ବିଭିନ୍ନ କାର୍ଯ୍ୟର ସଫଳ ସଂପାଦନା ପାଇଁ ସଂପୃକ୍ତ ବିଭାଗର ନିୟମ, ଅଧିନିୟମ  ଆଦି ଜ୍ଞାନର ପରିସୀମା ବୃଦ୍ଧି ଉପରେ କୃଷି ବିଭାଗର ଗୁରୁତ୍ୱାରୋପ

ନିର୍ବାଚନରେ ନିୟୋଜିତ କର୍ମଚାରୀମାନଙ୍କୁ  ନିର୍ବାଚନ ଆଇନର ଅନୁପାଳନପୂର୍ବକ ନିର୍ବାଚନ କାର୍ଯ୍ୟ କରିବା ପାଇଁ ପରାମର୍ଶ

ଭୁବନେଶ୍ୱର,୨୦/୦୩/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ସାର୍ବଜନିକ ସେବା କ୍ଷେତ୍ରରେ ଅବସ୍ଥାପିତ କର୍ମଚାରୀମାନେ ପ୍ରଭାବୀ ଢଙ୍ଗରେ କାର୍ଯ୍ୟ ସଂପାଦନ ନିମନ୍ତେ ସଂପୃକ୍ତ କାର୍ଯ୍ୟ ସମ୍ବନ୍ଧୀୟ ବିଭିନ୍ନ ନିୟମ, ଅଧିନିୟମ ଆଦି ସଂପର୍କରେ ବିସ୍ତୃତ ଜ୍ଞାନ ରହିବା ଆବଶ୍ୟକ । ଏହି ପରିପ୍ରେକ୍ଷୀରେ ଦକ୍ଷତା ବୃଦ୍ଧି ସହିତ ନ୍ୟସ୍ତ କାର୍ଯ୍ୟଗୁଡ଼ିକର ନିର୍ଭୁଲ ସଂପାଦନ ନିମନ୍ତେ ବିଭାଗରେ ଅବସ୍ଥାପିତ ସହକାରୀ ସେକ୍‌ସନ୍‌ ଅଫିସରଙ୍କ ଠାରୁ ସଚିବ ସ୍ତର ପର୍ଯ୍ୟନ୍ତ ସମସ୍ତ କର୍ମଚାରୀ ଓ ଅଧିକାରୀମାନେ ତାଙ୍କ ଦ୍ୱାରା ସଂପାଦିତ ହେଉଥିବା କାର୍ଯ୍ୟର ନିୟମ, ଅଧିନିୟମ, ରେଗୁଲେସନ୍‌, ସର୍କୁଲାର, ଅଫିସ ମେମୋରାଣ୍ଡମ୍‌ ଆଦିର ବିଷୟରେ ଉତ୍ତମ ଜ୍ଞାନ ଆହରଣ ଦିଗରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି । ଏହି ମର୍ମରେ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ନିର୍ଦ୍ଦେଶକ୍ରମେ ବିଭାଗ ଓ ନିର୍ଦ୍ଦେଶାଳୟର ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କ ନିମନ୍ତେ ଏକ ପରିପତ୍ର ଜାରି କରାଯାଇଛି । ଏଥି ସହିତ ସାଧାରଣ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ପରିପ୍ରେକ୍ଷୀରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ଓ ଅଧିକାରୀମାନେ ଆଦର୍ଶ ଆଚରଣବିଧି ଏବଂ ନିର୍ବାଚନର ଆଇନଗୁଡ଼ିକର ଅନୁପାଳନପୂର୍ବକ ସେମାନଙ୍କ ଉପରେ ନ୍ୟସ୍ତ ନିର୍ବାଚନ କାର୍ଯ୍ୟଗୁଡ଼ିକୁ ପୂରା ନିଷ୍ଠାର ସହ କରିବା ପାଇଁ ପରାମର୍ଶ ଦିଆଯାଇଛି ।

        ପରିପତ୍ର ଅନୁଯାୟୀ କାର୍ଯ୍ୟାଳୟର ପ୍ରତିଷ୍ଠାନ ଓ ପେନ୍‌ସନ୍‌ ବିଭାଗରେ କାର୍ଯ୍ୟରତ କର୍ମଚାରୀମାନେ ଓଡ଼ିଶା ସିଭିଲ୍‌ ସର୍ଭିସ୍‌ (ସିସିଏ)ର ବିଭିନ୍ନ ଅଧିନିୟମ ଏବଂ ପେନ୍‌ସନ୍‌ର ନିୟମାବଳୀ ସଂପର୍କରେ ଭଲ ଭାବରେ ଅବଗତ ହେବା ଭଳି ଅନ୍ୟ ଉପବିଭାଗର କର୍ମଚାରୀ ଓ ଅଧିକାରୀମାନେ ସଂପୃକ୍ତ ବିଭାଗର ନିୟମ, ଅଧିନିୟମ ଆଦି ବିଷୟରେ ପର୍ଯ୍ୟାପ୍ତ ଜ୍ଞାନ ଆହରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ମାର୍ଗଦର୍ଶିକା ଓ ସମୟ ସମୟରେ ଏହାର ସଂଶୋଧିତ ଧାରା ଏବଂ ଭାରତ ସରକାର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ସର୍କୁଲାର ସଂପର୍କରେ ସଦ୍ୟତନ ସୂଚନା ସଂପର୍କରେ ଜାଣିବା ଉପରେ ଗୁରୁତ୍ୱ ଦିଆଯାଇଛି । କାର୍ଯ୍ୟ କରୁଥିବା ସଂପୃକ୍ତ ଉପବିଭାଗର କୌଣସି ନିୟମ ଓ ମାର୍ଗଦର୍ଶିକା ସଂପର୍କରେ କୌଣସି ପ୍ରକାରର ଅଜ୍ଞତା ଗ୍ରହଣୀୟ ନୁହେଁ । ବିଭିନ୍ନ କାର୍ଯ୍ୟକ୍ରମର ତ୍ୱରିତ ଓ ନିର୍ଭୁଲ ସଂପାଦନ ଓ ଯୋଜନାଗୁଡ଼ିକର ସଫଳ ରୂପାୟନ ଦିଗରେ ଏହା ସହାୟକ ହେଉଥିବା ଦୃଷ୍ଟିରୁ ଏହାକୁ ସଂପୂର୍ଣ୍ଣ ଗମ୍ଭୀରତାର ସହ ଗ୍ରହଣ କରିବା ପାଇଁ ପରାମର୍ଶ ଦିଆଯାଇଛି ଏବଂ ଏଥି ପାଇଁ ସମୟ ସମୟରେ କର୍ମଚାରୀଙ୍କ ମ୍ୟରେ ଅନୌପଚାରିକ ପରୀକ୍ଷା କରାଯିବ ବୋଲି ପରିପତ୍ରରେ କୁହାଯାଇଛି ।

Leave a Reply

Your email address will not be published. Required fields are marked *