରାଇ ବିଭିନ୍ନ ଚାଷୀ ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସରକାର ଙ୍କ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, କାମଧେନୁ ଯୋଜନା, ଗୋଶାଳା ପ୍ରତିଷ୍ଠା, ପ୍ରାଣୀ ସମୃଦ୍ଧି ଯୋଜନା ତଥା ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବି ଯୋଜନା ପ୍ରମୁଖ କାର୍ଯ୍ୟକାରୀ ହେଉଛି, ଜିଲ୍ଲା ରେ ତାହାର ସଫଳ ରୂପାୟନ ପାଇଁ ପ୍ରଚେଷ୍ଟା କରିବାକୁ ସେ ପରାମର୍ଶ ଦେଇଥିଲେ।ସମୃଦ୍ଧ ଓଡିଶା ତଥା ଜଗତସିଂହପୁର ଗଠନରେ ସମସ୍ତଙ୍କର ସହଭାଗିତା ଆବଶ୍ୟକ ବୋଲି ସେ କହିଥିଲେ।ମୁଖ୍ୟ ବକ୍ତା ଭାବେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ମନୋଜ କୁମାର ଭୋଇ ମଧ୍ୟ ଅନୁରୂପ ଭାବେ ମତ୍ସ୍ୟ  ଓ ପ୍ରାଣୀ ପାଳନ ବିଭାଗକୁ ପ୍ରସଂଶା କରିଥିଲେ ଏବଂ ବିଶେଷ କରି କୁକୁଡ଼ା ପାଳନ, ଘୁଷୁରୀ ପାଳନ ତଥା ମତ୍ସ୍ୟ ପାଳନକୁ ଗୁରୁତ୍ୱ ଦେବାକୁ କହିଥିଲେ ।

  ସଭାରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ସରକାରଙ୍କ ମତ୍ସ୍ୟ  ଓ ପ୍ରାଣୀ ପାଳନ ବିଭାଗରେ ଆଗତ ବିଭିନ୍ନ ଯୋଜନା ଓ ତାହାର ଜିଲ୍ଲାରେ ସଫଳ ରୂପାୟନ ନିମନ୍ତେ ସନ୍ତୋଷ ପ୍ରକାଶ କରିଥିଲେ ।  ଆଜିର ସମୟରେ କେବଳ ପ୍ରାଣୀ ପାଳନ ଏବଂ  ମତ୍ସ୍ୟ ଚାଷରେ ହିଁ ବହୁତ ସମ୍ଭାବନା ରହିଅଛି ବୋଲି ସେ କହିଥିଲେ। ସମ୍ମାନିତ ଅତିଥି ଭାବେ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ମଧ୍ୟ ଜିଲ୍ଲା ର ମତ୍ସ୍ୟଜିବୀ ଓ ପଶୁପାଳକ ମାନଙ୍କ ପାଖରେ ସରକାର ଙ୍କ ଦ୍ଵାରା ପ୍ରଦତ୍ତ ବିଭିନ୍ନ ସୁବିଧା ପହଞ୍ଚାଇ ତାଙ୍କୁ ସ୍ବାବଲମ୍ବୀ କରାଇବାକୁ ପରାମର୍ଶ ଦେଇଥିଲେ।ଡା. ଅଜୟ କୁମାର ସାହୁ, ମୁଖ୍ୟ ଜିଲ୍ଲା ପ୍ରାଣୀସମ୍ପଦ ଅଧିକାରୀ, ଜଗତସିଂହପୁର ସମସ୍ତ ଅତିଥି ମାନଙ୍କୁ ସ୍ଵାଗତ କରିଥିବା ବେଳେ ସଭା ଶେଷରେ  ଜିଲ୍ଲା ମତ୍ସ୍ୟ ଅଧିକାରୀ, ଜଗତିଂହପୁର ଶ୍ରୀଯୁକ୍ତ ଦେଵବ୍ରତ ସାମଲ ଧନ୍ୟବାଦ୍ ଅର୍ପଣ କରିଥିଲେ। ଆଜି ସଭାରେ ମାନ୍ୟବର ମନ୍ତ୍ରୀ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ଓ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ, ଓଡ଼ିଶା, ଶ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଦ୍ଵାରା ପ୍ରେରିତ  ଭିଡିଓ ଶୁଭେଚ୍ଛା ବାର୍ତ୍ତା ଓ ଅଭିଭାଷଣକୁ ଜନସାଧାରଣ ଙ୍କ ଅବଗତି ନିମନ୍ତେ ଏଲ୍.ଇ.ଡି ସ୍କ୍ରିନ ମାଧ୍ୟମରେ ପରିବେଷଣ କରାଯାଇଥିଲା । ଦୁଇ ଦିନ ଧରି ହେବାକୁ ଥିବା ଏହି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାରେ ସର୍ବ ମୋଟ ୪୦ ଗୋଟି ଷ୍ଟଲ୍ ନିର୍ମାଣ କରାଯାଇଛି।

ତନ୍ମଧ୍ୟରୁ ୪ ଗୋଟି ପ୍ରାଣୀସମ୍ପଦ ବିଭାଗ ଦ୍ଵାରା ବିଭିନ୍ନ ପ୍ରକାରର ଯନ୍ତ୍ରପାତି ଓ ବିଭିନ୍ନ ପ୍ରକାରର ଜୀବନ୍ତ ଗାଈ , ମଇଁଷି , କୁକୁଡ଼ା ଓ ସେକ୍ସ ସର୍ଟେଡ ସିମେନର ଉପକାରିତା ସଂପର୍କରେ ପ୍ରାଣୀ ସମ୍ପଦ ଷ୍ଟଲ୍ ରେ ପ୍ରଦର୍ଶନ କରାଯାଇଥିବା ବେଳେ ମତ୍ସ୍ୟ ବିଭାଗର ୫ ଟି ଷ୍ଟଲ୍ ଗୁଡ଼ିକ ତାଙ୍କ ବିଭାଗର ବିଭିନ୍ନ କାର୍ଯ୍ୟକଳାପ ଯଥା ଜୈବ କୁଣ୍ଡ ମାଧ୍ୟମ ରେ ମାଛ ଚାଷ, Grow Out Tank, ବିଭିନ୍ନ ପ୍ରକାରର ଯନ୍ତ୍ରପାତି ପ୍ରଦର୍ଶନୀ ପାଇଁ ବ୍ୟବହୃତ ହୋଇଛି ଏବଂ ବିଭିନ୍ନ ବିଭାଗ ଦ୍ଵାରା ସଂପୃକ୍ତ ବିଭାଗର ଯୋଜନା ଓ କାର୍ଯ୍ୟକଳାପ ସମ୍ବନ୍ଧିତ ପ୍ରଦର୍ଶନୀ ଷ୍ଟଲ୍ ଖୋଲାଯାଇଛି । ଏହି ମେଳାକୁ ଅତିଥି ମାନେ ଆନୁଷ୍ଠାନିକ ଭାବେ ଉଦଘାଟନ କରିବାପରେ ମେଳାରେ  ଅତିଥିମାନେ ବିଭିନ୍ନ ଷ୍ଟଲ ଗୁଡ଼ିକ ପରିଦର୍ଶନ କରିଥିଲେ। ଏହି ଅବସରରେ ସଭାପତି ଓ ଅତିଥିମାନଙ୍କ ଦ୍ଵାରା ସଫଳ ଚାଷୀ ମାନଙ୍କୁ ସମ୍ମାନିତ କରାଯାଇଥିଲା

ତନ୍ମଧ୍ୟରୁ ପାଞ୍ଚ ଜଣ ଚାଷୀଙ୍କୁ Unified Payment Layer System ଜରିଆରେ ଚାଷୀ ଙ୍କ ବ୍ୟାଙ୍କ ଖାତା କୁ ସିଧାସଳଖ ସହାୟତା ଅର୍ଥ ରାଶି ପ୍ରଦାନ କରାଗଲା ଏବଂ ତିନି ଜଣ ଚାଷୀଙ୍କୁ ଚେକ୍ ଜରିଆରେ ସରକାରୀ ସହାୟତା ରାଶି ଓ  ପାଞ୍ଚ ଜଣ ଚାଷୀଙ୍କୁ Go-Ahead letter ପ୍ରଦାନ କରାଗଲା । ମତ୍ସ୍ୟସମ୍ପଦ ଓ ପ୍ରାଣୀସମ୍ପଦ ବିଭାଗ ର ଆଠ ଜଣ ସଫଳ ଚାଷୀଙ୍କୁ ଅତିଥି ମାନଙ୍କ ଦ୍ଵାରା ସମ୍ମାନିତ କରାଗଲା ।ମେଳାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ବୈଜ୍ଞାନିକମାନଙ୍କ ସହ କୃଷକମାନଙ୍କର ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କୃଷକମାନେ ସେମାନଙ୍କର ସମସ୍ୟା ଓ ସନ୍ଦେହ ବୈଜ୍ଞାନିକମାନଙ୍କ ନିକଟରେ ଉପସ୍ଥାପନ କରିଥିଲେ। ବୈଜ୍ଞାନିକମାନେ ଉନ୍ନତ ପ୍ରଜନନ, ରୋଗ ନିୟନ୍ତ୍ରଣ ଏବଂ ଆଧୁନିକ ଚାଷ ପ୍ରଣାଳୀ ଉପରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲେ।ସଭାକାର୍ଯ୍ୟ ଶେଷ ହେବାପରେ ଜିଲ୍ଲା କଳା ଓ ସଂସ୍କୃତି ସଂଘ ଦ୍ଵାରା ଅନୁବନ୍ଧିତ ବିଭିନ୍ନ ( ଗୋଷ୍ଟି ) ଦ୍ଵାରା କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

ଏହି ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳାରେ ଜିଲ୍ଲା ୦୮ ଗୋଟି ବ୍ଲକ ରୁ ବହୁ ସଂଖ୍ୟାରେ ମତ୍ସ୍ୟ ଚାଷୀ ଓ ପ୍ରାଣୀସମ୍ପଦ ଚାଷୀମାନଙ୍କ ସହିତ ଜନସାଧାରଣ ଓ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ, କର୍ମଚାରୀଙ୍କ ସମେତ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଙ୍କ ସହିତ ବିଭିନ୍ନ ସମ୍ବାଦପତ୍ର ଗୁଡିକର ସାମ୍ବାଦିକ ଓ ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ଏହି ମେଳା ଆୟୋଜନ ଓ ଅନୁଷ୍ଠିତ କରିବା ପାଇଁ ଉଭୟ ମୁଖ୍ୟ ଜିଲ୍ଲା ପ୍ରାଣୀ ସମ୍ପଦ କାର୍ଯ୍ୟାଳୟ ଓ ଜିଲ୍ଲା ମତ୍ସ୍ୟ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *