‘ଓରିଶା ଟୁଡେ’ର ୨୧ତମ ବାର୍ଷିକ ଉତ୍ସବ
ଭୁବନେଶ୍ୱର,୧୧/୧୨/୨୦୨୫ (ଓଡ଼ିଶା ସମାଚାର)- ସମାଜ ସୁଧାର ପାଇଁ ସାମ୍ବାଦିକମାନେ ସତ୍ୟ ଖବର ପରିବେଷଣ ସହ ନିଷ୍ଠାର ସହ କାର୍ଯ୍ୟ କରିବା ଉଚିତ୍ । ଯଦି ଖବର ସତ୍ୟ ଓ ନିରପେକ୍ଷ ନହେବ, ତେବେ ସମାଜର କ୍ଷତି ହେବ ଏବଂ ଚତୁର୍ଥ ସ୍ତମ୍ଭର ମାନେ କିଛି ରହିବିନ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।
ଗୁରୁବାର ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ଦୈନିକ ଇଂରାଜୀ ସମ୍ବାଦପତ୍ର ‘ଓରିଶା ଟୁଡ଼େ’ର ୨୧ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ବିଚାରପତି ବିମଳ ପ୍ରସାଦ ଦାସ ଯୋଗଦେଇ ସମ୍ବାଦପତ୍ରର ବର୍ତମାନ ଓ ଭବିଷ୍ୟତ ସମ୍ପର୍କରେ ଆଲୋକପାତ କରିଥିଲେ । ଉଦ୍ଘାଟକ ଭାବେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ଢେଙ୍କାନାଳ ଆଇଆଇଏମସିର ଅଧ୍ୟକ୍ଷ ମୃଣାଳ ଚାଟାର୍ଜୀ ଯୋଗଦେଇ ସମ୍ବାଦପତ୍ରର ବର୍ତମାନର ସ୍ଥିତି ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଆୟକର ବିଭାଗର ପୂର୍ବତନ ପ୍ରମୁଖ ମୁଖ୍ୟ ଆୟୁକ୍ତ ମନୋରଞ୍ଜନ ପାଣିଗ୍ରାହୀ, ଉତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି କୁମରବର ଦାସ, ଇଫ୍କୋର ପିଆରଓ ପ୍ରସନ୍ନ ବେଉରା, ବରିଷ୍ଠ ସାମ୍ବାଦିକ ତଥା ପୂର୍ବତନ ସୂଚନା କମିଶନର ଦିଲ୍ଲୀପ ବିଶୋଇ ପ୍ରମୁଖ ଯୋଗଦେଇ ନିଜ ନିଜର ମତ ରଖିଥିଲେ ।
ଓରିଶା ଟୁଡ଼େର ସମ୍ପାଦକ ଅବିନାଶ ମିଶ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ମନୋଜ ଦାସ, ମିତ୍ରଭାନୁ ପଲେଇ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଶେଷରେ ଓରିଶା ଟୁଡ଼େର ଖୋର୍ଦ୍ଧା ପ୍ରତିନିଧି ମାଧବାନନ୍ଦ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସମ୍ବର୍ଦ୍ଧିତ କରାଯାଇଥିଲା ।
