ଭୁବନେଶ୍ୱର,୨୦/୧୨/୨୦୨୫ (ଓଡ଼ିଶା ସମାଚାର)- ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଗୀତାଞ୍ଜଳି ଇଣ୍ଡିଆ ଫାଉଣ୍ଡେସନ ଟ୍ରଷ୍ଟର ରାଜ୍ୟସ୍ତରୀୟ ଯୁବ ସମ୍ମିଳନୀ ଏବଂ ଅଷ୍ଟମ ଗୀତାଞ୍ଜଳି ଏକ୍ସଲେନ୍ସି ସମ୍ମାନ-୨୦୨୫ ଭୁବନେଶ୍ୱରସ୍ଥିତ ହୋଟେଲ ଏକ୍ସଲେନ୍ସିଠାରେ ଅନୁଷ୍ଠିତ ହୋଇଯାଇଛି ।
ଫାଉଣ୍ଡେସନର ଅଧ୍ୟକ୍ଷ ରଞ୍ଜନ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଡଃ ଅରବିନ୍ଦ ଢାଲୀ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ବିଜେପି ନେତା ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର ଜିଲା ବିଜେପି ସଭାପତି ନିରଞ୍ଜନ ମିଶ୍ର, ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା, ବିଶିଷ୍ଟ ଶିକ୍ଷାବିତ୍ ବିଧୁଭୂଷଣ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଫାଉଣ୍ଡେସନର ବିଭିନ୍ନ ସମାଜିକ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ । ସୁସ୍ଥ ସମାଜ ଗଠନରେ ଯୁବକମାନଙ୍କ ଭୂମିକା ଅତୁଳନୀୟ । ତେଣୁ ସାମ୍ପ୍ରତିକ ପରିସ୍ଥିତିରେ ଯୁବକମାନେ ନିଶାଗ୍ରସ୍ତ ହୋଇ ନିଜ ଜୀବନକୁ ନଷ୍ଟ କରିବାକୁ ନଦେଇ ସମାଜସେବା ଓ ପରିବେଶ ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ।
ଏହି ଅବସରରେ ସମାଜରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୫ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଗୀତାଞ୍ଜଳି ଏକ୍ସଲେନ୍ସି ସମ୍ମାନ-୨୦୨୫ ପ୍ରଦାନ କରାଯାଇଥିଲା । ଫାଉଣ୍ଡେସନର ଟ୍ରଷ୍ଟି ତାପସ ରଞ୍ଜନ ମଲ୍ଲିକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଉପସ୍ଥାପକ ଶୁଭୋଜିତ ପଣ୍ଡା ମଂଚ ପରିଚାଳନା କରିଥିଲେ । ଶ୍ରୀଲିପି ପ୍ରଧାନ, ଦୀନବନ୍ଧୁ, ଗୋପାଳ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
