କେନ୍ଦ୍ରାପଡ଼ା,୨୬/୧୧/୨୦୨୫(ଓଡ଼ିଶା ସମାଚାର)- ଶୀତବସ୍ତ୍ର ପରିଧାନ କଲେ ମହାପ୍ରଭୁ ତଥା କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉ । ଓଢଣ ଷଷ୍ଟୀରେ ଶ୍ରୀଜୀଉଙ୍କ ଘୋଡ ଲାଗି ନୀତି ସମ୍ପନ୍ନ ହୋଇଛି । ଆଜି ପବିତ୍ର ମାର୍ଗଶୀରମାସ ଶୁକ୍ଳପକ୍ଷ ଓଢଣ ଷଷ୍ଟୀରେ ଶୀତବସ୍ତ୍ର ପରିଧାନ ପୂର୍ବକ ଘୋଡ଼ ଲାଗି ବେଶ ଅନୁଷ୍ଠିତ ହୋଇଛି । ସକାଳ ଧୂପ ସମ୍ପନ୍ନ ପରେ ଭଣ୍ଡାର ଗୃହରୁ ଶୀତବସ୍ତ୍ର ଭଣ୍ଡାର ମୋହରଙ୍କ ଦ୍ୱାରା ଅଣାଯାଇ ରତ୍ନ ସିଂହାସନ ନିକଟକୁ ଯାଇଥିଲା । ରାଜ ପୁରୋହିତଙ୍କ ଦ୍ୱାରା ପଂଚାମୃତ ଶୋଧନ ସଂସ୍କାର ପରେ ବେଢ଼ା ପ୍ରଦକ୍ଷଣ କରାଯାଇଥିଲା ।
ପରେ ପୂଜାପଣ୍ଡାଙ୍କ ଦ୍ୱାରା ମଉଳି ବାଲ, ପୋଷ ଦୁଲେଇ, ଅଧର ଧଣ୍ଡା ଜରିଚିତା ପାଗ ଡୋରି ଦ୍ୱାରା ସୁସଜ୍ଜିତ ଘୋଡ ଲାଗି ବେଶ କରାଯାଇଥିଲା ଶ୍ରୀଜୀଉଙ୍କୁ । ବେଶ ପରେ ଭୋଗ ମଣ୍ଡପରେ ଘଟ ସ୍ଥାପନ, କଳସ ପୂଜା କରାଯାଇ ମଙ୍ଗଳାର୍ପଣ ହୋଇଥିଲା । ପରେ ଭୋଗଲାଗି କରାଯାଇଥିଲା । ଅନ୍ୟ ପାର୍ଶ୍ୱ ଦେବଦେବୀଙ୍କ ଶୀତବସ୍ତ୍ର ଓ ଭୋଗ ପ୍ରଦାନ କରାଯାଇଥିଲା । ଏହି ଶୀତବସ୍ତ୍ର ପରିଧାନ ମାର୍ଗଶୀର ଶୁକ୍ଳପକ୍ଷ ଷଷ୍ଠୀରୁ ଆରମ୍ଭ ହୋଇ ଦୁଇ ମାସ ଅର୍ଥାତ ମାଘମାସ ଶୁକ୍ଳପକ୍ଷ ଶ୍ରୀପଂଚମୀ ପର୍ଯ୍ୟନ୍ତ ଚାଲିବ ବୋଲି ସେବାୟତ ଟ୍ରଷ୍ଟି ନୃସିଂହ ପ୍ରସାଦ ପତ୍ରୀ ସୂଚନା ଦେଇଛନ୍ତି ।
