କେନ୍ଦ୍ରାପଡ଼ା, ୨୪/୯/୨୦୨୪ (ଓଡ଼ିଶା ସମାଚାର)- ଗୋଆରେ କାର୍ଯ୍ୟରତ ଓଡ଼ିଆ ଶ୍ରମିକଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଯାଇଛି । ମୃତ ଯୁବକ ଜଣଙ୍କ ହେଉଛନ୍ତି କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଜମଧର ପଂଚାୟତର କଷୋଟି ଗ୍ରାମର ଯୁବକ ସିଦ୍ଧାର୍ଥ ନାଥ ବୋଲି ଜଣାପଡିଛି । ମୃତ ଯୁବକଙ୍କ ବାପା କୁଞ୍ଜବିହାରୀ ନାଥ ସୋମବାର ରାତିରେ ତାଙ୍କ ପୁଅ ସିଦ୍ଧାର୍ଥ ସହିତ ଟେଲିଫୋନ୍ ଯୋଗେ କଥା ହୋଇଥିଲେ । କିନ୍ତୁ ମଙ୍ଗଳବାର ସକାଳୁ କେହି ଜଣେ ମହିଳା ତାଙ୍କ ପୁଅ ମରିଯାଇଥିବା ନେଇ ତାଙ୍କୁ ସୂଚନା ଦେଇଥିଲେ । ସିଦ୍ଧାର୍ଥ ଗୋଆରେ ଆତ୍ମହତ୍ୟା କରିଥିବା ପରିବାର ଲୋକଙ୍କୁ କୁହାଯାଇଥିଲା । ଖବର ପାଇବା ପରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି । ଗତ ୩ ବର୍ଷ ହେବ ସିଦ୍ଧାର୍ଥ ଗୋଆରେ ରହି ଏକ ହୋଟେଲରେ କାମ କରୁଥିଲେ । ଗତ ମାର୍ଚ୍ଚ ମାସରେ ସେ ଘରକୁ ଆସିଥିଲେ । ଏପ୍ରିଲ ୧ ତାରିଖରେ ଗୋଆ ଫେରି ଯାଇଥିଲେ । ନିଜର ଏକମାତ୍ର ପୁଅକୁ ହରାଇ ସିଦ୍ଧାର୍ଥଙ୍କ ବାପାମାଆ ପାଗଳ ପ୍ରାୟ ହୋଇ ପଡ଼ିଛନ୍ତି । ସିଦ୍ଧାର୍ଥ ଆତ୍ମହତ୍ୟା କରି ନାହାଁନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ପୁଅର ଶବ ଫେରାଇ ଆଣିବା ପାଇଁ ପରିବାର ଲୋକେ ଜିଲାପାଳ ଏବଂ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ।