ଭୁବନେଶ୍ୱର,୨୭/୧୧/୨୦୨୫ (ଓଡ଼ିଶା ସମାଚାର)- ଓଡିଶା ନାଗରିକ ମହାମଞ୍ଚ, ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମିଳିତ ଆନୁକୂଲ୍ୟରେ ବର୍ଷୀୟାନ ସ୍ୱାଧୀନତା ସଂଗ୍ରାମୀ, ପାଇକ ସଂଗଠନର ପ୍ରତିଷ୍ଠାତା ସ୍ବର୍ଗତ ହଟନାଥ ମଙ୍ଗରାଜଙ୍କ ୧୦୫ ତମ ଜନ୍ମ ବାର୍ଷିକ ଓ ବରିଷ୍ଠ ସାମ୍ବାଦିକ, ଅଧ୍ୟକ୍ଷ ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ଓଡିଶା ନାଗରିକ ମହାମଞ୍ଚ, ବାଗ୍ନୀ ପ୍ରଦ୍ୟୁମ୍ନ ଶତପଥୀଙ୍କ ୬୮ ତମ ଜନ୍ମଦିବସ ସ୍ଥାନୀୟ ଗଙ୍ଗନଗରସ୍ଥିତ କାର୍ୟ୍ୟାଳୟରେ ଓଡିଶା ନାଗରିକ ମହାମଞ୍ଚର ଉପସଭାପତି ଡ଼ଃ ପ୍ରଦୀପ କୁମାର ବିଶ୍ୱାଳଙ୍କ ପୌରହିତ୍ୟ ଓ ମୁଖପାତ୍ର ଅରବିନ୍ଦ ତ୍ରିପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି ।
ଓଡିଶାର କଳା, ସଂସ୍କୃତି, ପରମ୍ପରା, ସାମ୍ବାଦିକତା ତଥା ପୁଜ୍ୟପୂଜାକୁ ଆଧାର କରି ଦୀର୍ଘ ୪୫ ବର୍ଷଧରି କାର୍ୟ୍ୟକରିବା ସହିତ ଭାଷା, ସାହିତ୍ୟ କ୍ଷେତ୍ରରେ ପ୍ରଦ୍ୟୁମ୍ନ ବାବୁଙ୍କ
ଭୂମିକା ବହୁ ପ୍ରାସଙ୍ଗିକତା ବହନ କରେ ବୋଲି ଡ଼ଃ ବିଶ୍ୱାଳ ଓ ଅତିଥି ଭାବେ ଯୋଗଦାନ କରିଥିବା ଭାଷାପ୍ରାଣ ମୋହନ ଦଳସିଂ ରାୟ, ସତ୍ୟବାଦୀ ବଳିୟାର ସିଂ, ଶିକ୍ଷାବିତ ସୁନୀଲ କୁମାର ମିଶ୍ର, ବିଜୟ ପରିଡା, ସମିତା ମହାରଣା, ପ୍ରମୁଖ ମତବ୍ୟକ୍ତ କରିଥିଲେ ।
ପୁଜ୍ୟପୂଜା କୁ ପ୍ରାଧ୍ୟାନ୍ୟ ଦେବା ସହିତ ଆଜିର ଯୁବ ପୀଢ଼ି ଦୁଇ ପ୍ରଜ୍ଞା ଦୀପ୍ତ ପ୍ରତିଭାଙ୍କୁ ଅନୁସରଣ କରନ୍ତୁ ବୋଲି ମତ ପ୍ରକାଶ ପାଇଥିଲା । ସ୍ବର୍ଗତ ହଟନାଥ ମଙ୍ଗରାଜଙ୍କ ଅବଦାନ ପାଇକ ସଂଗଠନ, ସ୍ୱାଧୀନତା ସଂଗ୍ରାମ ତଥା ଭାଷା ଓଡିଶାର ସାଂସ୍କୃତିକ ଗୌରବମୟ କୀର୍ତ୍ତି ପ୍ରତି ତାଙ୍କ ସମର୍ପଣଭାବର ପଟାନ୍ତର ନାହିଁ ବୋଲି ମତବ୍ୟକ୍ତ କରାଯିବା ସହ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । କାର୍ୟ୍ୟକ୍ରମକୁ ନାରାୟଣ ଖୁଣ୍ଟିଆ,ବିଜୟ ପ୍ରଧାନ, ନିରଞ୍ଜନ ସାହୁ, ସୀତାଂଶୁ ଶେଖର ମହାରଣା, ସଂଜୀବ ପଣ୍ଡା ପରିଚାଳନା କରିଥିଲେ ।
