ଭୁବନେଶ୍ୱର, ୦୨/୧୨/୨୦୨୫ (ଓଡ଼ିଶା ସମାଚାର)- ବିଶିଷ୍ଟ ସିନେ ଅଭିନେତା, ନିର୍ଦେଶକ ଚନ୍ଦ୍ରଭାନୁ କର ଓ ଗୀତାଞ୍ଜଳି କର ଙ୍କ ସୁଯୋଗ୍ୟା ସନ୍ତାନ ତଥା ଯୁବ ନୃତ୍ୟଶିଳ୍ପୀ, ସଂଗୀତଜ୍ଞ, ଅଭିନେତ୍ରୀ ଓଡିଶା ସଂଗୀତ ଜଗତର ଅମ୍ଲାନ ପ୍ରତିଭା ସ୍ବର୍ଗତ ଲିଟିଲ କରଙ୍କ ଜୟନ୍ତୀ, ସ୍ମୃତିଚାରଣ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ଥାନୀୟ ବଢ଼େଇ ବାଙ୍କ ଛକ ଠାରେ ଲିଟିଲ କର ନ୍ୟାସ, ଓଡ଼ିଆ କଳାକାର ସଂଘ ଓ ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଆନୁକୂଲ୍ୟରେ ଫଟୋ ଚିତ୍ରରେ ମାଲ୍ୟାର୍ପଣ ସହ ସ୍ମୃତି ଚାରଣ ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଭାପତିତ୍ବ ଓ ପୁଜ୍ୟପ୍ରାଣ ପରମେଶ୍ୱର ବେହେରାଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ସମ୍ମାନିତ ଅତିଥି ଭାବେ ସମାଜସେବୀକା ରଶ୍ମି ମହାପାତ୍ର, ଚଳଚିତ୍ର ପ୍ରଯୋଜକ ଶ୍ରୀଧର ମାର୍ଥା, ଚଳଚିତ୍ର ପ୍ରଯୋଜକ ଅଜୟ ରାଉତରାୟ, ସଂଗୀତ ନିର୍ଦେଶକ ଜୁବୁଲି ସୁନ୍ଦରାୟ, ସଂଗୀତଙ୍ଗ ଡ଼ଃ ଜୟଶ୍ରୀ ଧଳ ଉପସ୍ଥିତ ରହିବା ସହ ସ୍ବର୍ଗତା କର ସଂଗୀତ, ଅଭିନୟ, ନୃତ୍ୟ କ୍ଷେତ୍ରରେ ଓଡିଶା ସଂଗୀତାକାଶରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବା ସହିତ ଆଗାମୀ ଯୁବ ପୀଢ଼ି ଙ୍କ ପାଇଁ ସର୍ବଦା ପ୍ରେରଣା ଓ ମାର୍ଗଦର୍ଶକ ଭାବେ ଚିରସ୍ମରଣୀୟ ହୋଇ ରହିବେ ବୋଲି ମତବ୍ୟକ୍ତ କରିଥିଲେ । ଜଗନ୍ନାଥଙ୍କ ଭଜନ ସହ ବହୁ ସଂଗୀତ ସୁ ମଧୁର କଣ୍ଠରେ ଗାନ କରିଥିଲେ, ଯାହାର ସ୍ମୃତି ଅବର୍ଣ୍ଣନୀୟ ।
ସଭାପତି ଶ୍ରୀଯୁକ୍ତ ଶତପଥୀ କହିଥିଲେ ଯେ କେତେ ବର୍ଷ କିଏ ରହିଲା ବଡ କଥା ନୁହେଁ, ସମାଜ ପାଇଁ କଣ କରିକି ଗଲା!ତାହା ବହୁ ପ୍ରାସଙ୍ଗିକତା ବହନ କରେ । ବନ୍ଦେ ଉତ୍କଳ ଜନନୀକୁ ଅତି ସୁନ୍ଦର ଭାବେ ଗାୟନ କରିବା ଥିଲା ତାଙ୍କର ଅନନ୍ୟ ପ୍ରତିଭା । ଦିବ୍ୟାଙ୍ଗ ମାନଙ୍କ ପ୍ରେରଣା ର ଉତ୍ସ ସହ, ନୃତ୍ୟ, ଅଭିନୟ ମାଧ୍ୟମରେ ନିଷ୍ଠା, ସମର୍ପଣ ଭାବ ଥିଲା ତାଙ୍କର ବିଶେଷ କୀର୍ତ୍ତି । ବହୁ ସମ୍ମାନର ଅଧିକାରୀଣୀ ଥିଲେ । ଶ୍ରୀଯୁକ୍ତ ମାର୍ଥା ମତବ୍ୟକ୍ତ କରି କହିଥିଲେ ଯେ ସ୍ବର୍ଗତା କରଙ୍କ ସଂଗୀତ ଅବଦାନ ଉପରେ ଏକ ଚଳଚିତ୍ର ନିର୍ମାଣ କରାଯିବ । ଓଡିଶା କଳାକାର ସଂଘ, ଲିଟିଲ କର ନ୍ୟାସ ସଦସ୍ୟ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ଏହି ଅବସରରେ ରକ୍ତଦାନ ପାଇଁ ତନ୍ମୟ ସାମନ୍ତରାୟ, ସମାଜସେବା ପାଇଁ ମାନସ ସାହୁ ସଂଗୀତ ପାଇଁ, ଡ଼ଃ ଜୟଶ୍ରୀ ଧଳ, ଅଭିନୟ ପାଇଁ ଜ୍ଞାନେନ୍ଦ୍ର ପଲେଇ, ଶିକ୍ଷା ଓ ପୁଜ୍ୟ ପୂଜା ପାଇଁ, ସାମ୍ବାଦିକ ସନତ ମିଶ୍ର, ଡମ୍ବରୁ ଧର ହରଣ ସିଂପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା । ଲିଟିଲ ନାମରେ ଗୋଟିଏ ସ୍ମାରକୀ ଗଠନ ହେବ ବୋଲି ମଞ୍ଚରେ ମତ ବ୍ୟକ୍ତ କରାଯାଇଥିଲା । ଅନ୍ୟ ପୁଜ୍ୟପୂଜା ପ୍ରାଣ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ସଂଯୋଜକ ବାପୁ ଓଝା, ମୁଖପାତ୍ର, ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ କ୍ରାନ୍ତି କୁମାର ସାକସେନା ଙ୍କ ସହିତ ବହୁ ସଂଗଠନ, ବ୍ୟକ୍ତିବିଶେଷ, ପୁଜ୍ୟ ପୂଜା ପ୍ରାଣ ପ୍ରମୁଖ ଉପସ୍ଥିତ ରହିବା ସହ ସ୍ମୃତି ଚାରଣ ଓ ପରିଚାଳନା କରିଥିଲେ।
