ବାଇକ୍ ଦୁର୍ଘଟଣାରେ ସାମ୍ବାଦିକଙ୍କ ମୃତ୍ୟୁ

ରେଢ଼ାଖୋଲ ୦୮/୧୨/୨୦୨୫(ଓଡ଼ିଶା ସମାଚାର)- ସମ୍ବଲପୁର ଜିଲା ରେଢ଼ାଖୋଲ- ନାକଟିଦେଉଳ ରାସ୍ତା ତଥା ରାଂଚି – ବିଜୟୱାଡ଼ା ଜାତୀୟ ରାଜପଥର ନାକଟିଦେଉଳ ଥାନା ଅନ୍ତର୍ଗତ ଚମ୍ପାଳୀ ନାଳ ନିକଟରେ ସୋମବାର ପ୍ରାୟ ସାଢ଼େ ୧୧ଟା ବେଳେ ତାଙ୍କ ବାଇକ୍ ଦୁର୍ଘଟଣାରେ ଓଟିଭି ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ବୁର୍ଲା ବଡ଼ ଡ଼ାକ୍ତରଖାନାରେ ମୃତୁ୍ୟ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ (୪୭) ବର୍ଷ ବୟସ ହୋଇଥିଲା ।

ପ୍ରକାଶ ଯେ ସମ୍ବଲପୁର ଜିଲା ନାକଟିଦେଉଳ ପଂଚାୟତ ସମିତିରେ ସୋମବାର ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଥିଲା । ଏହାର ଖବର ସଂଗ୍ରହ ପାଇଁ ରେଢ଼ାଖୋଲ ଓଟିଭି ପ୍ରତିନିଧି ରମାକାନ୍ତ ମହାନନ୍ଦ ବାଇକରେ ରେଢ଼ାଖୋଲରୁ ନାକଟିଦେଉଳ ଆସୁଥିବା ବେଳେ ବିଜୟୱାଡା ଜାତୀୟ ରାଜପଥର ଚମ୍ପାଳି ପୋଲ ନିକଟସ୍ଥ ରାସ୍ତା ପାର୍ଶ୍ୱରେ ପୋତା ଯାଇଥିବା ସିମେଂଟ ପୋଲରେ ଭାରସାମ୍ୟ ହରାଇ ପିଟି ହୋଇଥିଲେ ।

ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ନାକଟିଦେଉଳ ଡାକ୍ତରଖାନାକୁ ଅଣାଯାଇ ପ୍ରାଥମିକ ଚିକିତ୍ସା ପରେ ଗୁରତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତରିତ କରାଯାଇଥିଲା । ବୁର୍ଲା ବଡ଼ ଡ଼ାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ବିୟୋଗରେ ରେଢ଼ାଖୋଲ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କର ପତ୍ନୀ ଓ ୨ ପୁତ୍ର ସନ୍ତାନ ଥିବା ଜଣାଯାଇଛି ।

 

Leave a Reply

Your email address will not be published. Required fields are marked *