ଜିଲ୍ଲା ସ୍ତରୀୟ ଯୁବ ସଂସଦ ପ୍ରତିଯୋଗିତା -୨୦୨୫

ଯାଜପୁର,୦୩/୧୨/୨୦୨୫(ଓଡ଼ିଶା ସମାଚାର)- ଯାଜପୁର ଟାଉନ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ  ଯାଜପୁର ତରଫରୁ ଜିଲ୍ଲା ସ୍ତରୀୟ  ଯୁବ ସଂସଦ ପ୍ରତିଯୋଗିତା-୨୦୨୫ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଛାତ୍ରଛାତ୍ରୀମାନେ  ସେମାନଙ୍କ ସହଯୋଗୀ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହ  ଅଂଶଗ୍ରହଣ କରିଥିଲେ ।

ଭାରତର ରାଜଧାନୀ ଦିଲ୍ଲୀରେ ଅବସ୍ଥିତ ସଂସଦରେ ଶାସକ ଓ ବିରୋଧୀ ଦଳର ସଭ୍ୟ ସଭ୍ୟା ମାନେ କିପରି ପ୍ରଶ୍ନ ଉପସ୍ଥାପନା କରନ୍ତି ଏବଂ ତାର ଉତ୍ତର କିପରି ଦିଆଯାଏ ଛାତ୍ର ଛାତ୍ରୀମାନେ ନିଜସ୍ୱ ଶୈଳୀରେ ଉପସ୍ଥାପନା କରିଥିଲେ । ଯାଜପୁର ଜ଼ିଲ୍ଲା ଶିକ୍ଷା କାର୍ଯ୍ୟାଳୟର ବିଜ୍ଞାନ ନିରୀକ୍ଷକ କୁମାରସେନ ସେନାପତିଙ୍କ ସଂଯୋଜନା ଓ ଉକ୍ତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ଅନିତା ନାୟକଙ୍କ ସଭାପତିତ୍ୱରେ ଏକ ଉଦଘାଟନୀ ଉତ୍ସବ  ଅନୁଷ୍ଠିତ ହୋଇଥିଲା ।

ଅତିରିକ୍ତ ଜିଲ୍ଲାପାଳ ମୁଖ୍ୟଅତିଥି ରୂପେ ଯୋଗଦାନ କରି ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଭୟର ବାତାବରଣ ନ ରହି ଶୃଙ୍ଖଳା ଓ ସଂସ୍କାର ପୂର୍ଣ୍ଣ ଶିକ୍ଷା ଦାନ କରାଯିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ବିଚାରକ ରୂପେ ଅବସରପ୍ରାପ୍ତ ପ୍ରଧାଶିକ୍ଷୟତ୍ରୀ ଜୟଶ୍ରୀ ମହାପାତ୍ର ଓ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଡ଼ ଗିରିଶ ଚନ୍ଦ୍ର ମିଶ୍ର  ଯୋଗଦାନ କରିଥିଲେ । ଉକ୍ତ ପ୍ରତଯୋଗୀତାରେ ବିଂଝାରପୁର ବ୍ଲକ ଅନ୍ତର୍ଗତ ଓଡିଶା ଆଦର୍ଶ ବିଦ୍ୟାଳୟର  ଦଶମ ଶ୍ରେଣୀ ଛାତ୍ରୀ ଦିବ୍ୟାନ୍ସୀ ସାମଲ ପ୍ରଥମ ସ୍ଥାନ ଅଧିକାର କରିବା ସହ ରାଜ୍ୟ ସ୍ତରୀୟ ପ୍ରତିଯୋଗିତକୁ ମନୋନୀତ ହୋଇଛନ୍ତି ।

ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନା କରିବାରେ ଉକ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *