ଜଗତସିଂହପୁର ଠାରେ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଯାପିତ

ଜଗତସିଂହପୁର,୧୭/୧୧/୨୦୨୩ (ଓଡ଼ିଶା ସମାଚାର )-ଆଜି ସନ୍ଧ୍ୟାରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପଡିଆ ଠାରେ ଦୁଇ ଦିନ ବ୍ୟାପି ଆୟୋଜିତ ହୋଇଥିବା ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଯାପିତ ହୋଇଯାଇଛି।  ଦୁଇ ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ମେଳାର ଦ୍ଵିତୀୟ ଦିନଟି ୭୨ ତମ ଗୋ ସମ୍ବର୍ଧନା ଉତ୍ସବ ପାଳନରୁ ଆରମ୍ଭ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜଗତସିଂହପୁର ଜିଲ୍ଲା ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ମନୋଜ କୁମାର ଭୋଇ ଗୋପୂଜନ କରିଥିଲେ । ତାଙ୍କୁ ଓଡିଶା ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡା ସୁଶେନ କୁମାର ପଣ୍ଡା, ଜିଲ୍ଲା ମୁଖ୍ୟ ପ୍ରଣିଚିକିତ୍ସା ଅଧିକାରୀ ଡା କୈଳାଶ ଚନ୍ଦ୍ର ମଲ୍ଲିକ, ଜିଲ୍ଲା ମତ୍ସ୍ୟ ଅଧିକାରୀ କୁମାରୀ ରେଶମା ରାଣୀ ସିଂ ପ୍ରମୁଖ ସହଯୋଗ କରିଥିଲେ ।

ଏହି ସମୟରେ ମଂଚ ଉପରେ କିଛି ସଫଳ ଚାଷୀଙ୍କ କାହାଣୀ ପରଦା ଉପରେ ଦେଖା ଯାଇଥିଲା ,ଯାହାକି ଅନ୍ୟ ଚାଷୀଙ୍କ ନିମନ୍ତେ ପ୍ରେରଣାଦାୟୀ ହେବାସହ ପଥପ୍ରଦର୍ଶକ ହୋଇଥିଲା । ସଭା କାର୍ଯ୍ୟର ପ୍ରାରମ୍ଭରେ ଚାଷୀ ଓ ବୈଜ୍ଞାନିକ ମାନଙ୍କ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ସମସ୍ତ ଚାଷୀ ଭାଇ ଓ ଭଉଣୀ ମାନଙ୍କ ପ୍ରଶ୍ନର ଉତ୍ତର ବିଶେଷଜ୍ଞମାନଙ୍କ ଦ୍ୱାରା ଦିଆଯାଇଥିଲା,  ତଥା ଉନ୍ନତ ଏବଂ ଆଧୁନିକ ଚାଷ ପ୍ରଣାଳୀ ବିଷୟରେ ଅବଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଫେସର ଡା ସୁଶେନ କୁମାର ପଣ୍ଡା, ଶ୍ରୀମତୀ ସରିତା ଦାସ, ଶ୍ରୀ ଅମ୍ବିକା ପ୍ରସାଦ ନାୟକ ଏବଂ ଶ୍ରୀ ସୁଶାନ୍ତ ନାୟକ ପ୍ରମୁଖ ବିଶେଷଜ୍ଞ ଭାବେ ଯୋଗ ଦେଇଥିଲେ ।

ମଧ୍ୟାହ୍ନ ଭୋଜନ ପରେ ଜିଲ୍ଲା କଳା ଓ ସଂସ୍କୃତି ସଂଘ ଦ୍ୱାରା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା , ଯାହାକି ଦିନ ୨.୩୦ ରୁ ୫.୩୦ ପର୍ଯ୍ୟନ୍ତ ଦର୍ଶକ ମାନଙ୍କୁ ବିମୋହିତ କରି ରଖିଥିଲା । ଏହି ଅବସରରେ ବାସୁଦେବ ନୃତ୍ୟ କଳା ସଂଗଠନ ଦ୍ୱାରା ସମ୍ବଲପୁରୀ ନୃତ୍ୟ, ଦଧିବାମନ ଜୀଉ ସାଂସ୍କୃତିକ ପରିଷଦ ଓ ମହାବୀର କଳା ବିକାଶ କେନ୍ଦ୍ର ଦ୍ୱାରା ଲୋକ ନୃତ୍ୟ ଏବଂ ନୃତ୍ୟ ଧୁନି ଦ୍ୱାରା ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା । ତେବେ ଏସ କେ ଏକାଡେମୀ ସ୍କୁଲର କିଛି ଆଗ୍ରହୀ ଛାତ୍ରମାନଙ୍କ ଦ୍ୱାରା ପରିବେଷିତ ନୃତ୍ୟ ଦର୍ଶକମାନଙ୍କୁ ବିଶେଷ ଭାବେ ଆନନ୍ଦ ପ୍ରଦାନ କରିଥିଲା । ୫.୩୦ ରୁ ଉଦଯାପନୀ ଦିବସର ସାଧାରଣ ସଭା ଆରମ୍ଭ ହୋଇଥିଲା , ଯେଉଁଥିରେ ପ୍ରଫେସର ଡା ସୁଶେନ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଓ ଅତିରିକ୍ତ ନିର୍ଦ୍ଦେଶକ (ପ୍ରାଣୀ ପ୍ରଜନନ) ଡା ବୀର କିଶୋର ପରିଡା ମୁଖ୍ୟ ବକ୍ତା ରୂପେ ଯୋଗଦାନ କରିଥିଲେ । ସେମାନଙ୍କୁ ମଂଚ ଉପରେ ମତ୍ସ୍ୟ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୁବଳ ଚନ୍ଦ୍ର ମହାନ୍ତି, ଜିଲ୍ଲା ମୁଖ୍ୟ ପ୍ରଣିଚିକିତ୍ସା ଅଧିକାରୀ ଡା କୈଳାଶ ଚନ୍ଦ୍ର ମଲ୍ଲିକ ଏବଂ ଜିଲ୍ଲା ମତ୍ସ୍ୟ ଅଧିକାରୀ କୁମାରୀ ରେଶମା ରାଣୀ ସିଂ ଯୋଗ ଦେଇଥିଲେ । ପ୍ରଥମେ ପରଦା ଉପରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପରିବେଷଣ କରାଯାଇଥିଲା ।  ଜିଲ୍ଲା ମତ୍ସ୍ୟ ଅଧିକାରୀ କୁମାରୀ ରେଶମା ରାଣୀ ସିଂ ସ୍ୱାଗତ ସମ୍ଭାଷଣ ଦେଇଥିଲେ । ସଭାର  ପ୍ରଥମାର୍ଦ୍ଧରେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ, ଜଗତସିଂହପୁର ଦ୍ୱାରା ଅନୁଷ୍ଠିତ ଚିତ୍ରକଳା ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ନିରନ୍ତର ବିକାଶ ଲକ୍ଷ୍ୟ ୨୦୩୦ ଉପରେ ପରିବେଷିତ ଏହି ପ୍ରତିଯୋଗିତାରେ ଏସ ଅର୍ପିତା,  ରାଜଲଷ୍ମୀ ବେହେରା ଓ ସସ୍ମିତା ବେହେରା କନିଷ୍ଠ ବିଭାଗରେ ତଥା ଅନନ୍ତ ବେହେରା, ସାଇ ସ୍ୱସ୍ତିକା ଦାଶ ଓ ସୁବ୍ରତ ସାହୁ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟର ଉପ ନିର୍ଦ୍ଦେଶକ ଶ୍ରୀମତୀ ସବିତା ସାହୁ ଏହି ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏଥି ସହିତ  ଜିଲ୍ଲାର ଚାଷୀ ଭାଇ ଓ ଭଉଣୀମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଜଗତସିଂହପୁର ବ୍ଲକର ଶିବ କଲ୍ୟାଣ ମହାନ୍ତିଙ୍କୁ ଗୋପଳନ, ତିର୍ତୋଲ ବ୍ଲକର ସପନ କୁମାର ମଲ୍ଲିକ ଙ୍କୁ ଘୁଷୁରୀ ପାଳନରେ ତଥା ତିର୍ତୋଲ  ବ୍ଳକର ଶ୍ରୀମତୀ ବାସନ୍ତୀ ମହାନ୍ତି ଓ ବାଲିକୁଦା ବ୍ଲକ ର ଶ୍ରୀମତୀ ଚପଳା ନାୟକଙ୍କୁ  ମତ୍ସ୍ୟ ଚାଷରେ ଉଲ୍ଲେଖନୀୟ ସଫଳତା ଅର୍ଜନ  ପାଇଁ  ମାନପତ୍ର ସହ ପ୍ରୋତ୍ସାହନ ରାଶି ପ୍ରଦାନ କରି ପୁରସ୍କୃତ କରାଯାଇଥିଲା ।  ସର୍ବଶେଷରେ ଜିଲ୍ଲା ମୁଖ୍ୟ ପ୍ରଣିଚିକିତ୍ସା ଅଧିକାରୀ ଡା କୈଳାଶ ଚନ୍ଦ୍ର ମଲ୍ଲିକ ସଭାରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ନାଉଗାଁ ବ୍ଳକର ବିଶ୍ୱଜିତ ସ୍ୱାଇଁ କୁକୁଡ଼ା ପାଳନରେ ଏବଂ ତିର୍ତୋଲ ବ୍ଲକର ଶ୍ରୀ ସୌରଭ କୁମାର ବିଶ୍ୱାଳ ମତ୍ସ୍ୟ ଚାଷରେ ସେମାନଙ୍କ ଅନୁଭବ ସଭିଙ୍କ ସାଙ୍ଗରେ ବାଣ୍ଟିଥିଲେ ।

         ଏହି ଅବସରରେ ମେଳାରେ ଆୟୋଜିତ ବିଭିନ୍ନ ବିଭାଗର ପ୍ରଦର୍ଶନୀ ଓ ଜୀବନ୍ତ ପ୍ରାଣୀ ଏବଂ ମତ୍ସ୍ୟ ସମ୍ପଦର ପ୍ରଦର୍ଶନ ସହ ଗୋସମ୍ବର୍ଧନା ରେ ପ୍ରଦର୍ଶିତ ଉନ୍ନତ ମାନର ଗୋ ବଛା ସଭିଙ୍କ ନିମନ୍ତେ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ମତ୍ସ୍ୟ ଓ ପ୍ରାଣିସମ୍ପଦ ବିଭାଗର ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିବା ସହ ପରିଚାଳନାରେ ସାହାଯ୍ୟ କରିଥିଲେ  ।

Leave a Reply

Your email address will not be published. Required fields are marked *