ଜଗତସିଂହପୁର ୦୩/୧୨/୨୦୨୫ (ଓଡ଼ିଶା ସମାଚାର)- ଆଜି ଜିଲ୍ଲା ର ସିଂହାରପୁର ଠାରେ ଥିବା ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର,ଆସ୍ରା ସ୍ବତନ୍ତ୍ର ବିଦ୍ୟାଳୟ ରେ ଜିଲ୍ଲା ପ୍ରଶାସନ ଏଵଂ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ମହା ସମାରୋହ ରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ପରିଷଦ ସଭାପତି ଶ୍ରୀ ମନୋଜ କୁମାର ଭୋଇ କହିଲେ ଯେ, ଭିନ୍ନକ୍ଷମ ମାନଙ୍କୁ ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ୍ କରିବା ନିମନ୍ତେ ସମସ୍ତେ ଚେଷ୍ଟିତ ହେବା ଆବଶ୍ୟକ।ଦୃଢ଼ ମନୋବଳ ଓ ଅଦମ୍ୟ ଚେଷ୍ଟା ରହିଲେ ସମସ୍ତ ଲକ୍ଷ୍ୟ ହାସଲ ହୋଇପାରିବ ବୋଲି ଆସ୍ରା ସ୍ବତନ୍ତ୍ର ବିଦ୍ୟାଳୟ ରେ ପଢୁଥିବା ପିଲାମାନଙ୍କୁ ସେ ଉପଦେଶ ଦେଇଥିଲେ।
ଭିନ୍ନକ୍ଷମ ବ୍ୟକ୍ତିଙ୍କ ସାମାଜିକ ସୁରକ୍ଷା ଏବଂ ସଶକ୍ତିକରଣ ନିମନ୍ତେ ସମସ୍ତ ଅଂଶଗ୍ରହଣକାରୀ ଏବଂ ସମର୍ଥକମାନଙ୍କୁ ଅଧିକ ଅନ୍ତର୍ଭୂକ୍ତ କରିବା ତଥା ସୁବିଧାଜନକ ପରିବେଶ ସୃଷ୍ଟି ପାଇଁ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇଛି ଓ ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ଯତ୍ନବାନ ହେବାପାଇଁ ସେ ବିଭାଗୀୟ ଅଧିକାରୀ ମାନଙ୍କୁ ଉପଦେଶ ଦେଇଥିଲେ।
ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜଗତସିଂହପୁର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ଭିନ୍ନକ୍ଷମ ପିଲାମାନଙ୍କୁ ଭଗବାନ ଙ୍କ ଆଶୀର୍ବାଦ ବୋଲି କହିଥିଲେ। ସେମାନଙ୍କର ଉପଯୁକ୍ତ ଯତ୍ନ ନେଇ ସମାଜ ର ମୁଖ୍ୟସ୍ରୋତ ରେ ସାମିଲ୍ କରିବାର ପ୍ରୟାସ କରୁଥିବା ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସେ ଧନ୍ୟବାଦ ଜଣାଇଥିଲେ। ସଭାରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀଜ୍ୟୋତି ଶଙ୍କର ରାୟ ଦିବ୍ୟାଙ୍ଗ ମାନଙ୍କର ଦିବ୍ୟ ଅଙ୍ଗ କୁ ସଠିକ୍ ମାର୍ଗ ଦର୍ଶନ ମିଳିଲେ ସେମାନେ ମଧ୍ୟ ଅନ୍ୟ ମାନଙ୍କ ପରି ପ୍ରତିଷ୍ଠିତ ହୋଇପାରିବେ ବୋଲି କହିଥିଲେ।
ଭିନ୍ନକ୍ଷମଙ୍କ ଅନ୍ତର୍ଭୁକ୍ତି, ଅଭିଗମ୍ୟତା ଏବଂ ସଶକ୍ତିକରଣକୁ ପ୍ରୋତ୍ସାହନ ଦେବା ହିଁ ଏହି ଦିବସ ର ଉଦ୍ଦେଶ୍ୟ ବୋଲି ଶ୍ରୀ ରାୟ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଜେନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି, ଆସ୍ରା ବିଦ୍ୟାଳୟ ସେକ୍ରେଟାରୀ ଶ୍ରୀ ଅଜୟ କୁମାର ଖୁଣ୍ଟିଆ ମଧ୍ୟ ଭିନ୍ନକ୍ଷମ ମାନଙ୍କୁ ସଠିକ ଦିଗଦର୍ଶନ ଓ ପରିବେଶ ମିଳିଲେ ସେମାନେ ମଧ୍ୟ ଅସାଧ୍ୟ ସାଧନ କରିପାରିବେ ବୋଲି ମନ୍ତବ୍ୟ ଦେଇଥିଲେ।ସଭାର ପ୍ରାରମ୍ଭ ରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ମମତା ନାୟକ ସ୍ଵାଗତ ଭାଷଣ ଦେବାସହ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ। ଆସ୍ରା ସ୍ଵତନ୍ତ୍ର ବିଦ୍ୟାଳୟ ର ୧୨୦ ଜଣ ଅନ୍ତେବାସୀ ଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ଜାପାନ ର ଟୋକିଓ ଠାରେ ମୁକ ବଧିର ଅଲମ୍ପିକ୍ସ ରେ ବ୍ରୋଞ୍ଜ ପଦକ ହାସଲ କରିଥିବା ଲୋମା ସ୍ୱାଇଁ ଓ ପାରା ଅଲମ୍ପିକରେ ଯାଭେଲିନ ଥ୍ରୋ ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ପ୍ରଫୁଲ୍ଲ ଖଣ୍ଡାୟତ ରାୟ ଙ୍କୁ ଅତିଥି ମାନେ ପୁଷ୍ପଗୁଚ୍ଛ, ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ।ଏହାପରେ ଅତିଥି ମାନେ ଭିନ୍ନକ୍ଷମ ଵିଵାହ ସହାୟତା ରାଶି ବାବଦ ରେ ୪ଜଣ ଦମ୍ପତି ଙ୍କୁ ୨ ଲକ୍ଷ ୫୦ହଜାର ଲେଖାଏଁ ଅର୍ଥ ର ଚେକ୍ ପ୍ରଦାନ କରିଥିଲେ।
ବିଦ୍ୟାଳୟ ରେ ଅନ୍ତେବାସୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା କ୍ରୀଡା, ଓ ବକ୍ତୃତା ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀ ମାନଙ୍କୁ ମଧ୍ୟ ପୁରସ୍କୃତ କରଯାଇଥିଲା। ଅତିଥି ମାନେ ୩ ଜଣ ଭିନ୍ନକ୍ଷମ ଙ୍କୁ ତିନିଚକିଆ ସାଇକେଲ ଓ ୪ ଜଣଙ୍କୁ ହ୍ବିଲ ଚେୟାର, ୭ ଜଣଙ୍କୁ ଶ୍ରବଣ ଯନ୍ତ୍ର, ୧୨ ଜଣଙ୍କୁ ଅର୍ଥିଓ ଜୋତା ପ୍ରଦାନ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ବିଦ୍ୟାଳୟ ପରିଦର୍ଶନ କରିଥିଲେ।ପରେ ବିଦ୍ୟାଳୟ ର ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏଠାରେ ସୂଚନା ଥାଉ କି, ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ- ୨୦୨୫ ପାଳନ ଅବସରରେ ସକାଳ ଘ. ୮ ସମୟରେ ଏକ ସଚେତନତା ରାଲିର (ପଦଯାତ୍ରା) ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଙ୍କ ଦ୍ଵାରା ଶୁଭାରମ୍ଭ କରାଯାଇଥିଲା । ଉଭୟ ସକ୍ଷମ ଓ ଭିନ୍ନକ୍ଷମ ଲୋକଙ୍କୁ ଅନ୍ତର୍ଭୁକ୍ତ କରି ଏହି ରାଲି ଆସ୍ରା ବିଦ୍ୟାଳୟ ପରିସରରୁ ଆରମ୍ଭ ହୋଇ ସିଂହାରପୁର ବିଦ୍ୟାଳୟ ରେ ସମାପ୍ତ ହୋଇଥିଲା ।
ଏହି କାର୍ଯ୍ୟକ୍ରମ ରେ ଆସ୍ରା ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ମାନସ ରଞ୍ଜନ ଖୁଣ୍ଟିଆ,ସୂପେରି ଟେଣ୍ଡେଣ୍ଟ, ଅନ୍ତେବାସୀ,ଅଭିଭାବକ, ବୁଦ୍ଧିଜୀବୀ ତଥା ଗଣ ମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।ଆସ୍ରା ବିଦ୍ୟାଳୟ ର କର୍ମକର୍ତ୍ତା, ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ର କର୍ମଚାରୀ , ଆସ୍ରା ପ୍ରଶିକ୍ଷଣ ଅନୁଷ୍ଠାନ ର ଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନେ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ଆସ୍ରା ବିଦ୍ୟାଳୟ ର ପୁରାତନ ଅନ୍ତେବାସୀ ଦିବ୍ୟଙ୍ଗ ରାଜ କିଶୋର ଶତପଥୀ ମଞ୍ଚ ପରିଚାଳନା କରିଥିଲେ ।
