ଅର୍ଥନୀତି ଓ ପରିସଂଖ୍ୟାନ ବିଭାଗ ନିର୍ଦ୍ଦେଶକଙ୍କ ଯାଜପୁର ଗସ୍ତ ସହ ଜଳସେଚନ ଗଣନା

ଯାଜପୁର,୧୧/୧୨/୨୦୨୫ (ଓଡ଼ିଶା ସମାଚାର)-ଅର୍ଥନୀତି ଓ ପରିସଂଖ୍ୟାନ ବିଭାଗ ନିର୍ଦ୍ଦେଶକ ଡ଼ଃ ବିଜୟ ଭୂଷଣ ନନ୍ଦ ଏବଂ ଡ଼ଃ କେ.ସି. ପାଣି, ବିଷୟ ବିଶେଷଜ୍ଞ ବଡ଼ଚଣା ବ୍ଲକର ଚମ୍ପାପୁର ଗ୍ରାମପଞ୍ଚାୟତର ସାନବନ୍ଦଳୋ ଗ୍ରାମ ଏବଂ ଧର୍ମଶାଳା ବ୍ଲକର ମଧୁପୁରଗଡ଼ ଗ୍ରାମପଞ୍ଚାୟତର ପଣ୍ଟୁରୀ ଗ୍ରାମରେ ୭ମ ଅଳ୍ପ ଜଳସେଚନ ଗଣନା, ଦ୍ଵିତୀୟ ଜଳାଶୟ ଗଣନା, ବୃହତ ଓ ମଧ୍ୟମ ସେଚନ ଗଣନା, ସ୍ପ୍ରିଂ ଗଣନାର କ୍ଷେତ୍ର ତଦାରଖ କରିଛନ୍ତି । ଏହି ସର୍ଭେ କାର୍ଯ୍ୟ ସାନବନ୍ଦଳୋରେ ଶ୍ରୀ ସମୀର ରଞ୍ଜନ ପଳେଇ, ଏସଏଫଏସ ଓ ପଣ୍ଟୁରୀରେ ଶ୍ରୀ ସୌମ୍ୟ ରଞ୍ଜନ କର, ସର୍ଭେ ଏନ୍ୟୁମେରେଟରଙ୍କ ଦ୍ୱାରା କରାଯାଇଥିଲା।

ତଦାରଖ ସମୟରେ ଶ୍ରୀ ସରୋଜ କୁମାର ସେଠୀ, କଟକ ପରିସଂଖ୍ୟାନ ଯୁଗ୍ମ ନିର୍ଦ୍ଦେଶକ, କୁମାରୀ ଅର୍ଚ୍ଚିତା ଦାସ, ଉପନିର୍ଦ୍ଦେଶକ (ପରିକଳ୍ପନା ଓ ପରିସଂଖ୍ୟାନ), ଯାଜପୁର ଏବଂ କୁମାରୀ ସିପ୍ରା ଦାସ, ସହାୟକ ପରିସଂଖ୍ୟାନ ନିର୍ଦ୍ଦେଶକ, ଡିପଏମୟୁ, ଯାଜପୁର ଉପସ୍ଥିତ ଥିଲେ। ଡ଼ଃ ନନ୍ଦ ଗଣନାକାରୀଙ୍କୁ ରାଷ୍ଟ୍ର ଗଠନରେ ସିଚାଇ ଗଣନାର ଗୁରୁତ୍ୱ, ଯୋଜନା ତିଆରିରେ ଏହାର ଭୂମିକା ଓ ତଥ୍ୟ ସଂଗ୍ରହର ଆବଶ୍ୟକତା ବିଷୟରେ ଗ୍ରାମବାସୀଙ୍କୁ  ଅବଗତ କରାଇଥିଲେ। ପରେ ସେ ବିଭିନ୍ନ ସେଚନ ଯୋଜନାଗୁଡ଼ିକୁ ସମୀକ୍ଷା କରିଥିଲେ।

ସନ୍ଧ୍ୟାରେ ଡ଼ଃ ନନ୍ଦ ଓ ଡ଼ଃ ପାଣି ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ସହିତ ଆଲୋଚନା କରି ଗଣନା କାର୍ଯ୍ୟର ପ୍ରଗତି ଜଣାଇଥିଲେ। ଜିଲ୍ଲାପାଳ ଶ୍ରୀ କର ସମସ୍ତ ଲାଇନ୍ ଡ଼ିପାର୍ଟମେଣ୍ଟରୁ ପୂର୍ଣ୍ଣ ସହଯୋଗ ଦେବା ସହ ସ୍ୱୟଂ ୪–୫ଟି ଗ୍ରାମରେ କ୍ଷେତ୍ର ତଦାରଖ କରିବେ ବୋଲି କହିଥିଲେ।

ପରବର୍ତ୍ତୀ ଦିନ ଡିଆରଡିଏ କନଫେରେନ୍ସ ହଲ୍‌, ଯାଜପୁରରେ ନିର୍ଦ୍ଦେଶକ ଡ଼ଃ ବିଜୟ ଭୂଷଣ ନନ୍ଦଙ୍କ ଅଧ୍ୟକ୍ଷତାରେ ରିଫ୍ରେସର୍ ଟ୍ରେନିଂ ପ୍ରୋଗ୍ରାମ ଆୟୋଜିତ ହୋଇଥିଲା। ଡ଼ଃ କେ.ସି. ପାଣି, ବିଷୟ ବିଶେଷଜ୍ଞ, ୭ମ ଏମଆଇ ଗଣନାର ପ୍ରକ୍ରିୟା ଓ ପଦ୍ଧତି  ସମ୍ପର୍କରେ ଗଣନାକାରୀଙ୍କୁ ବିସ୍ତୃତ ଭାବେ ଅବଗତ କରାଇଥିଲେ। ଡ଼ଃ ପାଣି ଗଣନାକାରୀ ଓ ଯୁବ ସର୍ଭେ ଏନ୍ୟୁମେରେଟରମାନଙ୍କୁ ସିସିଏ, ଆଇପିସି, ଆଇପିୟୁ, କ୍ଷେତ୍ର ମାପ ଇତ୍ୟାଦିରେ ବିସ୍ତୃତ ପ୍ରଶିକ୍ଷଣ ଦେଇ ସମସ୍ତ ଶଙ୍କା ଦୂର କରିଥିଲେ। ଡ଼ଃ ନନ୍ଦ ମଧ୍ୟ ଜିଲ୍ଲା ସ୍ତରରେ ସେଚନ ଅଧିକାରୀମାନଙ୍କ ସହ ଆଲୋଚନା କରି କ୍ଷେତ୍ର ସମସ୍ୟା ଓ ଉନ୍ନତି ସମ୍ପର୍କରେ ଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *