ମାଲକାନଗିରି ଅଶାନ୍ତ , ଇଂଟରନେଟ ସେବା ବନ୍ଦ୍

ସୋମବାର ସନ୍ଧ୍ୟା ୬ଟାଠାରୁ ମଙ୍ଗଳବାର ସଂଧ୍ୟା ୬ଟା
ବିଏନ୍ଏସ ୧୬୩ ଧାରା ଲାଗୁ
ଶାନ୍ତି ଫେରାଇ ଆଣିବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ
ଡିଜିପି,ଏଡିଜିଙ୍କ ଗସ୍ତ
ମାଲକାନଗିରି, ୦୮/୧୨/୨୦୨୫(ଓଡ଼ିଶା ସମାଚାର)- ଜଣେ ମହିଳାଙ୍କ କଟାମୁଣ୍ଡ ନ ମିଳିବା ନେଇ ଦୁଇ ଗ୍ରାମ ଏମଭି-୨୬ ଓ ରାଖାଲଗୁଡ଼ା ର ଦୁଇଗୋଷ୍ଠୀ ମଧ୍ୟରେ ଉପୁଜିଥିବା ଗଣ୍ଡଗୋଳ ଥମୁନାହିଁ । ଘରପୋଡି ଘଟଣାକୁ ନେଇ ସୋମବାର ୧୦ହଜାରରୁ ଊର୍ଦ୍ଧ୍ୱ ଲୋକ ଜିଲାପାଳ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏମଭି-୨୬ ଗାଁ ଘଟଣା ସ୍ଥଳରେ ବିଏନଏସ ୧୬୩ ଧାରା ଜାରି କରାଯାଇଛି । ଅନ୍ୟପକ୍ଷରେ ଜିଲାରେ ୨୪ ଘଂଟା ଇଂଟରନେଟ ସେବା ବନ୍ଦ ରହିବ । ସୋମବାର ସନ୍ଧ୍ୟା ୬ଟାରୁ ମଙ୍ଗଳବାର ସନ୍ଧ୍ୟା ୬ଟା ଯାଏ ବନ୍ଦ ରହିବ ଇଂଟରନେଟ ।

ମାଲକାନଗିରି ଜିଲାପାଳ ଏ ନେଇ ସୂଚନା ଦେଇଛନ୍ତି । ଘଟଣା ସ୍ଥଳକୁ ରବିବାର ରାତିରେ ଡିଆଇଜି ପରିଦର୍ଶନ କରି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ସୋମବାର ଡିଜିପି,ଏଡିଜି ଗସ୍ତ କରିଛନ୍ତି । ଜିଲା ସଦର କୋରକୁଣ୍ଡା ଥାନାସ୍ଥ ଡୁଡାମେଟଲା ଗ୍ରାମ ପୋଟେରୁ ନଦୀରୁ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତ ଦେହ ଗତ ୪ ଦିନ ତଳେ ଉଦ୍ଧାର ହୋଇଥିଲା । ସେହି ଘଟଣାକୁ ନେଇ ରାଖାଲଗୁଡା ଓ ଏମଭି ୨୬ ଗ୍ରାମ ମଧ୍ୟରେ ଉତେଜନା ଲାଗି ରହିଛି । ବ୍ୟାପକ ପୋଲିସ ମୁତୟନ ଅଛନ୍ତି । ହତ୍ୟା କିଏ କରିଛି ତାହା ଅସ୍ପଷ୍ଟ ରହିଛି । ନିଖୋଜ ଥିବା ମୁଣ୍ଡକୁ ତୁରନ୍ତ ଉଦ୍ଧାର କରିବା ସହିତ ମୁଖ୍ୟ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ରାଖାଲଗୁଡା ଗ୍ରାମବାସୀଙ୍କ ସମେତ ଆଦିବାସୀ ସଂଘ ପୁଲିସ ପ୍ରଶାସନ ନିକଟରେ ଦାବି କରିଥିଲେ ।

ଦୀର୍ଘ ୪ ଦିନ ହେବ କୌଣସି ସୁଫଳ ନ ମିଳିବାରୁ ଏହାକୁ ନେଇ ରବିବାର ଏମଭି- ୨୬ ଏବଂ ରାଖାଲଗୁଡା ଗ୍ରାମ ଓ ଆଦିବାସୀ ସଂଘ ମଧ୍ୟରେ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏମଭି-୨୬ ଗ୍ରାମରେ ସୋମବାର ପୂର୍ବାହ୍ନ ୧୧ଟା ସମୟରେ ପୁନଃ କିଛି ସମୟ ପାଇଁ ରାଖାଲଗୁଡା ଏବଂ ଏହାର ଆଖପାଖ ଅଂଚଳର ଏକ ଗୋଷ୍ଠୀ ଜୋର ଜବରଦସ୍ତ ଗ୍ରାମରେ ପଶି ବହୁ ଲୋକଙ୍କ ଘର ନିଆଁ ଲଗାଇ ଦେଇଥିଲେ । ଘଟଣା ସ୍ଥଳରେ ଡିଆଇଜି,ଏସପି, ଜିଲାପାଳ ଓ ଅନ୍ୟାନ ଅଧିକାରୀ ପହଂଚି ଉଭୟ ଗ୍ରାମବାସୀଙ୍କୁ ବୁଝାଇଥିଲେ । ସୋମବାର ଜିଲା ପାଳଙ୍କ କାର୍ଯ୍ୟାଳୟରେ ଉଭୟ ଗୋଷ୍ଠୀଙ୍କୁ ଡାକି ଶାନ୍ତି କମିଟି ଗଠନ ପାଇଁ ଜିଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ସୋମବାର ସକାଳେ ଆଦିବାସୀ ସମାଜ ମହାସଂଘର ସଭାପତି ଙ୍କ ସହିତ ଅନ୍ୟାନ ଆଦିବାସୀ ନେତା ମାନେ ୫ ଦଫା ଦାବି ନେଇ ଜିଲାପାଳଙ୍କ ଅଫିସକୁ ଆସିଥିଲେ । ଜିଲା ବଙ୍ଗାଳୀ ସମାଜ ପକ୍ଷରୁ ପ୍ରାୟ ୧୦ହଜାର ଲୋକ ଏମଭି୩ କୃଷ୍ଣ ମନ୍ଦିର ଠାରୁ ୫ କିଲୋମିଟର ଶାନ୍ତିପୁର୍ଣ ପଦଯାତ୍ରାରେ ଜିଲାପାଳଙ୍କ ଅଫିସ ନିକଟରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଫଳରେ ପ୍ରାୟ ଦୁଇ ଘଂଟାରୁ ଉର୍ଦ୍ଧ ସମୟ ମାଲକାନଗିରି ମୋଟୁ ୩୨୬ ନମ୍ବର ଜାତୀୟ ରାଜ ପଥ ଅବରୋଧ ହୋଇଥିଲା ।

ଜିଲାପ୍ରଶାସନ ପକ୍ଷରୁ ସମସ୍ୟା ସମାଧାନ ପାଇଁ କୁହାଯିବା ପରେ ବଙ୍ଗାଳି ସମାଜ ପକ୍ଷରୁ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା । ଘଟଣା ସ୍ଥଳରେ ପରିସ୍ଥିତି ନିୟନ୍ତ୍ରଣ ଥିଲେ ମଧ୍ୟ ଉଭୟ ଗୋଷ୍ଠୀମଧ୍ୟରେ ଚାପା ଉତେଜନା ଲାଗିରହିଛି । ଜିଲା ପ୍ରଶାସନ ପକ୍ଷରୁ ସୋମବାର ସନ୍ଧ୍ୟା ୬ଟା ଠାରୁ ୨୪ ଘଂଟା ପାଇଁ ଜିଲାରେ ଇଂଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି । ଉଭୟ ଗୋଷ୍ଠୀ ମଧ୍ୟରେ ଶାନ୍ତି ଫେରାଇ ଆଣିବାକୁ ଜିଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରିରହିଛି ।

Leave a Reply

Your email address will not be published. Required fields are marked *