ପୋଲିସ ସୁରକ୍ଷା ବଳୟରେ ବିଦାୟ ନେଲେ ବିବାଦୀୟ କେନ୍ଦ୍ରାପଡା ବିଡିଓ

କେନ୍ଦ୍ରାପଡ଼ା,୦୬/୧୨/୨୦୨୪ (ଓଡ଼ିଶା ସମାଚାର)-ପୂର୍ବରୁ ଅଣ୍ଡାମାଡ଼ କରାଯାଇଥିବା ଚର୍ଚ୍ଚିତ ତଥା ବିବାଦୀୟ କେନ୍ଦ୍ରାପଡା ବ୍ଲକ ବିଡିଓ ବନ୍ଦନା ଖଟୁଆ ସଂପୂର୍ଣ୍ଣ ପୋଲିସ ସୁରକ୍ଷା ବଳୟ ଭିତରେ ଶୁକ୍ରବାର କେନ୍ଦ୍ରାପଡ଼ା ବ୍ଲକ କାର୍ଯ୍ୟାଳୟ ପରିତ୍ୟାଗ କରିଛନ୍ତି । ପୁନର୍ବାର ତାଙ୍କୁ ଅଣ୍ଡାମାଡ଼ କରାଯିବାର ଆଶଙ୍କା କରି ସେ ପୋଲିସ ସୁରକ୍ଷା ଲୋଡିଥିଲେ । ଫଳରେ କେନ୍ଦ୍ରାପଡ଼ା ବ୍ଲକ ପରିସରରେ ପୋଲିସ ସୁରକ୍ଷା ବଳ ମୁତୟନ ହୋଇଥିଲେ । କେନ୍ଦ୍ରାପଡ଼ା ଟାଉନ୍ ଥାନା ପକ୍ଷରୁ ପୂର୍ବାହ୍ଣ ୧୧ଟାରୁ କେନ୍ଦ୍ରାପଡ଼ା ବ୍ଲକ ପରିସରରେ ପୋଲିସ ସୁରକ୍ଷା ବଳ ମୃତୟନ ହୋଇଥିଲେ । ଫଳରେ ବିବାଦୀୟ ବିଡିଓଙ୍କ ବିରୋଧୀ ଗୋଷ୍ଠୀ ଅଣ୍ଡାମାଡ଼ କରି ପାରି ନଥିଲା । ତେଣୁ କୌଣସି ଅପ୍ର୍ରୀତିକର ପରିସ୍ଥିତିର ସମ୍ମୁଖୀନ ନହୋଇ ବିଡିଓ ଶ୍ରୀମତୀ ଖଟୁଆ କେନ୍ଦ୍ରାପଡ଼ା ବ୍ଲକ ଛାଡିଛନ୍ତି । ବଦଳି ହୋଇ ଆସିଥିବା ସୁକିନ୍ଦା ବ୍ଲକର ବିଡିଓ ଅଭିଷେକ ସ୍ୱାଇଁ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବତନ ବିଡିଓ ଶ୍ରୀମତୀ ଖଟୁଆ ନୂତନ ବିଡିଓ ଶ୍ରୀ ସ୍ୱାଇଁଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିବା ଜଣାପଡିଛି । ବିଡିଓ ଶ୍ରୀ ସ୍ୱାଇଁଙ୍କୁ କାର୍ଯ୍ୟାଳୟର କର୍ମଚାରୀମାନେ ପୁଷ୍ପଗୁଛ ପ୍ରଦାନ କରି ସ୍ୱାଗତ ସମ୍ପର୍ଦ୍ଧନା ଜ୍ଞାପନ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ଗତ ଅକ୍ଟୋବର ୨୭ ତାରିଖରେ ବିଡିଓ ଶ୍ରୀମତୀ ଖଟୁଆଙ୍କ ବଦଳି ହୋଇଥିଲା । ହେଲେ ସେ କାର୍ଯ୍ୟାଳୟ ଛାଡୁ ନଥିଲେ । ଫଳରେ ସୁକିନ୍ଦାରୁ ବଦଳି ହୋଇ ଆସିଥିବା ଅଭିଷେକ ସ୍ୱାଇଁ ମଧ୍ୟ ଏଠାରେ ଯୋଗଦେଇ ପାରୁ ନଥିଲେ । ସେ ଏଠାରୁ ବଦଳି ନ ହେବା ପାଇଁ ରାଜନୈତିକ ଲବି ଆରମ୍ଭ କରି ଦେଇଥିଲେ । ଫଳରେ କେତେକ ବ୍ୟକ୍ତି ଅସନ୍ତୋଷ ପ୍ରକାଶ କରିବା ସହ ତାଙ୍କ କାର୍ଯ୍ୟାଳୟକୁ ଅଣ୍ଡାମାଡ଼ କରିଥିଲେ । ଏ ନେଇ ବିଡିଓ କଂସାର ଗ୍ରାମପଂଚାୟତର ପୂର୍ବତନ ସରପଂଚ ପ୍ରଦୁ୍ୟମ୍ନ କୁମାର ଜେନା ଓ ତାଙ୍କ ସହଯୋଗୀମାନଙ୍କ ନାମରେ କେନ୍ଦ୍ରାପଡ଼ା ଟାଉନ୍ ଥାନାରେ ଏତଲା ରୁଜୁ କରିଥିଲେ । ହେଲେ ସେହି ସମୟରେ ପ୍ରଦୁ୍ୟମ୍ନ କେନ୍ଦ୍ରାପଡ଼ାରେ ନଥିଲେ । ପୂର୍ବରୁ ପ୍ରଦୁ୍ୟମ୍ନ ବିଡିଓଙ୍କ ବିରୁଦ୍ଧରେ ଭିଜିଲାନ୍ସ ନିର୍ଦେଶକଙ୍କ ନିକଟରେ ଅଭିଯୋଗ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିସହ ସେ ଜିଲାପାଳଙ୍କୁ ଭେଟି ବିଡିଓଙ୍କୁ ତୁରନ୍ତ ଭାରମୁକ୍ତ କରିବା ପାଇଁ ନିବେଦନ କରିଥିଲେ । ଏହି ଅଭିଯୋଗ ପରେ ବିଡିଓ ବାଧ୍ୟହୋଇ ବିଦାୟ ନେଇଥିବା ଆଲୋଚନା ହେଉଛି । ଅପରପକ୍ଷରେ ବିଡିଓ ଶ୍ରୀମତୀ ଖଟୁଆଙ୍କୁ ପଚାରିବାରୁ ସେ କୌଣସି ସନ୍ତୋଷଜନକ ଉତର ଦେଇ ପାରି ନଥିଲେ । ତାଙ୍କ ରିଲିଭର ଆସୁ ନଥିବାରୁ ସେ ଦାୟିତ୍ୱ ହସ୍ତାନ୍ତର କରିପାରି ନଥିଲେ ବୋଲି କହିଥିଲେ । ଅପରପକ୍ଷରେ ରିଲିଭର ନ ଆସିଲେ ଅତିରିକ୍ତ ବିଡିଓଙ୍କୁ ଦାୟିତ୍ୱ ହସ୍ତାନ୍ତର କରି ନୂତନ ସ୍ଥାନରେ ଯୋଗଦେବା ବିଧି ରହିଛି ବୋଲି ଜଣେ ପୂର୍ବତନ ପ୍ରଶାସନିକ ଅଧିକାରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *