ଭୁବନ ୨୬/୧୧/୨୦୨୫ (ଓଡ଼ିଶା ସମାଚାର)- ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ଏନ୍ ଏସ ଏସ ତରଫରୁ ୭୬ ତମ ଜାତୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ସଭାପତିତ୍ବ କରି କହିଥିଲେ ଯେ ,୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଦିନ ଆମ ଦେଶ ସ୍ବାଧୀନ ହୋଇଥିଲେ ମଧ୍ୟ ଦେଶକୁ ଶାସନ କରିବା ପାଇଁ ଏକ ସମ୍ବିଧାନ ର ଆବଶ୍ୟକତା ଥିଲା । ୧୯୪୯ ମସିହା ନଭେମ୍ବର ୨୬ ତାରିଖ ଅର୍ଥାତ୍ ଆଜିର ଦିନରେ ଭାରତର ସମ୍ବିଧାନକୁ ଗ୍ରହଣ ଓ ପ୍ରଣୟନ କରି ତାହା ଦେଶବାସୀଙ୍କ ପାଇଁ ଅର୍ପଣ କରାଯାଇଥିଲା ।
ପୂର୍ବରୁ ଏହି ଦିବସକୁ ଜାତୀୟ ଆଇନ ଦିବସ ଭାବେ ପାଳନ କରାଯାଉଥିଲା । ୨୦୧୫ ମସିହା ଅକ୍ଟୋବର ୧୧ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଭେମ୍ୱର ୨୬ କୁ ଜାତୀୟ ସମ୍ବିଧାନ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲେ ବୋଲି ସୂଚନା ଦେଇଥିଲେ । ଅଧ୍ୟାପିକା ଡଃ ପ୍ରମିଳା ଦାସ ନାଗରିକ ର ଦାୟିତ୍ଵ,କର୍ତ୍ତବ୍ୟ ଓ ଅଧିକାର ସମ୍ପର୍କରେ ଆଲୋକପାତ କରିଥିଲେ। ଅନ୍ୟତମ ଅଧ୍ୟାପିକା ଡଃ ମମତା ପାତ୍ର କହିଥିଲେ ଯେ ଜାନୁଆରୀ ୨୬ ଭଳି ନଭେମ୍ବର ୨୬ ତାରିଖ ପ୍ରତ୍ୟେକ ଭାରତୀୟ ଙ୍କ ପାଇଁ ଏକ ସ୍ମରଣୀୟ ଦିବସ ।
ଅଧ୍ୟାପକ ପ୍ରଶାନ୍ତ କୁମାର ରାଉତରାୟ ସମ୍ବିଧାନ ପରିଭାଷା କୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ୭୬ ବର୍ଷରେ ୧୦୬ ଥର ସମ୍ବିଧାନ ସଂଶୋଧନ କରାଯାଇଛି ବୋଲି କହିଥିଲେ । ଯାହାକି ଗ୍ରହଣୀୟ ନୁହେଁ । ସମ୍ବିଧାନ ର ମୌଳିକ ଢାଞ୍ଚାକୁ ପରିବର୍ତ୍ତନ କରାଯିବା ଉଚିତ୍ ନୁହେଁ । ଏଥିପ୍ରତି ସଚେତନ ନାଗରିକ ମାନେ ସଜାଗ ରହିବା ଦରକାର ବୋଲି ମତବ୍ୟକ୍ତ କରିଥିଲେ ଓ ସମ୍ବିଧାନର ମୂଲ୍ୟବୋଧକୁ ଅଙ୍ଗୀକାର କରିବା ନ୍ୟାୟ,ସ୍ଵାଧୀନତା ଓ ବନ୍ଧୁତ୍ୱ କୁ ଆଗକୁ ବଢ଼ାଇବା ପ୍ରସ୍ତାବିତ ଏକ ପ୍ରସ୍ତାବନା ସଂକଳ୍ପ ପାଠ କରାଇଥିଲେ । ଏନ୍ ଏସ ଏସ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ନିରଞ୍ଜନ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ।
