୬୬ତମ ଶିଶିର ଉତ୍ସବ ଉଦଯାପିତ

କଟକ, ୧୯/୧୨/୨୦୨୫(ଓଡ଼ିଶା ସମାଚାର)- ସାହିତ୍ୟ ସଂସଦର ୬୬ତମ ଶିଶିର ଉତ୍ସବର ଉଦଯାପନୀ ସନ୍ଧ୍ୟାରେ ସାହିତ୍ୟ ଅୋଲାଚନା ଓ ସମ୍ବର୍ଦ୍ଧନା ସଭା ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷତା କରି ବରିଷ୍ଠ ସାହିତି୍ୟକ ଡଃ ପ୍ରଫୁଲ୍ଲ କୁମାର ଦାଶ କହିଥିଲେ ଯେ ସାହିତ୍ୟ ସଂସଦ ସାହିତ୍ୟ ଜଗତରେ ବହୁ ନୂତନ ପରମ୍ପରା ସୃଷ୍ଟି କରିଛି । ତାହା ମଧ୍ୟରୁ ଜୀବିତାବସ୍ଥାରେ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କର ଜୟନ୍ତୀ ପାଳନ କରିବା ଓ ସାହିତ୍ୟିକମାନଙ୍କୁ ସେମାନଙ୍କର କୃତି ପାଇଁ ସମ୍ବର୍ଦ୍ଧନା ଦେବା କାର୍ଯ୍ୟକ୍ରମ ଅନ୍ୟତମ ।

ସମ୍ବର୍ଦ୍ଧନା ଦ୍ୱାରା ହିଁ ସାହିତ୍ୟ ସୃଷ୍ଟି ପାଇଁ ସାହିତି୍ୟକ ମାନେ ଉତ୍ସାହିତ ହୁଅନ୍ତି ଓ ଭାଷା ସାହିତ୍ୟ ସମୃଦ୍ଧ ହୁଏ । ଇଂ.ରବି ନାରାୟଣ ମହାପାତ୍ରଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ଅନୁଷ୍ଠାନ ଦୀର୍ଘ ୬୬ବର୍ଷ ଧରି କାର୍ଯ୍ୟ କରିବା ଏକ ଗୌରବର ବିଷୟ । ମୁଖ୍ୟ ଅତିଥି ଡାକ୍ତର ଦୀନବନ୍ଧୁ ମହାରଣା ଏହି ସମ୍ବର୍ଦ୍ଧନା ସଭାକୁ ଶୁଭାରମ୍ଭ କରିଥିବା ବେଳେ ଉତ୍କଳ ସାହିତ୍ୟ ସମାଜର ସମ୍ପାଦକ ରାଜୀବ କୁମାର ଷଡଙ୍ଗୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଉତ୍ସବର ପ୍ରାରମ୍ଭରେ ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଜିତ କୁମାର ମହାପାତ୍ର ବିବରଣୀ ପାଠସହ ପାରମ୍ଭିକ ସୂଚନା ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସୁରଜିତ ନାଥ, ଅଜୟ କୁମାର ମହାନ୍ତି, ଅଶୋକ କୁମାର ଦାସ, ମନୋରଞ୍ଜନ ମହାପାତ୍ର ପ୍ରମୁଖ ସାହିତ୍ୟ ଆଲେଚନାରେ ଅଂଶ ଗ୍ରହଣ କରି ଓଡ଼ିଆ ସାହିତ୍ୟର ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଉତ୍ସବରେ ମୋତିଲାଲ ପତି, ପ୍ରାଣେଶ୍ୱର ମିଶ୍ର,ସୁଜାତା ଜେନା, ଗୀତାଞ୍ଜଳି କର ଓ ଆର୍ଯ୍ୟ କବି ପଣ୍ଡିତ ପ୍ରମୋଦ କୁମାର ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ସଙ୍ଗୀତା ଷଡଙ୍ଗୀ ପରିଚାଳନା କରିଥିବାବେଳ ବିଭୁଦତ ଖଣ୍ଡାୟତ ରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *