ବିଶ୍ୱଶାନ୍ତି ପ୍ରାର୍ଥନା ଦିବସ ପାଇଁ ଆଧ୍ୟାତ୍ମିକ ଆଲୋଚନା

କେନ୍ଦ୍ରାପଡ଼ା, ୧୭/୧୨/୨୦୨୫(ଓଡ଼ିଶା ସମାଚାର)-ଇନ୍ଦୁପୁରସ୍ଥିତ ବିରୂପା ମହାବିଦ୍ୟାଳୟ ପରିସରରେ ‘ବିଶ୍ୱଶାନ୍ତି ନିମନ୍ତେ ପ୍ରାର୍ଥନା’ ପାଇଁ ଏକ ଆଧ୍ୟାତ୍ମିକ ସଙ୍କଳ୍ପ ସଭା ଅନୁଷ୍ଠିତ ହୋଇଯାଇଛି ।ଏହି ଉପଲକ୍ଷେ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଅଭିଜିତ ବୋଷଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଗରାପୁରସ୍ଥିତ ଦିବ୍ୟଜୀବନ ସଂଘ ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ର ଜୀବନର ଶୃଙ୍ଖଳା,ମାନବ ଜୀବନର ସାର୍ଥକତା ପାଇଁ ପ୍ରାର୍ଥନାର ଆବଶ୍ୟକତା ସମ୍ପର୍କରେ ଅମୃତବାଣୀ ପ୍ରଦାନ କରିଥିଲେ ।

ବିଶ୍ୱର ମଙ୍ଗଳ ପାଇଁ ଜାନୁଆରୀ ପହିଲାକୁ ‘ବିଶ୍ୱ ପ୍ରାର୍ଥନା ଦିବସ’ ରୂପେ ପାଳନ କରିବାକୁ ନିବେଦନ କରିଥିଲେ ଶ୍ରୀମା । ଏହି ଅବସରରେ ଉପସ୍ଥିତ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ସ୍ୱଦେଶୀ ଦ୍ରବ୍ୟ ବ୍ୟବହାର କରିବାକୁ ଗୁରୁତ୍ୱ ଦେବା ନିମନ୍ତେ ଶପଥ ପାଠ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଇଂ ଶତୃଘ୍ନ ଦାସ, ମହାବିଦ୍ୟାଳୟ ପ୍ରଶାସନିକ ଅଧିକାରୀ ଅନୁପ କୁମାର ସେନାପତି, ସମାଜସେବୀ ବିନୟ କୁମାର ବୋଷ, ଶରତ ଚନ୍ଦ୍ର ପାତ୍ରଙ୍କ ସମେତ ସାଧୁମାନେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଇଂରାଜୀ ବିଭାଗ ଅଧ୍ୟାପିକା ଏମ. ବିନୟା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । କ୍ରୀଡାଶିକ୍ଷକ ଜ୍ୟୋତିର୍ମୟ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ମହାବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *