ଇଞ୍ଜିନିୟର ଅଶୋକ ବସା ୱାର୍ଲ୍ଡ ଫେଡେରେସନ୍ ଅଫ୍ ଇଞ୍ଜିନିୟରିଂ ଓର୍ଗାନାଇଜେସନ୍ସ (ଡବ୍ଲ୍ୟୁ.ଏଫ.ଇ.ଓ.) ର ଆଭ୍ୟନ୍ତରୀଣ ଅଡିଟର ଭାବେ ନିଯୁକ୍ତ

ପ୍ୟାରିସ / ଭୁବନେଶ୍ୱର, ୧୯/୧୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭାରତ ତଥା ଓଡ଼ିଶାର ସୁଖ୍ୟାତ ଇଞ୍ଜିନିୟର ଅଶୋକ ବସା ୱାର୍ଲ୍ଡ  ଫେଡେରେସନ୍ ଅଫ୍ ଇଞ୍ଜିନିୟରିଂ ଓର୍ଗାନାଇଜେସନ୍ସ (ଡବ୍ଲ୍ୟୁ.ଏଫ.ଇ.ଓ.) ର ଆଭ୍ୟନ୍ତରୀଣ ଅଡିଟର ଭାବେ ୨୦୨୫-୨୦୨୭ ଅବଧି ପାଇଁ ନିଯୁକ୍ତ ହୋଇଛନ୍ତି। ଡବ୍ଲ୍ୟୁ.ଏଫ.ଇ.ଓ. ର କାର୍ଯ୍ୟକାରି ବୋର୍ଡ ଦ୍ୱାରା ସଂସ୍ଥାର କାର୍ଯ୍ୟପଦ୍ଧତି ନିୟମାବଳୀ ଅନୁସାରେ ଏହି ସମ୍ମାନନୀୟ ପଦବୀରେ ଇଞ୍ଜିନିୟର ଅଶୋକ ବସାଙ୍କ ନିଯୁକ୍ତି କରାଯାଇଛି । ଇଞ୍ଜିନିୟର ଅଶୋକ ବସା ଆର୍‌.ଇ.ସି. (ବର୍ତ୍ତମାନ ଏନ୍‌.ଆଇ.ଟି.) ରାଉରକେଲାର ପୂର୍ବତନ ଛାତ୍ର ଏବଂ ପୂର୍ବରୁ ଇନ୍‌ସ୍ଟିଟ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ (ଇଣ୍ଡିଆ) ଭଳି ସୁପ୍ରତିଷ୍ଠିତ ଅନୁଷ୍ଠାନର ଅଧ୍ୟକ୍ଷ ପଦରେ ମଧ୍ୟ ରହି ଆସିଛନ୍ତି ।

ନିଯୁକ୍ତି ସଂପର୍କିତ ଯୋଗାଯୋଗରେ ଡବ୍ଲ୍ୟୁ.ଏଫ.ଇ.ଓ. ର କାର୍ଯ୍ୟକାରି ବୋର୍ଡ ମତ ପ୍ରକାଶ କରିଛି ଯେ, ଇଞ୍ଜିନିୟର ଅଶୋକ ବସାଙ୍କର ଦୀର୍ଘ ବର୍ଷର ଅନୁଭବ, ପେଶାଦାରିତା ଏବଂ ଇଞ୍ଜିନିୟରିଂ ସମୁଦାୟ ପ୍ରତି ତାଙ୍କର ନିଷ୍ଠା ଯୋଗୁଁ ସେ ଏହି ଦାୟିତ୍ୱ ନେବା ଅତ୍ୟନ୍ତ ଉପଯୁକ୍ତ । ଏହି ନିଯୁକ୍ତିର କାର୍ଯ୍ୟକାଳ ୧୨ ଡିସେମ୍ବର ୨୦୨୫ ଠାରୁ କାର୍ଯ୍ୟକାରୀ ହୋଇଛି ଏବଂ ଡବ୍ଲ୍ୟୁ.ଏଫ.ଇ.ଓ. ର ସଂବିଧାନ ଅନୁଯାୟୀ ପୁନଃନବୀକରଣ ଯୋଗ୍ୟ ରହିବ।

୧୯୬୮ ମସିହାରେ ୟୁନେସ୍କୋ ର ପ୍ରେରଣାରେ ଗଠିତ ଡବ୍ଲ୍ୟୁ.ଏଫ.ଇ.ଓ. ବିଶ୍ୱର ସବୁଠାରୁ ବଡ଼ ଆନ୍ତର୍ଜାତୀୟ ପେଶାଦାର ଇଞ୍ଜିନିୟରିଂ ସଂସ୍ଥା, ଯାହାର ସଦସ୍ୟତା ବିଶ୍ୱର ପ୍ରାୟ ଶତାଧିକ ଦେଶକୁ ବ୍ୟାପ୍ତ କରିଛି। ସୁସ୍ଥିର ବିକାଶ, ସୁଶାସନ ଏବଂ ବିଶ୍ୱ ସହଯୋଗର ମୂଳ ଚାଳକ ଭାବେ ଇଞ୍ଜିନିୟରିଂକୁ ପ୍ରୋତ୍ସାହିତ କରିବାରେ ଡବ୍ଲ୍ୟୁ.ଏଫ.ଇ.ଓ. ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି।

ବିଶେଷ ଭାବେ ଉଲ୍ଲେଖନୀୟ ଯେ, ୧୯୬୮ ମସିହାରେ ଡବ୍ଲ୍ୟୁ.ଏଫ.ଇ.ଓ. ଗଠନ ହେବା ପରେ ଇଞ୍ଜିନିୟର ଅଶୋକ ବସା ପ୍ରଥମ ଭାରତୀୟ ଭାବେ ଏହାର ଆଭ୍ୟନ୍ତରୀଣ ଅଡିଟର ନିଯୁକ୍ତ ହୋଇଛନ୍ତି। ଏହାପୂର୍ବରୁ ସେ ୨୦୨୨–୨୦୨୫ ଅବଧିରେ WFEO ର କାର୍ଯ୍ୟକାରି ଉପାଧ୍ୟକ୍ଷ (Executive Vice President) ଭାବେ ସଫଳତାର ସହିତ କାର୍ଯ୍ୟନିର୍ବାହ କରିଥିଲେ ଏବଂ ଏହି ମର୍ଯ୍ୟାଦାପୂର୍ଣ୍ଣ ବିଶ୍ୱସ୍ତରୀୟ ନେତୃତ୍ୱ ପଦବୀକୁ ନିର୍ବାଚିତ ହେବାରେ ଦ୍ୱିତୀୟ ଭାରତୀୟ ଥିଲେ। ସେ 2022–2023 ଏବଂ 2023–2025 ଅବଧିରେ WFEO ର ଷ୍ଟ୍ରାଟେଜିକ ପ୍ଲାନିଂ କମିଟି (SPC) ର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।

ଆନ୍ତରିକ ଅଡିଟର ଭାବେ, ଇଞ୍ଜିନିୟର ବସା ଡବ୍ଲ୍ୟୁ.ଏଫ.ଇ.ଓ. ର ଆନ୍ତରିକ କାର୍ଯ୍ୟପ୍ରଣାଳୀର ସ୍ୱାଧୀନ ସମୀକ୍ଷା ଓ ମୂଲ୍ୟାଙ୍କନ ପାଇଁ ଦାୟିତ୍ୱବାହନ କରିବେ। ଏଥିରେ ଆର୍ଥିକ ପ୍ରକ୍ରିୟା, ନିୟମାନୁଗତତା ବ୍ୟବସ୍ଥା ଓ ଶାସନ ପ୍ରଣାଳୀ ଆଦି ସମିଲିତ ରହିବ। ସେ କାର୍ଯ୍ୟକାରି ବୋର୍ଡ ପାଇଁ ରିପୋର୍ଟ ପ୍ରସ୍ତୁତ କରିବେ ଏବଂ ଭୋଟ ଅଧିକାର ବିନା କାର୍ଯ୍ୟକାରି ବୋର୍ଡ ଓ କାର୍ଯ୍ୟକାରି ପରିଷଦର ସଦସ୍ୟ ଭାବେ ଅଂଶଗ୍ରହଣ କରି, ସଂସ୍ଥାର ପାରଦର୍ଶିତା, ଦାୟିତ୍ୱବୋଧ ଓ ସୁଦୃଢ଼ ସଂସ୍ଥାଗତ ଶାସନ ପ୍ରତି ପ୍ରତିବଦ୍ଧତାକୁ ସମର୍ଥନ କରିବେ।

ଏହି ନିଯୁକ୍ତିକୁ ଭାରତୀୟ ଇଞ୍ଜିନିୟରିଂ ସମୁଦାୟ ପାଇଁ ଗର୍ବର ବିଷୟ ଭାବେ ଦେଖାଯାଉଛି ଏବଂ ଜାତୀୟ ଓ ବିଶ୍ୱସ୍ତରରେ ଇଞ୍ଜିନିୟରିଂ ନେତୃତ୍ୱକ୍ଷେତ୍ରରେ ଇଞ୍ଜିନିୟର ଅଶୋକ ବସାଙ୍କର ଦୀର୍ଘସ୍ଥାୟୀ ଅବଦାନର ସ୍ୱୀକୃତି ରୂପେ ଏହାକୁ ଗଣାଯାଉଛି ।

Leave a Reply

Your email address will not be published. Required fields are marked *