ଶୋକ ସମାଚାର : ରାଜନେତା ଶିବ ବିଶ୍ୱାଳଙ୍କ ବିୟୋଗ

କେନ୍ଦ୍ରାପଡ଼ା,୦୨/୧୨/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ବ୍ଲକର ବିଜେଡି ନେତା ଶିବ ପ୍ରସାଦ ବିଶ୍ୱାଳଙ୍କର ୭୬ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସପିଟାଲରେ ବିୟୋଗ ହୋଇଯାଇଛି । ମୃତୁ୍ୟଶଯ୍ୟା ନିକଟରେ ଧର୍ମ ପତ୍ନୀ, ଦୁଇ ପୁଅ ଓ ଦୁଇ ଝିଅଙ୍କ ସମେତ ପରିବାର ବର୍ଗ ଉପସ୍ଥିତ ଥିଲେ । କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଖବର ପାଇ ଡାକ୍ତରଖାନାରେ ପହଂଚି ତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ତାଙ୍କ ମର ଶରୀରକୁ କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଚକ୍ରୋଡ଼ା ଗ୍ରାମପଂଚାୟତର ମାଗୁରାଗଣ୍ଡପାଟଣାସ୍ଥିତ ବାସଭବନକୁ ଆଜି ସକାଳେ ଅଣାଯାଇଥିଲା । ତାଙ୍କ ବିୟୋଗ ଖବର ପାଇ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ବରିଷ୍ଠ କଂଗ୍ରେସ ନେତା ଫକୀର ଚରଣ ଖଟୁଆ, ସମାଜସେବୀ ପ୍ରଦୀପ କୁମାର ମହାନ୍ତି, ସମାଜସେବୀ ରଞ୍ଜିତ ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, ଜିଲା ବିଜେଡି ସଭାପତି ଶିବ ପ୍ରସାଦ ଭଳ, ବିଜେଡି ଯୁବ ନେତା ରାଜେଶ ପଣ୍ଡା, ଜମଧର ସମବାୟ ସମିତି ସଭାପତି ଧରଣୀଧର ଦାସ, ବରିଷ୍ଠ କଂଗ୍ରେସ ନେତା ପ୍ରମୋଦ ସାହୁ, ପୂର୍ବତନ ସରପଂଚ ବସନ୍ତ କୁମାର ରାଉତ, ପୀତବାସ ବେହେରା, ସାରଦା ପ୍ରସାଦ ରାଉତ, ପୂର୍ବତନ କାଉନସିଲର ହିରଣ୍ୟ ପଣ୍ଡା, ସୌମେନ୍ଦ୍ର ପୃଷ୍ଟି, ହିବଜୁର ରହେମାନ, ମୁକ୍ତାର ଖାନ୍, ସମ୍ବିତ ଶ୍ରୀଚନ୍ଦନ, ଶାରଦା ପ୍ରସନ୍ନ ରାଉତ, ଭରତପୁର ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଲତା ପରିଡ଼ା, ପ୍ରତାପ ମହାନ୍ତି ପ୍ରମୁଖ ତାଙ୍କ ବାସଭବନରେ ପହଂଚି ଶେଷଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

ସ୍ୱର୍ଗତ ବିଶ୍ୱାଳ ଚକ୍ରୋଡ଼ା ପଂଚାୟତର ପୂର୍ବତନ ସମିତିସଭ୍ୟ, ଜମଧର ପ୍ରାଥମିକ କୃଷି ସମବାୟ ସମିତିର ପ୍ରାକ୍ତନ ସଭାପତି, ଭରତପୁର ବାଳିକା ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟି ପ୍ରାକ୍ତନ ସଭାପତି ଓ ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କ ତତ୍କାଳୀନ ପ୍ରତିନିଧି ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ । ସେ ପୂର୍ବରୁ ଦୀର୍ଘ ବର୍ଷ ଧରି ଜାତୀୟ କଂଗ୍ରେସ ଦଳର ବିଭିନ୍ନ ପଦପଦବୀରେ ରହି ସୂଚାରୁ ରୂପେ କାର୍ଯ୍ୟ ନିର୍ବାହ କରିଥିଲେ ।

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସେ ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଥିଲେ । ସ୍ଥାନୀୟ ଅଂଚଳରେ ବିଭିନ୍ନ ଅନୁଷ୍ଠାନ ଓ ସାମାଜିକ କାର୍ଯ୍ୟରେ ସ୍ୱର୍ଗତ ବିଶ୍ୱାଳ ନିୟୋଜିତ ଥିଲେ । ତାଙ୍କ ମରଶରୀରକୁ ଏକ ସୁସଜ୍ଜିତ ଗାଡିରେ ନିଆଯାଇ ଭରତପୁର, ଚକ୍ରୋଡ଼ା, ଭାଗବତପୁର ଓ ଜମଧର ଗ୍ରାମପଂଚାୟତର ବିଭିନ୍ନ ଗ୍ରାମ ପରିକ୍ରମା କରାଯାଇଥିଲା । ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଶୋଭାଯାତ୍ରାରେ ଏକହଜାରରୁ ଉଦ୍ଧ୍ୱର୍ ଦଳୀୟ କର୍ମୀ,ନେତୃତ୍ୱ ଓ ଜନସାଧାରଣ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *