ରାଜ୍ୟସ୍ତରୀୟ ସମ୍ବିଧାନ ହତ୍ୟା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

                        ଭୁବନେଶ୍ବର ରେଳ ଅଡିଟୋରିଅମ୍‌ ଠାରେ ଜରୁରୀକାଳୀନ ପରିସ୍ଥିତର ସ୍ବତନ୍ତ୍ରତା ସେନାନୀ ମାନଙ୍କୁ ସମ୍ମାନିତ କରାଯିବ

ଭୁବନେଶ୍ୱର,୨୧/୦୬/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଚଳିତ ମାସ ୨୫ ତାରିଖରେ ରାଜ୍ୟସ୍ତରୀୟ ସମ୍ବିଧାନ ହତ୍ୟା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

          ସୂଚନାଯୋଗ୍ୟ ଯେ ୧୯୭୫ ମସିହା ଜୁନ୍ ୨୫ ତାରିଖରେ ଲାଗୁ କରାଯାଇଥିବା ଜରୁରୀକାଳୀନ ପରିସ୍ଥିତିର ୫୦ତମ ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିପାଇଁ କେନ୍ଦ୍ର ସରକାରଙ୍କର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି ।

          ବୈଠକରୁ ଜଣାଯାଇଛି ଯେ ଭୁବନେଶ୍ବର ରେଳ ଅଡିଟୋରିଅମ୍‌ ଠାରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହେବ। ଓଡିଶାର ସମସ୍ତ ଜିଲ୍ଲାରୁ ଜନସାଧାରଣ ଏଥିରେ ଉପସ୍ଥିତ ରହିବେ। ଜରୁରୀକାଳୀନ ପରିସ୍ଥିତିର ସ୍ବତନ୍ତ୍ରତା ସେନାନୀ ମାନଙ୍କୁ ମଧ୍ୟ ନିମନ୍ତ୍ରିତ କରାଯାଇ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି।

       ଏହି ଉତ୍ସବର ବ୍ୟାପକ ପ୍ରଚାର ପ୍ରସାର ପାଇଁ ସୂଚନା ଓ ଲୋକସଂପର୍କ ବିଭାଗକୁ ଦାୟିତ୍ବ ଦିଆଯାଇଛି । ସୂଚନା ଓ ଲୋକସଂପର୍କ ବିଭାଗକୁ ପ୍ରଦର୍ଶନୀ ଓ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନର ମଧ୍ୟ ଦାୟିତ୍ବ ଦିଆଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବକ୍ତୃତା, କୁଇଜ୍‌, ପ୍ରବନ୍ଧ ଓ କଳା ପ୍ରତିଯୋଗିତା ଇତ୍ୟାଦି କରାଯିବ। ସେହିପରି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ କଲେଜ ଓ ବିଶ୍ବବିଦ୍ୟାଳୟ ସ୍ତରରେ କର୍ମଶାଳା, ବକ୍ତୃତା ଓ ସେମିନାର ଆୟୋଜନ କରାଯିବ। ଏହି ଉପଲକ୍ଷେ କ୍ରୀଡା ବିଭାଗ ପକ୍ଷରୁ ଶୋଭାଯାତ୍ରାର ଆୟୋଜନ କରାଯିବ।

          ସ୍ବତନ୍ତ୍ରତା ସେନାନୀ ମାନଙ୍କୁ ସମ୍ମାନିତ କରିବା ଉପଲକ୍ଷେ ଆୟୋଜନ ହେଉଥିବା ଏଭଳି ଏକ ମହତ୍‌ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ସମସ୍ତ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ।

          ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ପୂର୍ତ୍ତ ଓ ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି, କ୍ରୀଡା ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ ।

      ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର, ସଂସ୍କୃତି ନିର୍ଦ୍ଦେଶକ ଶ୍ରୀ ବିଜୟ କେତନ ଉପାଧ୍ୟାୟ, ସ୍ବତନ୍ତ୍ର ଶାସନ ସଚିବ ଶ୍ରୀ ଦେବପ୍ରସାଦ ଦାଶ, ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଅନୁଜ ଦାସ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *