ଭୁବନେଶ୍ୱର, ୧୫ /୧୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜ୍ୟରେ ମତ୍ସ୍ୟ ଓ ପ୍ରାଣୀସଂପଦର ବିକାଶ ମାଧ୍ୟମରେ ଗ୍ରାମାଞ୍ଚଳ କୃଷକ ତଥା ମତ୍ସ୍ୟଜୀବୀମାନଙ୍କର ଆୟବୃଦ୍ଧି ଏବଂ ଜୀବିକାନିର୍ବାହରେ ଉନ୍ନତି ହେବ ବୋଲି ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରକାଶ କରିଛନ୍ତି । ରାଜ୍ୟ କ୍ୟାବିନେଟ୍ରେ ଅନୁମୋଦିତ ଯୋଜନାଗୁଡ଼ିକ ସଂପର୍କରେ ଉଲ୍ଲେଖ କରି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି ଯେ ପ୍ରାଣୀସମ୍ପଦ ବିକାଶ ଯୋଜନାରେ ଆସନ୍ତା ୫ ବର୍ଷ ମଧ୍ୟରେ ୧,୦୩୧ କୋଟି ଟଙ୍କା ବ୍ୟୟ କରାଯିବ ଏବଂ ଏହା ଦ୍ୱାରା ରାଜ୍ୟର ପ୍ରାୟ ୩ ଲକ୍ଷ ୭୩ ହଜାର ୯୨୮ ଜଣ ଚାଷୀ ତଥା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଉପକୃତ ହେବେ । ସେହିପରି ବ୍ରଏଲର, ଲେୟର କୁକୁଡ଼ା ପାଳନ, ବତକ ପାଳନ, ଘର ଅଗଣାରେ କୁକୁଡ଼ା, ବତକ ପାଳନ, କୁକୁଡ଼ା ଦାନା ପ୍ରସ୍ତୁତି କାରଖାନା ଓ କୁକୁଡ଼ା ଚିଆଁ ପାଳନ ୟୁନିଟ୍ ପାଇଁ ହିତାଧିକାରୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ଏହା ବ୍ୟତୀତ ‘ଗୋମାତା’ ଯୋଜନାରେ ଆସନ୍ତା ତିନିବର୍ଷ ମଧ୍ୟରେ ପ୍ରାୟ ୩୪୩ କୋଟି ଟଙ୍କା ଏବଂ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନାରେ ୫ ବର୍ଷ ନିମନ୍ତେ ୨୨୩୯ କୋଟି ଟଙ୍କା ବ୍ୟୟ କରାଯିବ ।
ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି ଯେ ପ୍ରାଣୀସମ୍ପଦ କ୍ଷେତ୍ରରେ ଭିତ୍ତିଭୂମି ବିକାଶ ପାଇଁ ଆସନ୍ତା ତିନିବର୍ଷ ନିମନ୍ତେ ୪୪୯ କୋଟି ଟଙ୍କା ଏବଂ ମତ୍ସ୍ୟଚାଷ ଭିତ୍ତିଭୂମି ପାଇଁ ତିନିବର୍ଷରେ ୬୯୬ କୋଟି ଟଙ୍କା ଖର୍ଚ୍ଚ କରାଯିବ । ମନ୍ତ୍ରୀ ଶ୍ରୀ ମଲ୍ଲିକ କ୍ୟାବିନେଟ୍ ନିଷ୍ପତ୍ତିକୁ ସ୍ୱାଗତ ଜଣାଇବା ସହିତ ଏହା ଫଳରେ ରାଜ୍ୟର ମତ୍ସ୍ୟଚାଷୀ, ପ୍ରାଣୀପାଳକ ଓ ସ୍ୱୟଂ ସହାୟକ ଗୋଷ୍ଠୀ ଯଥେଷ୍ଟ ଉପକୃତ ହେବେ ବୋଲି ଉଲ୍ଲେଖ କରିଛନ୍ତି ।
ରାଜ୍ୟରେ ଅତିରିକ୍ତ ଭାବେ ବାର୍ଷିକ ପ୍ରାୟ ୯୫.୫୮ ହଜାର ମେଟି୍ରକ୍ ଟନ୍ କୁକୁଡ଼ା ମାଂସ ଉତ୍ପାଦିତ ହେବା ସହିତ ଦୈନିକ ପ୍ରାୟ ୫.୫ ଲକ୍ଷ ଅଧିକ ଅଣ୍ଡା ଉତ୍ପାଦିତ ହେବ । ‘ଗୋମାତା’ ଯୋଜନାରେ ବାର୍ଷିକ ପ୍ରାୟ ୧.୩୦ କୋଟି ପ୍ରାଣୀଙ୍କ ଚିକିତ୍ସା କରାଯାଇପାରିବ । ରାଜ୍ୟର ପ୍ରାଣୀପାଳକମାନେ ଏହି ଯୋଜନାରେ ପ୍ରାଣୀଚିକିତ୍ସା, ଟିକାକରଣ ଓ ପ୍ରାଣୀରାଗ ନିୟନ୍ତ୍ରଣର ସୁବିଧା ପାଇପାରିବେ । ୧୭ ଗୋଟି ଉପଯୋଜନା ଥାଇ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନାର ସୁଫଳ ପ୍ରାୟ ୧୪ ଲକ୍ଷ ମତ୍ସ୍ୟଜୀବୀଙ୍କୁ ମିଳିବ । ମତ୍ସ୍ୟ ଉତ୍ପାଦନ ବୃଦ୍ଧି ସହିତ ସେମାନଙ୍କ ଆୟବୃଦ୍ଧି ହୋଇପାରିବ । ମତ୍ସ୍ୟଚାଷ ଭିତ୍ତିଭୂମି ବିକାଶ ଯୋଜନାରେ ମାଛ ବଜାର, ମାଛ ଅବତରଣ କେନ୍ଦ୍ର, ଜେଟି ଓ ମାଛ ଫାର୍ମର ଭିତ୍ତିଭୂମିଗୁଡ଼ିକର ବିକାଶ ତଥା ନବୀକରଣ ହେବା ଫଳରେ ପ୍ରାୟ ୧୬ ଲକ୍ଷ ମତ୍ସ୍ୟଚାଷୀ ଉପକୃତ ହେବେ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ଆଶାପ୍ରକାଶ କରିଛନ୍ତି ।
ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ କହିଛନ୍ତି ଯେ ପ୍ରାଣୀସଂପଦ କ୍ଷେତ୍ରରେ ଭିତ୍ତିଭୂମି ବିକାଶ ଫଳରେ ରାଜ୍ୟରେ ଅଧିକ ପ୍ରାଣୀଚିକିତ୍ସାଳୟ, ପ୍ରାଣୀଧନ ସହାୟକ କେନ୍ଦ୍ର ଏବଂ ପ୍ରାଣୀସେବା ଅନୁଷ୍ଠାନଗୁଡ଼ିକର ନୂତନ ନିର୍ମାଣ, ମରାମତି ଓ ନବୀକରଣ କରାଯାଇପାରିବ ।
-0-
ସୂର୍ଯ୍ୟ ମିଶ୍ର,ଲୋକସଂପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ