ଯୋଜନା ର ଶୁଭାରମ୍ଭ ରୁ ଦୁଗ୍ଧ ଚାଷୀମାନଙ୍କ ଅସନ୍ତୋଷ
କଟକ,୨୭/୧୧/୨୦୨୫ ( ଓଡିଶା ସମାଚାର/ ଅଭୟ ଜେନା) – ବିଶ୍ବ ଦୁଗ୍ଧ ଦିବସ ଅବସରରେ ଫୁଲନଖରା ନିକଟସ୍ଥ ଓମଫେଡ ତାଲିମ୍ ଓ ପ୍ରଶିକ୍ଷଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାର ଶୁଭାରମ୍ଭ ହୋଇଛି । ଓମ୍ଫେଡ ତାଲିମ୍ କେନ୍ଦ୍ରରେ ଆୟୋଜିତ କାର୍ଯ୍ୟକ୍ରମରେ ଉପ ନିର୍ଦ୍ଦେଶକ ଅନ୍ତର୍ଯ୍ୟାମି ଖୁଣ୍ଟିଆଙ୍କ ପୌରହିତ୍ୟରେ ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକରୀ ଡଃ.ସୁଶାନ୍ତ ନାୟକ, ପଶୁପାଳନ ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଗିରିଧରୀ ଭୋଇ ଏବଂ ନ୍ୟାସନାଲ ଡାଇରୀ ଡେଭେଲପମେଣ୍ଟ ବୋର୍ଡର ଦକ୍ଷିଣ କ୍ଷେତ୍ର ପରିଚାଳକ ହରିଶଙ୍କର ଏସ୍ ଅତିଥି ଭାବରେ ଯୋଗଦେଇଥିଲେ ।
ଉକ୍ତ କାର୍ଯ୍ୟକ୍ରମକୁ ଓମଫେଡ୍ ଟ୍ରେନିଂ ଆଣ୍ଡ ଡେଭଲପମେଣ୍ଟ ସେଣ୍ଟର୍ ର ପରିଚାଳିକା ହରପ୍ରିୟା ଦାଶଙ୍କ ସମେତ ସମସ୍ତ କର୍ମଚାରୀ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୦ ଜଣ ଚାଷୀଙ୍କୁ ୨ଟି କରି ଗାଈ ବଣ୍ଟନ କରାଯାଇଥିଲା । ଗୋ ଚାଷୀମାନେ ବିଭିନ୍ନ ରାଜ୍ୟରୁ ପ୍ରତ୍ୟକ୍ଷ ଭାବରେ ଉକୃଷ୍ଟ ମାନର ଗାଈ କ୍ରୟ କରିବା ବେଳେ ଦଲାଲଙ୍କ ହାତରେ ପଡିବା ଓ ଗାଈ କ୍ରୟ କରି ଘରକୁ ଆଣୁଥିବା ବେଳେ ବାଟରେ ବିଭିନ୍ନ ପ୍ରକାର ସଂଗଠନ ଦ୍ୱାରା ହଇରାଣ ହରକତ ନହୋଇ ଏହି କାମଧେନୁ ଯୋଜନା ମାଧ୍ୟମରେ ଉପକୃତ ହେବେ ବୋଲି ଉପସ୍ଥିତ ପଶୁପାଳନ ବିଭାଗର ଅଧିକାରୀମାନେ ପ୍ରକାଶ କରିଥିଲେ ।
ଏହି ଯୋଜନାର ଶୁଭାରମ୍ଭରେ କଟକ ଜିଲ୍ଲାର ବିଭିନ୍ନ ବ୍ଳକ ଯଥା କଣ୍ଟାପଡା, ନିଆଳି, କଟକ ସଦର, ବଡ଼ମ୍ବା, ନିଶ୍ଚିନ୍ତ କୋଇଲି ଓ ବାରଙ୍ଗର ପ୍ରାୟ ୧୦ଜଣ ଗୋ-ଚଷୀଙ୍କୁ ୨୦ଟି ଶଙ୍କର ଜାତୀୟ ଜର୍ସି ଗାଈ ଯୋଗାଇ ଦିଆଯାଇଥିଲା । ଶତକଡା ୭୦ଭାଗ ରିହାତି ପାଇବା ପରେ ଗାଈର ମୂଲ୍ୟ ବାବଦକୁ ୨୭ହଜାର ଟଙ୍କା ହିସାବରେ ଦୁଇଟି ଗାଈର ମୂଲ୍ୟ ୫୪ହଜାର ଟଙ୍କା ପୈଠ କରିଥିବା ଚାଷାମାନେ ପ୍ରକାଶ କରିଛନ୍ତି । ଏନଡିଡିବି ଦ୍ଵାରା ମହାରାଷ୍ଟ୍ରରୁ କ୍ରୟ କରାଯାଇଥିବା ଗାଈ ଗୁଡିକୁ ଚାଷୀମାନେ ପାଇବା ପରେ ନିଜର ଅସୋନ୍ତୋଷ ପ୍ରକାଶ କରିଛନ୍ତି ।
ଏପରିକି ସରକାରଙ୍କ ଠାରୁ ଉତ୍କୃଷ୍ଟ ମାନର ଗାଈ ପାଇବାର ଆଶା ରଖି ଶେଷରେ ଠକି ଯାଇଛନ୍ତି ବୋଲି ଦୁଃଖର ସହ କହିଥିଲେ । ଗାଈଗୁଡିକୁ ପାଇଲାପରେ ପ୍ରକୃତରେ ସରକାର ୭୦% ସବ୍ସିଡ ଦେଇଛନ୍ତି ନା ଗାଈର ପ୍ରକୃତ ମୂଲ୍ୟ ଦେଇ ଚାଷୀ କିଣୁଛି ତାହା ସମସ୍ତଙ୍କ ମନରେ ଏକପ୍ରକାର ସନ୍ଦେହ ସୃଷ୍ଟି କରିଛି । ଗାଈ ଗୁଡିକୁ ୭ଦିନ ପୂର୍ବରୁ ଅଣାଯାଇ ଓମ୍ ଫେଡ୍ ତାଲିମ୍ କେନ୍ଦ୍ରର ଗୋ ରହଣୀ କେନ୍ଦ୍ରରେ ସଙ୍ଗରୋଧ ରଖାଯିବା ପରେ ଚାଷୀ ମାନଙ୍କୁ କ୍ରମାନ୍ୱୟରେ ପ୍ରଦାନ କରଯାଇଥିଲା । ଗାଈ ଗୁଡିକ ରହଣୀ ପାଇଁ ଗୁହାଳ ବାବଦରେ ସରକାରଙ୍କ ଠାରୁ ୩୫ହଜାର ଟଙ୍କା ଯୋଗାଇ ଦିଆଯିବ ବୋଲି କୁହାଯାଇଥିବା ବେଳେ ଚାଷୀମାନେ ଗାଈ ପାଇଥିଲେହେଁ, ଗୁହାଳ ବାବଦରେ ଟଙ୍କା ପାଇନାହାଁନ୍ତି ବୋଲି ମଧ୍ୟ କହିଥିଲେ । ଗାଈ ଗୁଡିକୁ ଘରକୁ ନେଲାପରେ କିଭଳି ତହାର ଯତ୍ନ ନେବେ ସେହି ଆଶଙ୍କାରେ ମଧ୍ୟ ଚାଷୀମାନେ ହତାଶ ହୋଇପଡିଛନ୍ତି । ଚାଷୀମାନେ ଗାଈ ନେବା ପରେ ଦୈନିକ କେତେ ଲିଟର କ୍ଷୀର ଦେବେ ଓ ସେମାନଙ୍କ ଗୁଜୁରାଣ ମେଣ୍ଟାଇ ପାରିବେ କି ନା ସେ ନେଇ ମନରେ ଘୋର ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି ।
