କେନ୍ଦ୍ରାପଡ଼ା,୨୦/୧୨/୨୦୨୫(ଓଡ଼ିଶା ସମାଚାର)- ପ୍ରଜ୍ଞାନ ମିଶନ ପକ୍ଷରୁ ଆୟୋଜିତ ଗିତା ଜ୍ଞାନଯଜ୍ଞ ଜିଲା ସଂସ୍କୃତି ଭବନରେ ଶନିବାର ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ସ୍ୱାମୀ ପ୍ରଜ୍ଞାନାନନ୍ଦଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଦିବ୍ୟ ଜୀବନ ସଂଘ ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ଏଥିସହିତ ଶ୍ରୀମଦ ଭାଗବତ ଗୀତାର ପ୍ରଥମ ଅଧ୍ୟାୟର କେତୋଟି ଶ୍ଲୋକକୁ ବାଖ୍ୟା କରିବା ସହ ୫ଜ୍ଞାନେନ୍ଦ୍ରୀୟ ଓ ୫ଟି କାମଇନ୍ଦ୍ରୀୟ ଦ୍ୱାରା ମନୁଷ୍ୟ କିଭଳି ବସବର୍ତୀ ହୋଇଯାଉଛି ସେ ସମ୍ପର୍କରେ ବିଷଦ ଭାବରେ ଆଲୋକପାତ କରିଥିଲେ ।
ପଶୁ ଓ ମନୁଷ୍ୟ ଭିତରେ ପାର୍ଥକ୍ୟ ଦର୍ଶାଇବାକୁ ଯାଇ ଶ୍ରୀମା’ କହିଲେ ଗୀତା ପଠନ ଦ୍ୱାରା ମନୁଷ୍ୟ ମାର୍ଗଦର୍ଶନ ପାଇଥାଏ । ସେହି ମାର୍ଗଦର୍ଶନ ଦ୍ୱାରା ମନୁଷ୍ୟ ଭିତରେ ଥିବା ପଶୁତ୍ୱକୁ ଦମନ କରି ଜଣେ ସୁଚରିତ୍ର ମଣିଷ ଭାବରେ ନିଜକୁ ଗଢିଥାଏ । ଦେଶର ଭବିଷ୍ୟତ ହେଉଛନ୍ତି ଯୁବପିଢୀ । ଆମ ର ଯୁବକଯୁବତୀମାନେ ଗୀତା ପାଠ କଲେ ଜଣେ ଜଣେ ସୁନାଗରିକ ହୋଇପାରିବା ସହ ସେମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହୋଇପାରିବ । ଏଥିସହ ଆମ ଦେଶ ଭାରତବର୍ଷ ମଧ୍ୟ ଏକ ଆଧ୍ୟାତ୍ମିକବାଦୀ ତଥା ଚରିତ୍ରବାନ ସୁନାଗରିକ ଗଠନ କରି ସୁନାମ ଅର୍ଜ୍ଜନ କରିପାରିବ ବୋଲି ଶ୍ରୀମା କହିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସାଧୁସନ୍ଥମାନେ ଯୋଗଦେଇ ଅର୍ଶିବଚନ ପ୍ରଦାନ କରିଥିଲେ ।
