ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଯାପିତ

ଯାଜପୁର, ୨୨/୧୨/୨୦୨୫ (ଓଡ଼ିଶା ସମାଚାର)- ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ସୋମବାର ଉଦଯାପିତ ହୋଇଛି। ସ୍ଥାନୀୟ କୁସୁମା ସମ୍ମୁଖସ୍ଥ ପ୍ରଶାସନିକ ପଡ଼ିଆଠାରେ ଡିସେମ୍ବର ୧୮ ରୁ ୨୨ ତାରିଖ ପର୍ଯ୍ୟନ୍ତ ଏହି ମେଳା ଆୟୋଜିତ ହୋଇଥିଲା। ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯାଜପୁର ସାଂସଦ ଡଃ ରବୀନ୍ଦ୍ର ନାରାୟଣ ବେହେରା ଯୋଗ ଦେଇଥିଲେ। ସାଂସଦ ଶ୍ରୀ ବେହେରା ତାଙ୍କ ବକ୍ତବ୍ୟରେ କୃଷକମାନଙ୍କୁ ପ୍ରଣାମ ଜଣାଇ କହିଥିଲେ ଯେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଏକ ସୁନ୍ଦର ପରିକଳ୍ପନା।

କାରଣ ଚାଷୀ ହସିଲେ ହିଁ ଦେଶ ହସିବ। ଆମ ଋଗବେଦ ଗ୍ରନ୍ଥରେ ମଧ୍ୟ କୃଷି ପ୍ରଣାଳୀ ଓ ଶସ୍ୟ ସଂରକ୍ଷଣ ବିଷୟରେ ଉଲ୍ଲେଖ ରହିଛି। ଏହାସହ ସରକାରଙ୍କ କୃଷି ସମ୍ବନ୍ଧୀୟ ଯୋଜନା ତୃଣମୂଳ ସ୍ତରରେ ପହଞ୍ଚିବା ଜରୁରୀ ବୋଲି ସାଂସଦ କହିଥିଲେ। ବିଭିନ୍ନ ସ୍ଥାନରେ ଏ ସମ୍ବନ୍ଧୀୟ ସଚେତନତା ହୋର୍ଡିଂ, ବ୍ୟାନର ମାଧ୍ୟମରେ କୃଷକମାନଙ୍କ ନିକଟରେ ସଠିକ୍ ସୂଚନା ଏବଂ ତଥ୍ୟ ପହଞ୍ଚାଇବା ଜରୁରୀ। ବିକଶିତ ଭାରତ ଲକ୍ଷ୍ୟ ନେଇ ସରକାରଙ୍କ ପକ୍ଷରୁ ଡିବିଟି ମାଧ୍ୟମରେ ଚାଷୀମାନଙ୍କୁ ଆର୍ଥିକ ସହାୟତା ଦିଆଯାଉଛି ଏବଂ ଏମଏସପି ୮୦୦ ଟଙ୍କା ବୃଦ୍ଧି କରାଯାଇଛି।

ଏହାସହ ଆଗକୁ ଯାଜପୁର ଜିଲ୍ଲାରେ ନଦୀରେ ବ୍ୟାରେଜ୍ ନିର୍ମାଣ କରାଯାଇ ଜଳସେଚନ ସୁବିଧା କାର୍ଯ୍ୟକାରୀ ହେବାକୁ ଯାଉଛି ବୋଲି ସାଂସଦ ଶ୍ରୀ ବେହେରା କହିଥିଲେ। କାର୍ଯ୍ୟକ୍ରମରେ ଅତିଥି ଭାବେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ତପନ କୁମାର ମହାପାତ୍ର, ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ସୁବ୍ରତ କୁମାର ମହାପାତ୍ର, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶ୍ରୀ ସଞ୍ଜୀବ କୁମାର ତ୍ରିପାଠୀ, ୱାଟରସେଡ୍ ନିର୍ଦ୍ଦେଶକ ରମାକାନ୍ତ ପରିଡ଼ା, ଜିଲ୍ଲା ମତ୍ସ୍ୟ ଅଧିକାରୀ, ଉଦ୍ୟାନ ଅଧିକାରୀ ଯୋଗ ଦେଇଥିଲେ। ରିହାତି ମୂଲ୍ୟରେ କୃଷି ଯନ୍ତ୍ରପାତି ଯୋଗାଇବା ଏହି ମେଳାର ଉଦ୍ଦେଶ୍ୟ। ମେଳାରେ କୃଷି ଯନ୍ତ୍ରପାତି କ୍ରୟ କରିଥିବା ତଥା ବିଭିନ୍ନ ବ୍ଲକରେ କୃଷି କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିଥିବା ଚାଷୀମାନଙ୍କୁ ଯାଜପୁର ସାଂସଦ ଏବଂ ଉପସ୍ଥିତ ଅତିଥିମାନେ ସମ୍ମାନିତ କରିଥିଲେ।

କୃଷି ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକୁ ଏବଂ କୃଷି ଯନ୍ତ୍ରପାତି ବିକ୍ରି, କୃଷକ ପଞ୍ଜିକରଣ ଇତ୍ୟାଦି ସେବାରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ବ୍ଲକ ଅଧିକାରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ତତ୍ ସହିତ କୃଷି ଓ ଆନୁସାଙ୍ଗିକ ବିଭାଗରେ ତଥା ଘରୋଇ ଯନ୍ତ୍ରପାତି ବିକ୍ରେତା ବିଭାଗରେ ଶ୍ରେଷ୍ଠ ତିନି ପ୍ରଦର୍ଶନୀ ମଣ୍ଡପକୁ ମଧ୍ୟ ପୁରସ୍କୃତ କରାଯାଇଥିଲା।ଶେଷରେ କୃଷି ଜିଲ୍ଲା ଅଧିକାରୀ ପୀୟୂଷ ପଲ୍ଲବ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *