ଅନଲାଇନ ଠକାମୀକୁ ରୋକିବା ପାଇଁ ପାଟକୁରା ପୋଲିସ ର ପ୍ରୟାସ
ପାଟକୁରା ୦୯/୧୧/୨୦୨୫ (ଓଡିଶା ସମାଚାର)ବଢିଚାଲିଥିବା ସାଇବର ଅପରାଧକୁ ରୋକିବା ପାଇଁ ଏବଂ ସାଧାରଣ ଲୋକଙ୍କୁ ଅନଲାଇନ ସମ୍ପର୍କରେ ସଚେତନ କରିବା ଲକ୍ଷ୍ୟରେ ପାଟକୁରା ଥାନା ପକ୍ଷରୁ ଏକ ବିଶେଷ ସାଇବର ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନ ମାଧ୍ୟମରେ ଗ୍ରାମାଞ୍ଚଳ, ସ୍କୁଲ-କଲେଜ, ବଜାର ଅଞ୍ଚଳ ରେ ପୋଲିସ ଅଧିକାରୀମାନେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି।
ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ଡ଼ିଏସପି ସରୋଜ କୁମାର ସାହୁ, ସାଇବର ସେଲ୍ ଅଧିକାରୀ ଏବଂ ପାଟକୁରା ଥାନାର ଭାରପ୍ରାପ୍ତ ଅଧିକାରୀ ମହମ୍ମଦ ଜାମ୍ ସେଦ୍, ପୋଲିସ (ଏସ ଆଇ )ଦୀପ୍ତିମୟୀ ରାଉତ, (ଏସ୍ଆଇ) ରେଭତୀ ପରିଡ଼ା, (ଏସ୍ଆଇ) ଅଭୟ ନାୟକ, ପ୍ରଦୀପ୍ତ ବେହେରା ସହ ସହଯୋଗୀ ଖଗେଶ୍ୱର ମଲ୍ଲିକ୍, ଅମୟ ମହାନ୍ତି, ସଞ୍ଜିବ ମହାପାତ୍ର, ଗରଦପୁର ବ୍ଳକ ଅଧ୍ୟକ୍ଷ ଅଭୟ କୁମାର ମହାରାଜଙ୍କ ସମେତ ଅନ୍ୟମାନେ ଗରଦପୁର ,ନୂଆପଡା ବଜାର ଚିତ୍ରୋତ୍ପଳା ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ଆଖୁଆ ଓ ପାଟକୁରା ଥାନା ସମ୍ମୁଖ. ବଜାରରେ ରେ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଲୋକଙ୍କୁ ଅନଲାଇନ ମାଧ୍ୟମ ରେ ବିଭିନ୍ନ ପ୍ରକାର ଠକେଇ ଓ ଅନ ଲାଇନ ଖେଳ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି । ସମ୍ପ୍ରତି ଘଟୁଥିବା ଠକେଇର ଉଦାହରଣ ଦେଇ ଅଧିକାରୀମାନେ ଉଲ୍ଲେଖ କରିଛନ୍ତି ଯେ, ଅଧିକାଂଶ କ୍ଷେତ୍ରରେ ସଚେତନତା ଅଭାବ ହିଁ ଠକାମି ର ମୂଳ କାରଣ ବୋଲି ଜଣାଯାଇଛି । ସଚେତନତା ମାଧ୍ୟମରେ ଏହାକୁ ଯଥେଷ୍ଟ ପରିମାଣରେ ରୋକା ଯାଇପାରିବ ବୋଲି ସେମାନେ ମତ ପ୍ରକାଶ କରିବା ସହ ଦିଗଦର୍ଶନ ଦେଇଛନ୍ତି।
କାର୍ଯ୍ୟକ୍ରମରେ ଚର୍ଚ୍ଚା ହୋଇଥିବା ପ୍ରମୁଖ ସାଇବର ଠକାମୀ କିସମ ଗୁଡ଼ିକ ମୁଖ୍ୟତଃ ଓଟିପି ଠକେଇ ଏବଂ କେୱାଇସି ଅପଡେଟ୍ ନାମରେ ଠକାମି ହେଉଅଛି। ଏହାଛଡା ଫେକ୍ ବ୍ୟାଙ୍କ କଲ୍ ଏବଂ ଲିଙ୍କ୍ ମାଧ୍ୟମରେ ବ୍ୟାଙ୍କ ଆକାଉଣ୍ଟ୍ ଖାଲି କରିବା ସହ ଲୋନ୍ ଆପ୍ ରେ କ୍ଲିକ୍ କରି ଠକେଇର ଶିକାର ହେଉଛନ୍ତି।
ମହିଳା ମାନଙ୍କର ଫଟୋ ଅପବ୍ୟବହାର ଏବଂ ସୋସିଆଲ୍ ମିଡ଼ିଆ ହ୍ୟାକିଂ। ଫେକ୍ ଲଟରି କିମ୍ବା ଜବ୍ ଅଫର୍ ନାମରେ ଠକାମୀ ସହିତ ୟୁପିଆଇ ପେମେଣ୍ଟ୍ ରିକ୍ୱେଷ୍ଟ୍ ମାଧ୍ୟମରେ ଟଙ୍କା ହରାଇବାକୁ ପଡୁଛି। ସେଥିରୁ ବର୍ତିବା ପାଇଁ ଅଧିକାରୀମାନେ ଜନସାଧାରଣ ଙ୍କୁ ସଚେତନ କରି ଓଟିପି, ପିନ୍ କିମ୍ବା ପାସ୍ୱାର୍ଡ୍ କାହା ସହିତ ବି ସେୟାର୍ କରବାକୁ ବାରଣ କରିଛନ୍ତି। ଏପରିକି ଅଜଣା ଲିଙ୍କ୍ କ୍ଲିକ୍ କରିବା କିମ୍ବା ଅଜଣା ଆପ୍ ଡାଉନ୍ଲୋଡ୍, କେୱାଇସି ଅପଡେଟ୍ ନାମରେ କାହାକୁ ବ୍ୟକ୍ତିଗତ ତଥ୍ୟ ଦେବାକୁ ସଂପୂର୍ଣ୍ଣ ବାରଣ କରାଯାଇଛି। ବ୍ୟାଙ୍କ୍ କେବେ ବି ଓଟିପି କିମ୍ବା ପାସ୍ୱାର୍ଡ୍ ଚାହିଁ ନଥାଏ। ଅନଲାଇନ୍ କ୍ରୟ-ବିକ୍ରୟ ସମୟରେ କ୍ୟୁଆର୍ କୋଡ୍ ସ୍କାନ୍ କଲାବେଳେ ବ୍ୟବସାୟୀ ଙ୍କ ଠିକଣା ଜାଣିବା ନିହାତି ଆବଶ୍ୟକ। ଏହାଛଡା ଯୁବବର୍ଗଙ୍କୁ ବିଶେଷ ଗୁରୁତ୍ୱ ଦିଆଯାଉଛି, କାରଣ ସେମାନେ ଅଧିକ ସମୟ ସୋସିଆଲ୍ ମିଡ଼ିଆରେ ବିତାଉଛନ୍ତି। ଏଥିପାଇଁ ସ୍କୁଲ୍, କଲେଜ୍ ଏବଂ ଯୁବ ସଂଗଠନଗୁଡ଼ିକରେ ବିଶେଷ ଅଧିବେଶନ ଆୟୋଜନ କରାଯାଉଛି।
ସାଇବର ଅପରାଧର ଶିକାର ହେଲେ ତୁରନ୍ତ ଅଭିଯୋଗ ଦାୟର କରିବାକୁ ପୋଲିସ ଅନୁରୋଧ କରିଛି। ଏଥିପାଇଁ ସାଇବର ହେଲ୍ପଲାଇନ୍ ନମ୍ବର ୧୯୩୦ କିମ୍ବା ୱେବ୍ସାଇଟ୍ cybercrime.gov.in ରେ ଯୋଗାଯୋଗ କରିବାକୁ କୁହାଯାଇଛି।
ପାଟକୁରା ଥାନା ଅଧିକାରୀଙ୍କ କହିବାନୁସାରେ, ଆଗାମୀ ସପ୍ତାହଗୁଡ଼ିକରେ ଅଞ୍ଚଳର ଅଧିକ ସ୍ଥାନରେ ଏପରି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ସାଇବର ସୁରକ୍ଷା ସମ୍ପର୍କରେ ପୂର୍ଣ୍ଣ ଜ୍ଞାନ ପ୍ରଦାନ କରିବା। ପୋଲିସ ଏବଂ ସମାଜର ମଧ୍ୟରେ ବଢୁଥିବା ସହଯୋଗ ଏହି ଅଭିଯାନକୁ ସଫଳ କରିବ ବୋଲି ଆଶା କରାଯାଉଛି। “ସଚେତନ ଲୋକ, ସୁରକ୍ଷିତ ସମାଜ” – ଏହି ମନ୍ତ୍ରରେ ଏହି ପ୍ରୟାସ ଏହି ସଚେତନ ଆଗେଇ ଚାଲିଛିବୋଲି କହିଛନ୍ତି। ଏହି ଅବସରରେ ବିଭିନ୍ନ ମହାବିଦ୍ୟାଳୟ ରେ କୁଇଜ୍ ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ଫଳକ ପ୍ରଦାନ କରାଯାଇଥିଲା ।
