ସମସ୍ତ ବ୍ୟବସ୍ଥା ତ୍ରୁଟିଶୂନ୍ୟ ଉପରେ ଗୁରୁତ୍ୱ
କଟକ, ୩୦/୧୧/୨୦୨୫(ଓଡ଼ିଶା ସମାଚାର)- ବାରବାଟୀ ଷ୍ଟାଡିୟମ୍ ଠାରେ ଆସନ୍ତା ଡିସେମ୍ବର ୯ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ ମ୍ୟାଚ୍ ଆୟୋଜନ ଓ ପ୍ରସ୍ତୁତି ସମ୍ବନ୍ଧରେ କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ (ଆରଡିସି)ଗୁହା ପୁନମ ତାପସ କୁମାରଙ୍କ ଅଧ୍ୟକ୍ଷତାରେ ଓସିଏ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ମ୍ୟାଚ୍ ର ସମସ୍ତ ବ୍ୟବସ୍ଥାକୁ ତ୍ରୁଟିଶୂନ୍ୟ କରିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା ।
ବିଶେଷକରି ଟିକେଟ୍ କିଣାବିକା ସମୟରେ ଲାଇନ୍ ରେ ଥିବା ଦର୍ଶକମାନଙ୍କ ପାଇଁ ସୁବ୍ୟବସ୍ଥା, ଷ୍ଟାଡିୟମ୍ ର ଉଭୟ ପଟ ଭିତିଭୂମି ଅନୁଯାୟୀ ଅଗ୍ନି ନିର୍ବାପକ ବ୍ୟବସ୍ଥା, ପାର୍କିଂ ଏବଂ ଟ୍ରାଫିକ୍ ପରିଚାଳନା ଆଦି ବିଭିନ୍ନ ବିଷୟରେ ସମୀକ୍ଷା କରି ମ୍ୟାଚ୍ ପୂର୍ବରୁ ଓ ମ୍ୟାଚ୍ ସମୟରେ ପୁଲିସ୍ ପ୍ରଶାସନ ଅଧିକ ସତର୍କତା ଅବଲମ୍ବନ କରିବାକୁ ନିର୍ଦେଶ ଦେଇଥିଲେ । ଗ୍ରୀନ କରିଡର୍, ମ୍ୟାଚ୍ ସମୟରେ ଭିଡ଼ ନିୟନ୍ତ୍ରଣ, ଉଭୟ ପଡ଼ିଆ ଓ ପଡ଼ିଆ ବାହାରେ ଜରୁରୀ ଚିକିତ୍ସା ବ୍ୟବସ୍ଥା, ପାର୍କିଂ, ଟ୍ରାଫିକ ପରିଚାଳନା, ମ୍ୟାଚ୍ ଶେଷ ପରେ ଦର୍ଶକଙ୍କ ନିମନ୍ତେ ରାତ୍ରିକାଳୀନ ବସ ଚଳାଚଳ ବ୍ୟବସ୍ଥା ଆଦି ସମ୍ପର୍କରେ ଅଧିକାରୀମାନଙ୍କ ସହ ଆଲୋଚନା ପୂର୍ବକ ଆରଡିସି ସମୀକ୍ଷା କରିଥିଲେ ।
ଗ୍ୟାଲେରୀ ଓ ଷ୍ଟାଣ୍ଡ କ୍ଷମତା ଅନୁଯାୟୀ ସେଠାରେ ନିର୍ଦିଷ୍ଟ ସଂଖ୍ୟକ ଦର୍ଶକଙ୍କୁ ବସିବା ପାଇଁ ବ୍ୟବସ୍ଥା କରାଯିବା ନେଇ କାର୍ଯ୍ୟାନଷ୍ଠାନ ଗ୍ରହଣ କରାଯିବା ନେଇ ଆଲୋଚନା ହୋଇଥିଲା । ମ୍ୟାଚ୍ ବେଳେ ନିରନ୍ତର ବିଦୁ୍ୟତ୍ ସରବରାହ ବ୍ୟବସ୍ଥା ସହ ଆଲୋକ ବ୍ୟବସ୍ଥା ପାଇଁ ଅଧିକ ଜେନ୍ ସେଟ୍ ଅଣାଯାଇଥିବା ବେଳେ ଏହାର ମନିଟରିଂ ପାଇଁ ନୂଆ ସଫ୍ଟୱେୟାର୍ ମଧ୍ୟ ଇନ୍ଷ୍ଟଲ କରାଯାଉଥିବା ସମ୍ପର୍କରେ ରାଜସ୍ୱ ଆୟୁକ୍ତଙ୍କୁ ଓ ସିଏ କର୍ତୃପକ୍ଷ ଅବଗତ କରାଇଥିଲେ । ବୈଠକରେ ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ଧନ୍ୟବାଦ୍ ଦେଇଥିଲେ ।
ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓ, ଭୁବନେଶ୍ୱର ବିମାନ ବନ୍ଦର ପ୍ରାଧିକରଣ ନିର୍ଦେଶକଙ୍କ ସମେତ ସିଡିଏମଓ, ଅଗ୍ନିଶମ ଅଧିକାରୀ, ଆରଟିଓ, ମହାନଗର ନିଗମ ଓ ପୂର୍ତ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀ ପ୍ରମୁଖ ଯୋଗଦେଇଥିଲେ । ଓଡ଼ିଶା ଅଲମ୍ପିକ ଆସୋସିଏସନ୍ ସମ୍ପାଦକ ଅଭିଜିତ ପାଲ୍, ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁବ୍ରତ ବେହେରା ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ ।
