ମା’ ବିରଜା ମନ୍ଦିର ପରିସରରେ ଆମିଷ ଜାତୀୟ ଦ୍ରବ୍ୟ ଏବଂ ମଦ୍ୟ ବିକ୍ରୟ ଉପରେ ନିଷେଧାଚରଣ ସମ୍ବନ୍ଧୀୟ ପ୍ରସ୍ତୁତି ବୈଠକ ୨୩ ରେ

ଯାଜପୁର, ୧୮/୧୨/୨୦୨୫ (ଓଡ଼ିଶା ସମାଚାର)-  ଯାଜପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠର ପବିତ୍ରତା ଓ ସାତ୍ତ୍ୱିକ ପରିବେଶ ବଜାୟ ରଖିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯିବା ସମ୍ଵନ୍ଧରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ଆସନ୍ତା ତା୨୩.୧୨.୨୦୨୫ରିଖ ଅପରାହ୍ନ ୫.୩୦ଘଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ମା’ ଙ୍କ ମନ୍ଦିର ପରିସରରେ ବିଶେଷ କରି ମନ୍ଦିରର ୨ କି.ମି. ବ୍ୟାସାର୍ଦ୍ଧ ଅଞ୍ଚଳ ମଧ୍ୟରେ କୌଣସି ପ୍ରକାର ଆମିଷ (କଞ୍ଚା ଓ ରନ୍ଧା – ଯଥା ମାଛ, ଅଣ୍ଡା, ଦେଶୀ/ବ୍ରଏଲର୍/ ଚିକେନ, ମଟନ୍ ଏବଂ ଅନ୍ୟାନ୍ୟ ମାଂସ ଓ ଆମିଷ ଜାତୀୟ ଦ୍ରବ୍ୟ) ଏବଂ ମଦ୍ୟ ବିକ୍ରୟକୁ ସମ୍ପୂର୍ଣ୍ଣ ନିଷେଧ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯିବ।

ଏହି ପରିପ୍ରେକ୍ଷୀରେ, ବିଭିନ୍ନ ବୁଦ୍ଧିଜୀବୀ ପରିଷଦ, ସାମାଜିକ ଅନୁଷ୍ଠାନ ଏବଂ ସେବାୟତ ସଂଘ ପକ୍ଷରୁ ଦୀର୍ଘ ବର୍ଷର ଦାବି ମୁତାବକ ମନ୍ଦିରର ୨ କି.ମି ବ୍ୟାସାର୍ଦ୍ଧ ଅଞ୍ଚଳକୁ ସମ୍ପୂର୍ଣ୍ଣ ଆମିଷ ଓ ମଦ ମୁକ୍ତ “ସାତ୍ତ୍ୱିକ ଜୋନ (sacred zone) ଭାବେ ଘୋଷଣା ଏବଂ ଏହା ସହିତ ଅନ୍ୟାନ୍ୟ ଦାବି ଉପସ୍ଥାପନ କରାଯିବ। ଉକ୍ତ ପରିଧି ମଧ୍ୟରେ ଥିବା ଆମିଷ ବ୍ୟବସାୟୀଙ୍କୁ ସୁବ୍ୟବସ୍ଥିତ ଭାବେ ଆର.ଏମ.ସି ପରିସର କିମ୍ବା ଅନ୍ୟାନ୍ୟ ନିର୍ଦ୍ଧାରିତ ସ୍ଥାନକୁ ସ୍ଥାନନ୍ତରିତ କରାଯିବା ଆଦି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ବିସ୍ତୃତ ଭାବେ ଆଲୋଚନା ହେବ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚିତ କରାଯାଇଛି।

Leave a Reply

Your email address will not be published. Required fields are marked *