ନିରନ୍ତର ବିକାଶ ଲକ୍ଷ୍ୟ ୨୦୩୦କୁ ନେଇ ଦିନିକିଆ ତାଲିମ ଶିବିର ଅନୁଷ୍ଠିତ

କେନ୍ଦ୍ରାପଡ଼ା, ୦୩/୧୨/୨୦୨୫(ଓଡ଼ିଶା ସମାଚାର)-ନିରନ୍ତର ବିକାଶ ଲକ୍ଷ୍ୟ ୨୦୩୦କୁ ଆଖି ଆଗରେ ରଖି ଆଜି ଜିଲା ପରିଷଦ ସମ୍ମିଳନୀ କକ୍ଷରେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲା ଯୋଜନା ଓ ପର୍ଯ୍ୟାଲୋଚନା କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ତାଲିମ କାର୍ଯ୍ୟକ୍ରମରେ ଜିଲା ପରିଷଦ ସଭାପତି ଲିଲିତା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ପୌରପରିଷଦର ପୌରାଧ୍ୟକ୍ଷା ସରିତା ସାହୁ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲାପାଳ(ରାଜସ୍ୱ) ରବୀନ୍ଦ୍ର କୁମାର ମଲ୍ଲିକ, ଡେପୁଟି ଡାଇରେକ୍ଟର ପ୍ଲାନିଂ ଆରତୀ ନାୟକଙ୍କ ସମେତ ସମସ୍ତ ବିଡ଼ିଓ, ତହସିଲଦାର ଏବଂ ଜିଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ସମଗ୍ର ବିଶ୍ୱରୁ ଦାରିଦ୍ର୍ୟ ଦୂରୀକରଣ ତଥା ସମାନତା ଆଣିବା, ପ୍ରକୃତି ଓ ପ୍ରାକୃତିକ ପରିବେଶର ସ୍ଥାୟୀ ସୁରକ୍ଷା, ଏକ ସୁସ୍ଥ ସୁନ୍ଦର ନିରାମୟ ଜୀବନ ବଂଚିବା ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିବା ଏବଂ ବିଶ୍ୱକୁ ଶାନ୍ତି ଓ ପ୍ରଗତି ପଥରେ ଆଗେଇ ନେବା ଉଦ୍ଧେଶ୍ୟରେ ସେପ୍ଟେମ୍ବର ୨୦୧୫ ମସିହାରେ ମିଳିତ ଜାତିସଂଘ ଅଧ୍ୟକ୍ଷତାରେ ନୁ୍ୟୟର୍କରେ ଅନୁଷ୍ଠିତ ହୋଇଥିବା ଏକ ବୈଠକରେ ୧୯୩ ଟି ସଦସ୍ୟ ରାଷ୍ଟ୍ରଙ୍କ ଦ୍ୱାରା ୧୭ ଟି ଲକ୍ଷ୍ୟ ସ୍ଥିର କରାଯାଇଥିଲା ।

ଯାହାକି ନିରନ୍ତର ବିକାଶ ଲକ୍ଷ୍ୟ କୁହାଯାଉଛି । ଜିଲାକୁ ଦାରିଦ୍ର୍ୟମୁକ୍ତ, କ୍ଷୁଧା ଦୂର କରିବା, ଖାଦ୍ୟ ସୁରକ୍ଷା ତଥା ଉନ୍ନତ ପୁଷ୍ଟିକର ଖାଦ୍ୟ ହାସଲ କରିବା ଓ ନିରନ୍ତର କୃଷିକୁ ପ୍ରୋତ୍ସାହିତ କରିବା, ସୁସ୍ଥ ଓ ନିରାମୟ ଜୀବନ, ଗୁଣାତ୍ମକ ଶିକ୍ଷା, ଲିଙ୍ଗଗତ ସମାନତା, ସ୍ୱଚ୍ଛ ଜଳ ଓ ପରିମଳ, ସୁଲଭ ଓ ସ୍ୱଚ୍ଛ ଶକ୍ତି, ମର୍ଯ୍ୟାଦାସମ୍ପନ୍ନ କାର୍ଯ୍ୟ ଓ ଅର୍ଥନୈଟିକ ବିକାଶ, ଶିଳ୍ପ, ଉଦ୍ଭାବନ ଓ ଭିତିଭୂମି, ଅସମାନତା ହ୍ରାସ, ସହର ଓ ଜନ ସମୁଦାୟର ସ୍ଥାୟୀତ୍ୱ, ଦାୟିତ୍ୱପୂର୍ଣ୍ଣ ବ୍ୟବହାର ଓ ଦୀର୍ଘସ୍ଥାୟୀ ଉତ୍ପାଦନ, ଜଳବାୟୁ ଭିତିକ କାର୍ଯ୍ୟପନ୍ଥା, ଜଳ ଭିତରେ ଜୀବନ, ସ୍ଥଳ ଭାଗରେ ଜୀବନ, ଶାନ୍ତି, ନ୍ୟାୟ ଏବଂ ଦୃଢ ପ୍ରତିଷ୍ଠାନ ଏବଂ ଲକ୍ଷ୍ୟ ହାସଲ ନିମନ୍ତେ ସହଭାଗିତା ଇତ୍ୟାଦି ଉପରେ ତାଲିମ ପ୍ରଦାନ କରାଯାଇଥିଲା । ସମସ୍ତଙ୍କୁ ନେଇ ବିକାଶ କରିବା ସହିତ ଲୋକଙ୍କୁ ସଚେତନ କରିବା ଉପରେ ଅତିଥି ମାନେ ଗୁରୁତ୍ୱ ଦେଇଥିଲେ । ଯାଜପୁରର ଡେପୁଟି ଡାଇରେକ୍ଟର ଡିପିଏମୟୁ ଅର୍ଚ୍ଚିତା ଦାସ ନିରନ୍ତର ବିକାଶ ଲକ୍ଷ୍ୟ ୨୦୩୦କୁ ନେଇ ସମସ୍ତଙ୍କୁ ତାଲିମ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *