ଯାଜପୁର ,୨୮/୦୯/୨୦୨୬ (ଓଡ଼ିଶା ସମାଚାର)- ବଡ଼ଚଣା ବ୍ଲକ୍ର ସହକାରୀ ଯନ୍ତ୍ରୀ (AE) ଏବଂ ତାଙ୍କ ସହଯୋଗୀ ବକେୟା ବିଲ୍ ପୈଠ ପାଇଁ ୩୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଧରାପଡ଼ିଛନ୍ତି।
ଆଜି ଅର୍ଥାତ୍ ୨୮.୦୯.୨୦୨୬ ରିଖରେ, କିଛି ସମୟ ପୂର୍ବରୁ, ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ର ସହକାରୀ ଯନ୍ତ୍ରୀ (AE) ଶ୍ରୀମତୀ ବନ୍ଦିତା ଦାଶ ଏବଂ ତାଙ୍କ ସହଯୋଗୀ ସୋମନାଥ ସେଠୀ (ଜଣେ ଘରୋଇ ବ୍ୟକ୍ତି)ଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ସୁରକ୍ଷା ଜମା (security deposit) ଫେରସ୍ତ ଏବଂ ବକେୟା ବିଲ୍ ପୈଠ କରିବା ପାଇଁ ସେମାନେ ୩୫,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ ଓ ଗ୍ରହଣ କରୁଥିଲେ। ବଡ଼ଚଣା ବ୍ଲକ୍ରେ ଏକ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ସମ୍ପନ୍ନ କରିଥିବା ଠିକାଦାର (କାର୍ଯ୍ୟ ସମ୍ପାଦନକାରୀ) ପୈଠ ପାଇଁ ବିଲ୍ ଦାଖଲ କରିଥିଲେ। ଯେତେବେଳେ ଠିକାଦାର ସୁରକ୍ଷା ଜମା ଫେରସ୍ତ ଏବଂ ବକେୟା ବିଲ୍ ପୈଠ ପାଇଁ ଅନୁରୋଧ କଲେ, ସେତେବେଳେ ଅଭିଯୁକ୍ତା ଶ୍ରୀମତୀ ଦାଶ ଉଭୟ କାର୍ଯ୍ୟ ପାଇଁ ୩୫,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ଏଥିରେ ଅତିଷ୍ଠ ହୋଇ ଠିକାଦାର (ଅଭିଯୋଗକାରୀ) ଶ୍ରୀମତୀ ଦାଶଙ୍କ ଦ୍ୱାରା ହେଉଥିବା ହଇରାଣ ହରକତ ସମ୍ପର୍କରେ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଏହା ପରେ, ଆଜି ଓଡ଼ିଶା ଭିଜିଲାନ୍ସର ଏକ ଟିମ୍ ଅଭିଯୋଗକାରୀଙ୍କ ଠାରୁ ୩୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଶ୍ରୀମତୀ ଦାଶ (AE) ଏବଂ ଶ୍ରୀ ସେଠୀଙ୍କୁ ଧରିଥିଲା। ସେମାନଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା (୩୫,୦୦୦ ଟଙ୍କା) ଉଦ୍ଧାର କରାଯାଇ ଜବତ କରାଯାଇଛି।
ଏହି ଚଢ଼ଉ ପରେ, ଆୟ ବହିର୍ଭୂତ ସମ୍ପତ୍ତି (DA) ମାମଲା ଦୃଷ୍ଟିକୋଣରୁ ଶ୍ରୀମତୀ ଦାଶଙ୍କ ସହ ଜଡ଼ିତ ତିନୋଟି ସ୍ଥାନରେ ଏକକାଳୀନ ଯାଞ୍ଚ ଚାଲିଛି।
ଏ ସମ୍ପର୍କରେ କଟକ ଭିଜିଲାନ୍ସ ଥାନା କେସ୍ ନଂ-୩୮ (ତା. ୨୭.୦୯.୨୦୨୬), ପିସି (ସଂଶୋଧନ) ଆଇନ୍-୨୦୧୮ର ଧାରା-୭ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଉଭୟ ଅଭିଯୁକ୍ତ ଶ୍ରୀମତୀ ଦାଶ ଏବଂ ଶ୍ରୀ ସେଠୀ (ଘରୋଇ ବ୍ୟକ୍ତି)ଙ୍କ ବିରୋଧରେ ତଦନ୍ତ ଜାରି ରହିଛି। ବିସ୍ତୃତ ରିପୋର୍ଟ ପରବର୍ତ୍ତୀ ସମୟରେ ପ୍ରକାଶ କରାଯିବ।
