ଭୁବନେଶ୍ୱର,୨୯/୧୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଅଭିନୟରେ ପରିପକ୍ଵତା ଓ ନିଷ୍ଠା ସହିତ ଚରିତ୍ର, ଦୃଶ୍ୟ, ପରିପାର୍ଶ୍ୱ ଓ କାହାଣୀର ଅନୁଶୀଳନ ଆବଶ୍ୟକ ।ନିଜ ଚଳଚ୍ଚିତ୍ର ଓ ନାଟକ ଅଭିନୟର ସ୍ମୃତିଚାରଣ କରି ବିଶିଷ୍ଟ ସିନେ -ଅଭିନେତା ବିନୋଦ ମିଶ୍ର ଉପରୋକ୍ତ ମର୍ମରେ ଉଲ୍ଲେଖ କରିଛନ୍ତି ।
ଆଜି ସନ୍ଧ୍ୟାରେ ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ପକ୍ଷରୁ ଆୟୋଜିତ “ସାହିତ୍ୟ ମାସିକୀ ” କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ମିଶ୍ର ଘରବାହୁଡା଼, ମୁକ୍ତି, ଉଲକା, କାଚଘର, ମାୟା ମିରିଗ, ଭିନ୍ନ ମଣିଷ ଓ ସଦ୍ୟ ମୁକ୍ତିପ୍ରାପ୍ତ ଅଜାତି ଇତ୍ୟାଦି ଓଡ଼ିଆ ସିନେମାରେ ତାଙ୍କ ଅଭିନୟ ଅନୁଭୂତି ପ୍ରକାଶ କରିଥିଲେ । ସିନେ-ଗବେଷକ ଓ ସମୀକ୍ଷକ ସୂର୍ଯ୍ୟ ଦେଓଙ୍କ ସହିତ ଆଳାପ ଆଲୋଚନା କରି ଶ୍ରୀ ମିଶ୍ର ପ୍ରସିଦ୍ଧ ନିର୍ଦେଶକ ଓ ଅଭିନେତା ମାନଙ୍କ ସଂଗେ ନିଜ ଅନ୍ତରଙ୍ଗ ଅନୁଭୂତି ବର୍ଣ୍ଣନା କରିଥିଲେ ।
କଥାକାର ଅଧ୍ୟାପକ ଆଭାସ ବରାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଶ୍ନୋତ୍ତର ମଧ୍ୟ ରହିଥିଲା ।
ପ୍ରାରମ୍ଭରେ ଡ଼. ଅଶୋକ ସିଂହ ସ୍ୱାଗତ ସୂଚନା ଦେଇଥିଲେ ଓ ସୁଗାୟକ ହୁମାନ ସାଗର ଓ ଗୀତିକାର ମନୋରଞ୍ଜନ ହୋତାଙ୍କ ପରଲୋକରେ ନିରବ ପ୍ରାର୍ଥନା କରାଯାଇଥିଲା ।
“ଏ ମାସର କଥାକାର ” ହିସାବରେ ସୁଶ୍ରୀ ସ୍ରୋତସ୍ୱିନୀ ପରିଡା ଉପସ୍ଥିତ ରହି ଗଳ୍ପ ପାଠ କରିଥିଲେ । ପରେ ଜୟଶ୍ରୀ ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ସୁସ୍ମିତା ଶତପଥି, ନଟ ଆଚାର୍ଯ୍ୟ, ରଜନୀକାନ୍ତ ପଟ୍ଟନାୟକ, ସଞ୍ଜୁଲତା ମହାନ୍ତି, ମଧୁସ୍ମିତା ଶା, ମିହିରକାନ୍ତି ଦାସ, କୁମୁଦିନୀ ଜୀ, କ୍ଷେତ୍ରମୋହନ ଦାଶ, ଗଗନ ନାୟକ, ଅଲେଖ ରାଉତ, ପବିତ୍ର ବାରିକ, ବିରଞ୍ଚି ଦାସ, ମିନତି ମିଶ୍ର, ଗୀତାଞ୍ଜଳି ଦଳେଇ, ଉମାକାନ୍ତ ରାଉତ (ଅରୂପ), ସୁଷମା ଦାସ, ଅଂଶୁମାନ ସାହୁ, ଚିତ୍ତରଞ୍ଜନ ବର୍ମା ଓ ଜୟନାରାୟଣ ନନ୍ଦ ପ୍ରମୁଖ ସ୍ୱରଚିତ ଲେଖା ପାଠ କରିଥିଲେ । ଅନୁଷ୍ଠାନର ସଦସ୍ୟ ସୁଧୀର ମଉଡମଣିଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଦସ୍ୟ ସଞ୍ଜୟ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
