ମାନବାଧିକାର କର୍ମୀ ସମାଜର ସୁରକ୍ଷା କବଚ
ଭୁବନେଶ୍ୱର,୧୮/୧୨/୨୦୨୫ (ଓଡ଼ିଶା ସମାଚାର)- ଜାତୀୟ ମାନବାଧିକାର ଆୟୋଗ, ନୂଆଦିଲ୍ଲୀ ସହାୟତାରେ ହୁ୍ୟମାନ ରାଇଟ୍ସ ଫ୍ରନ୍ଟ ଇଣ୍ଡିଆ ପକ୍ଷରୁ ଆୟୋଜିତ ଏକଦିବସୀୟ ମାନବାଧିକାର କର୍ମୀ ତାଲିମ ସମ୍ମେଳନ ଭୁବନେଶ୍ୱର ଗୀତଗୋବିନ୍ଦ ସଦନଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଜାତୀୟ ମାନାବଧିକାର ଆୟୋଗର ସଦସ୍ୟ ନ୍ୟାୟମୂର୍ତି ଡଃ ଜଷ୍ଟିସ ବିଦୁ୍ୟତ ରଞ୍ଜନ ଷଢଙ୍ଗୀ ଉଦଘାଟନ କରି କହିଲେ ଯେ, ମାନବାଧିକାର କର୍ମୀମାନେ ସମାଜର ସଜାଗ ପ୍ରହରୀ । ସେମାନେ ବହୁ କଷ୍ଟ କରି ପୀଡ଼ିତକୁ ତାର ମୌଳିକ ଅଧିକାର ସହ ନ୍ୟାୟ ପ୍ରଦାନରେ ମୁଖ୍ୟ ଭୂମିକା ନିର୍ବାହ କରିଥାନ୍ତି । ଯାହାଫଳରେ ନିର୍ଯ୍ୟାତିତ ବା ବଂଚିତ ବ୍ୟକ୍ତିଟିର ସ୍ୱାଭିମାନ ସହ ବଂଚିବାର ଆଶା ସଂଚାର ହୋଇଥାଏ । ସମ୍ମାନର ସହ ବଂଚିବାକୁ ହେଲେ ବ୍ୟକ୍ତିର ମାନବାଧିକାର ସୁରକ୍ଷା ଜରୁରୀ ବୋଲି ଜଷ୍ଟିସ ଷଢଙ୍ଗୀ ଜୋର୍ ଦେଇ କହିଥିଲେ ।

ହୁ୍ୟମାନ ରାଇଟ୍ସ ଫ୍ରନ୍ଟର ଅଧ୍ୟକ୍ଷ ମନୋଜ ଜେନାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଦଘାଟନ ସମ୍ମେଳନରେ ମୁଖ୍ୟବକ୍ତା ରୂପେ ଓଡ଼ିଶା ମାନବାଧିକାର ଆୟୋଗର ସଦସ୍ୟ ଅସୀମ ଅମିତାଭ ଦାସ ଯୋଗଦେଇ ଉପସ୍ଥିତ ମାନବାଧିକାର କର୍ମୀମାନଙ୍କୁ ମାନବାଧିକାର ଆଇନ ବିଷୟରେ ସଚେତନ କରିବା ସହ କେଉଁ କେଉଁ କେସ୍ କମିଶନକୁ ଆଣିବା ଆବଶ୍ୟକ, ତାର ଗୁରୁଜ୍ଞାନ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଓଡ଼ିଶା ରାଜ୍ୟ ମହିଳା ଆୟୋଗର ସଦସ୍ୟା ଡଃ କଳ୍ପନା ମଲ୍ଲିକ ହୁ୍ୟମାନ ରାଇଟ୍ସ ଡିଫେଣ୍ଡରମାନଙ୍କୁ ଉତ୍ସାହିତ କରିବା ସହ ସ୍ୱାଧୀନ ଭାରତରେ ସେମାନଙ୍କର ଭୂମିକା ପରାଧୀନ ଭାରତର ସ୍ୱତନ୍ତ୍ରତା ସେନାନୀଠୁ କମ୍ ନୁହେଁ ବୋଲି ଉଲ୍ଲେଖ କରିଥିଲେ ।
ବଢୁଥିବା ମହିଳା ନିର୍ଯ୍ୟାତନା ଉପରେ ଚିନ୍ତାପ୍ରକଟ କରିବା ସହ ମାନବାଧିକାର କର୍ମୀମାନ ମହିଳା ଆୟୋଗଙ୍କ ନଜରକୁ ଆଣିବା ଦରକାର ବୋଲି ପରାମର୍ଶ ଦେଇଥିଲେ । ଫ୍ରନ୍ଟର ଆବାହକ ରାଜୀବ ପଟ୍ଟନାୟକ ସ୍ୱାଗତ ଭାଷଣ ଦେବା ସହ ତାଲିମ ସଂଯୋଜିକା ମନୀଷା ଦାସପଟ୍ଟନାୟକ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଧେଶ୍ୟ ବିଷୟରେ ବିବରଣୀ ପ୍ରଦାନ କରିଥିଲେ । ଶେଷରେ କାର୍ଯ୍ୟକ୍ରମ ସଂଯୋଜକ କଳ୍ପତରୁ ଖୁଂଟିଆ ଧନ୍ୟବାଦ ଅର୍ପଣ କରିଥିଲେ । ମାନବାଧିକାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କଳାହାଣ୍ଡିର ମାନବାଧିକାର କର୍ମୀ ଦିଲ୍ଲୀପ ଦାସ, ଶିକ୍ଷାବିତ୍ ଶ୍ରୀକର ମିଶ୍ର, ସ୍ୱାସ୍ଥ୍ୟସେବା ପାଇଁ ଡଃ ପୁଷ୍ପରାଜ ସାମନ୍ତସିଂହାର ଓ ସି.ଏସ୍.ଆର ପାଇଁ ହିଣ୍ଡାଲକୋର ଲୋକ ସମ୍ପର୍କ ଅଧିକାରୀ ଟି.ଏମ୍ ପ୍ରକାଶ ଓ ଶିବଶଙ୍କର ମିଶ୍ରଙ୍କୁ ସମ୍ମାନିତ କରାଯାଇଥିଲା ।
କାର୍ଯ୍ୟକ୍ରମର ଦ୍ୱିତୀୟ ଅଧିବେଶନରେ ମାନବାଧିକାର ବିଭିନ୍ନ ବିଷୟ ଉପରେ ବିଶେଷଜ୍ଞମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ଅଧିବେଶନକୁ ଅବସରପ୍ରାପ୍ତ ଜିଲାଜଜ୍ ଅମୀୟ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ । ଏଥିରେ ସମ୍ବିଧାନ ଓ ମାନବାଧିକାର ବିଷୟରେ ବରିଷ୍ଠ ଅଧିବକ୍ତା ଜୟନ୍ତ ଦାସ ମହିଳାମାନଙ୍କ ଆଇନ ଉପରେ ପ୍ରାକ୍ତନ ମହିଳା ଆୟୋଗ ସଦସ୍ୟା ସ୍ନେହାଞ୍ଜଳୀ ମହାନ୍ତି, ଶିକ୍ଷା ଅଧିକାର ଆଇନ କାର୍ଯ୍ୟକାରିତ ଉପରେ ଓଡ଼ିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ମାନବାଧିକାର କର୍ମୀ ବାଘାମ୍ବର ପଟ୍ଟନାୟକ, ପ୍ରମୋଦ ରାଉଳ, ଭଜମନ ବିଶ୍ୱାଳ ଏବଂ ବାଣିଜ୍ୟ ଓ ମାନବାଧିକାର ବିଷୟରେ ଡ. ଟି.ଏମ୍ ପ୍ରକାଶ କହିଥିଲେ ।
ଏହି ସମ୍ମେଳନରେ ରାଜ୍ୟରୁ ପ୍ରାୟ ଦୁଇଶହରୁ ଉଦ୍ଧ୍ୱର୍ ମାନବାଧିକାର କର୍ମୀମାନେ ଯୋଗ ଦେଇଥିଲେ । ହୁ୍ୟମାନ ରାଇଟ୍ସ ଫ୍ରନ୍ଟର ଜିଲା ମାନବାଧିକାର ସଂଯୋଜକ ଓ ସଂଯୋଜିକାମାନେ ତାଙ୍କର ରିପୋର୍ଟ ଉପସ୍ଥାପନ କରିବା ସହ ତଳସ୍ତରରେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ବିଷୟରେ ଆଲୋକପାତ କରିଥିଲେ । ଶେଷରେ ହୁ୍ୟମାନ ରାଇଟ୍ସ ଫ୍ରନ୍ଟର ଅଧ୍ୟକ୍ଷ ମନୋଜ ଜେନା ମାନବାଧିକାର ସମ୍ମେଳନର ନିର୍ଯ୍ୟାସ ବିଷୟରେ ଅବଗତ କରିବା ସହ ଆଗାମୀ ବର୍ଷର କାର୍ଯ୍ୟକ୍ରମ ଉପରେ ସୂଚନା ପ୍ରଦାନ କରିଥିଲେ ।
